ଉମରକୋଟଠାରେ ଟିପିଏସ୍ଓଡିଏଲ୍ ତରଫରୁ ନୂତନ ଗ୍ରାହକ ସମ୍ପର୍କ କେନ୍ଦ୍ର ଉଦଘାଟିତ…

newyr25

  • ଉପକୃତ ହେବେ ପ୍ରାୟ ୧.୨ଲକ୍ଷରୁ ଉର୍ଦ୍ଧ୍ବ ଉପଭୋକ୍ତା
  • ସମଗ୍ର ଦକ୍ଷିଣ ଓଡିଶାରେ ୮ ସିଆରସି କେନ୍ଦ୍ର ଉପଭୋକ୍ତାଙ୍କୁ ସେବା ଯୋଗାଉଛି

ଉମେରକୋଟ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ନୂତନ ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆରସି) ଉଦଘାଟିତ ହୋଇଛି। ଗ୍ରାହକ କୈନ୍ଦ୍ରିକ ସେବାକୁ ପ୍ରାଥମିକତା ଦେଇ ଏବଂ ବିଦ୍ୟୁତ ସେବାକୁ ସୁଦୃଢ଼ କରିବା ପାଇଁ କମ୍ପାନୀ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ବିଶେଷ ଗୁରୁତ୍ୱ ରଖେ। ନୂତନ ସିଆରସି ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗଙ୍କ ଦ୍ୱାରା ଉଦଘାଟିତ ହୋଇଛି। ଏହି ଅବସରରେ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ନୂତନ ଭାବେ ଉଦଘାଟିତ ହୋଇଥିବା ସିଆରସି ପ୍ରାୟ ୧.୨ଲକ୍ଷରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କୁ ସେବା ଯୋଗାଇବ। ଉମରକୋଟ ମ୍ୟୁନିସିପାଲଟି, ଉମରକୋଟ, ଝରିଗାଁ, ରାଇଘର ଏବଂ ଚନ୍ଦାହାଣ୍ଡି ବ୍ଲକର ଉପଭୋକ୍ତାମାନେ ଏଥିରୁ ଉପକୃତ ହେବେ। ପ୍ରାୟ ୨,୫୦୦ ବର୍ଗ କିଲୋମିଟରର ବ୍ୟାପ୍ତ ଥିବା ସେବା କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା ଏହି କେନ୍ଦ୍ରଟି ଗ୍ରାହକଙ୍କ ସମସ୍ୟାର ଦ୍ରୁତ ସମାଧାନ, ଭରସାଯୋଗ୍ୟ ବିଦ୍ୟୁତ ସେବା ଏବଂ ଗ୍ରାହକ-ଅନୁକୂଳ ସେବା ସୁନିଶ୍ଚିତ କରିବା ପାଇଁ ଡିଜାଇନ୍ କରାଯାଇଛି। ଏଥିରେ ଦୁଇଟି ବିଲିଂ କାଉଣ୍ଟର ଏବଂ ତିନୋଟି ଅଭିଯୋଗ ସମାଧାନ କାଉଣ୍ଟର ରହିଛି, ଯାହା ଗ୍ରାହକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେବା ସହିତ ସହାୟତା କ୍ଷେତ୍ରରେ ବିଶେଷ ଭାବେ ସହାୟକ ହେବ।

ନୂତନ ସିଆରସି କେନ୍ଦ୍ରରେ ବିଦ୍ୟୁତ ବିଲ୍ ପୈଠ, ଅଭିଯୋଗ ପଞ୍ଜୀକରଣ, ଡିଜିଟାଲ ମାଧ୍ୟମରେ ଦେଣନେଣକୁ ପ୍ରୋତ୍ସାହନ ଏବଂ ବିଦ୍ୟୁତ ସେବା ଯୋଗାଣ ଓ ଗ୍ରାହକ ସେବା ସମ୍ବନ୍ଧୀୟ ଯେକୌଣସି ସୂଚନା ଉପଭୋକ୍ତାମାନେ ସହଜରେ ପାଇପାରିବେ। ବିଦ୍ୟୁତ ଭଳି ଏକ ମୌଳିକ ଆବଶ୍ୟକତା ପାଇଁ ଏବେ ସାଧାରଣ ଲୋକଙ୍କୁ ଦୂରନ୍ତ ଅଞ୍ଚଳକୁ ଯିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ସମସ୍ତ ସୁବିଧା ଏହି ସିଆରସି କେନ୍ଦ୍ରରେ ଉପଲବ୍ଧ ହୋଇପାରିବ।

ଏହି ଅବସରରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଉମରକୋଟଠାରେ ନୂତନ କରି ସିଆରସି କେନ୍ଦ୍ର ହେବା ଆମର ଗୁଣାତ୍ମକ ସେବାଗୁଡ଼ିକୁ ଗ୍ରାହକଙ୍କ ନିକଟକୁ ଆଣିବାରେ ବିଶେଷକରି, ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରେ ପହଞ୍ଚାଇବା ପାଇଁ ଟିପିଏସ୍ଓଡିଏଲର ଥିବା ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ସମଗ୍ର ଦକ୍ଷିଣ ଓଡ଼ିଶାରେ ଆମର ଉପଲବ୍ଧତା, ଗ୍ରାହକଙ୍କ ଭରସାକୁ ଦୃଢ଼ କରିବା ଏବଂ ସମୟାନୁବର୍ତ୍ତୀ ଓ ସ୍ୱଚ୍ଛତାର ସହ ବିଦ୍ୟୁତ ସେବାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ହେଉଛି ଆମର ମୂଳ ଲକ୍ଷ୍ୟ” ।

ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ସ୍ଥାପିତ ନୂତନ ସିଆରସି ଟିପିଏସ୍ଓଡିଏଲ୍ ପକ୍ଷରୁ ୮ମ ସିଆରସି ଅଟେ। ଏହା ପୂର୍ବରୁ ସମଗ୍ର ଦକ୍ଷିଣ ଓଡିଶାରେ କମ୍ପାନୀ ତରଫରୁ ବିଭିନ୍ନ ସ୍ଥାନରେ ଗ୍ରାହକ ସମ୍ପର୍କ କେନ୍ଦ୍ର ରହିଛି । ବ୍ରହ୍ମପୁର, ଆସିକା, ରାୟଗଡ଼ା, ହିଞ୍ଜିଳିକାଟୁ, ଜୟପୁର, ପାରଳାଖେମୁଣ୍ଡି ଏବଂ ମାଲକାନଗିରିରେ ଥିବା ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆରସି) ଉପଭୋକ୍ତାଙ୍କ ସହାୟତା ଏବଂ ଆମର ବିଦ୍ୟୁତ ସେବାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଦିଗରେ କାର୍ଯ୍ୟରତ ଅଛି।

Leave A Reply

Your email address will not be published.