ନୟାଗଡ଼: ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୬ ଜୁଲାଇ ୧ ତାରିଖକୁ ଯୋଗ୍ୟ ଭାବରେ ଗ୍ରହଣ କରାଯାଇ ନୟାଗଡ଼ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି । ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ରୋଜିନା ଦାଶ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ସମେତ ପ୍ରମୁଖ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା ତଥା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶ, ବିଜେଡି ପକ୍ଷରୁ ଗଙ୍ଗାଧର ପଣ୍ଡା, ବିଜେପି ପକ୍ଷରୁ ନସିର ଅହମ୍ମଦ ଉପସ୍ଥିତ ଥିଲେ।
ଚଳିତ ଜୁଲାଇ ୫ରେ ପ୍ରକାଶିତ ଚିଠା ଭୋଟର ତାଲିକାରେ ନୟାଗଡ଼ ଜିଲ୍ଲାରେ ୭ଲକ୍ଷ ୪୦ହଜାର ୫୮୪ ଭୋଟର ଥିବା ବେଳେ ଏସଆଇଆର ପ୍ରକ୍ରିୟା ଅନ୍ତର୍ଗତ ବିଭିନ୍ନ ଦାବି ଓ ଆପତ୍ତି ଗୁଡ଼ିକର ଯାଞ୍ଚ ଓ ଶୁଣାଣି ପରେ ୧୧ହଜାର ୯୪୬ ଭୋଟର ଯୋଗ କରାଯାଇଥିବା ବେଳେ ୭୮୮ ଭୋଟରଙ୍କ ନାମ ବାଦ ଦିଆଯାଇଛି ଫଳରେ ଜିଲ୍ଲାର ଚୁଡାନ୍ତ ଭୋଟର ତାଲିକାରେ ୭ଲକ୍ଷ ୫୧ହଜାର,୭୪୨ ଭୋଟର ରହିଛନ୍ତି ।
ସୂଚନା ଅନୁଯାୟୀ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଚିଠା ତାଲିକାରେ ୨ଲକ୍ଷ ୯୫୫ ଭୋଟର ଥିବା ବେଳେ ୩ହଜାର୧୫୪ ଜଣଙ୍କୁ ସାମିଲ କରାଯାଇଥିବା ବେଳେ ୨୧୫ ଜଣଙ୍କୁ ବାଦ ଦିଆଯାଇଛି ଫଳରେ ଚୁଡାନ୍ତ ତାଲିକାରେ ୨ଲକ୍ଷ ୩ହଜାର ୮୯୪ ଭୋଟର ରହିଛନ୍ତି । ସେହିପରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଚିଠା ତାଲିକାରେ ୧ଲକ୍ଷ ୭୫ ହଜାର ୫୮୯ ଭୋଟର ଥିବା ବେଳେ ୧ହଜାର ୭୦୯ଜଣଙ୍କୁ ସାମିଲ କରାଯାଇଥିବା ବେଳେ ୭୧ ଜଣଙ୍କୁ ବାଦ ଦିଆଯାଇଛି ଫଳରେ ଚୁଡାନ୍ତ ତାଲିକାରେ ୧ଲକ୍ଷ ୭୭ହଜାର ୨୨୭ ଭୋଟର ରହିଛନ୍ତି । ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଚିଠା ତାଲିକାରେ ୧ଲକ୍ଷ ୭୨ହଜାର ୧୮୩ ଭୋଟର ଥିବା ବେଳେ ୨ ହଜାର ୬୫୯ ଜଣଙ୍କୁ ସାମିଲ କରାଯାଇଥିବା ବେଳେ ୧୦୭ ଜଣଙ୍କୁ ବାଦ ଦିଆଯାଇଛି ଫଳରେ ଚୁଡାନ୍ତ ତାଲିକାରେ ୧ଲକ୍ଷ ୭୪ହଜାର ୭୩୫ ଭୋଟର ରହିଛନ୍ତି । ସେହିପରି ରଣପୁର ନିର୍ବାଚନ ମଣ୍ଡଳୀରେ ଚିଠା ତାଲିକାରେ ୧ଲକ୍ଷ ୯୧ ହଜାର ୮୭୫ଭୋଟର ଥିବା ବେଳେ ୪ ହଜାର ୪୨୪ ଜଣଙ୍କୁ ସାମିଲ କରାଯାଇଥିବା ବେଳେ ୩୯୫ ଜଣଙ୍କୁ ବାଦ ଦିଆଯାଇଛି ଫଳରେ ଚୁଡାନ୍ତ ତାଲିକାରେ ୧ଲକ୍ଷ ୯୫ହଜାର ୮୮୬ ଭୋଟର ରହିଛନ୍ତି । ନୟାଗଡ଼ ଜିଲ୍ଲାରେ ବର୍ତ୍ତମାନ ସର୍ବମୋଟ ୭ଲକ୍ଷ ୫୧ ହଜାର ୭୪୨ ଭୋଟର ଥିବା ବେଳେ ଏହାକୁ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ନିର୍ବାଚନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅନଲାଇନ୍ ମାଧ୍ୟମରେ ୧୫ଦିନ ମଧ୍ୟରେ ଆବେଦନ କରିପାରିବେ ବୋଲି ଜିଲ୍ଲାପାଳ ମଧୁମିତା ରଥ ପରାମର୍ଶ ଦେଇଛନ୍ତି । ସେହିପରି ଜିଲ୍ଲାପାଳ ମଧ୍ୟ ଏକ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି ।
