ବଙ୍ଗୋପସାଗରରେ ଅବପାତ: ଗଭୀର ଅବପାତ ରୂପେ ଉପକୂଳ ଛୁଇଁବ, ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ରେଡ୍ ୱାର୍ଣ୍ଣିଂ ଜାରି, ସରକାରୀ ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଘନୀଭୂତ ହୋଇ ଉପକୂଳ ଆଡ଼କୁ ମୁହାଁଇଛି। ବିଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରି ଆଜି ସକାଳ ୮ଟା ୩୦ ସୁଦ୍ଧା ଅକ୍ଷାଂଶ ୧୭.୯° ଉତ୍ତର ଏବଂ ଦ୍ରାଘିମା ୮୬.୦° ପୂର୍ବ ନିକଟରେ କେନ୍ଦ୍ରୀଭୂତ ହୋଇଛି। ଏହା ଗୋପାଳପୁରର ଦକ୍ଷିଣ-ପୂର୍ବରେ ପ୍ରାୟ ୨୦୦ କିମି, କଳିଙ୍ଗପଟ୍ଟନମର ପୂର୍ବ-ଦକ୍ଷିଣପୂର୍ବରେ ୨୦୦ କିମି, ପୁରୀର ଦକ୍ଷିଣରେ ୨୧୦ କିମି ଏବଂ ବିଶାଖାପାଟଣାର ପୂର୍ବରେ ୨୯୦ କିମି ଦୂରତାରେ ରହିଛି।

ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତ (Deep Depression)ରେ ପରିଣତ ହେବ। ଏହା ଏକ ଗଭୀର ଅବପାତ ରୂପରେ କ୍ରମାଗତ ଭାବେ ଗତି କରି ୨୩ ତାରିଖ ରାତିରୁ ୨୪ ସେପ୍ଟେମ୍ବର ପ୍ରାକ୍ ପ୍ରତ୍ୟୂଷ ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ବର୍ଷା ସତର୍କତା ଓ ରେଡ୍ ୱାର୍ଣ୍ଣିଂ

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୨ ସେପ୍ଟେମ୍ବରରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କେତେକାଂଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୧୩.୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇଠାରେ ସର୍ବାଧିକ ୭୮.୦ ମିମି ବର୍ଷା ହୋଇଛି।

ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ସତର୍କତା:

  • ୨୩-୨୪ ସେପ୍ଟେମ୍ବର: କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲା ପାଇଁ ‘ରେଡ୍ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏଠାରେ ପ୍ରବଳରୁ ଅତି ପ୍ରବଳ ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା (Extremely Heavy Rainfall) ହୋଇପାରେ।
  • ୨୪-୨୫ ସେପ୍ଟେମ୍ବର: କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ପାଇଁ ‘ରେଡ୍ ୱାର୍ଣ୍ଣିଂ’ ବଳବତ୍ତର ରହିବ।
  • ୨୫-୨୬ ସେପ୍ଟେମ୍ବର: ୨୫ ତାରିଖରେ ରାଜ୍ୟର ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ୨୬ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସମୁଦ୍ର ଅଶାନ୍ତ, ପବନର ବେଗ ବୃଦ୍ଧି ଓ ମତ୍ସ୍ୟଜୀବୀଙ୍କୁ ବାରଣ

ଉପକୂଳ ଏବଂ ସମୁଦ୍ର ମଧ୍ୟରେ ବର୍ତ୍ତମାନ ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ପବନ ବହୁଥିବା ବେଳେ ଝଟକା ପବନର ବେଗ ୬୦ କିମି ଛୁଉଁଛି। ଆଜି ସନ୍ଧ୍ୟାରୁ ପବନର ବେଗ ବୃଦ୍ଧି ପାଇ ୫୦-୬୦ କିମି ଏବଂ ଝଟକା ୭୦ କିମି ପର୍ଯ୍ୟନ୍ତ ପହଞ୍ଚିବ। ୨୩ ଓ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ ଘଣ୍ଟାପ୍ରତି ୫୫-୬୫ କିମି ଏବଂ ଝଟକା ପବନ ୭୫ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବା ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ପଶ୍ଚିମ-କେନ୍ଦ୍ରୀୟ, ଉତ୍ତର-ପଶ୍ଚିମ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା, ଆନ୍ଧ୍ରପ୍ରଦେଶ ତଥା ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟକୁ ନ ଯିବାକୁ କଡ଼ା ପରାମର୍ଶ ଦିଆଯାଇଛି।

ନଦୀ ଓ ଜଳାଶୟର ସ୍ଥିତି ନିୟନ୍ତ୍ରଣାଧୀନ

ଜଳସମ୍ପଦ ବିଭାଗର ପ୍ରାତଃକାଳୀନ ବନ୍ୟା ବୁଲେଟିନ୍ ଅନୁଯାୟୀ, ଦକ୍ଷିଣ ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।

  • ଋଷିକୂଲ୍ୟା ନଦୀ: ସୋରଡ଼ାଠାରେ ୭୬.୮୩ ମିଟର (ବିପଦ ସଙ୍କେତ ୮୧.୯୯ ମିଟର), ମାଧବରିଡ଼ାଠାରେ ୫୫.୯୪ ମିଟର (ବିପଦ ସଙ୍କେତ ୬୦.୬୫ ମିଟର) ଓ ପୁରୁଷୋତ୍ତମପୁରଠାରେ ୧୨.୧୮ ମିଟର (ବିପଦ ସଙ୍କେତ ୧୬.୮୪ ମିଟର)।
  • ବଂଶଧାରା ନଦୀ: ଗୁଣୁପୁରଠାରେ ୮୦.୯୩ ମିଟର (ବିପଦ ସଙ୍କେତ ୮୪.୦୦ ମିଟର) ଓ କାଶୀନଗରଠାରେ ୫୨.୯୩ ମିଟର (ବିପଦ ସଙ୍କେତ ୫୪.୬୦ ମିଟର)।ପ୍ରମୁଖ ଜଳାଶୟଗୁଡ଼ିକ ମଧ୍ୟରେ ଉପର ଇନ୍ଦ୍ରାବତୀରେ ୮୩.୬%, ଉପର କୋଲାବରେ ୫୪.୫%, ବାଲିମେଳାରେ ୪୪.୪% ଏବଂ ମାଛକୁଣ୍ଡ (ଜଲାପୁଟ)ରେ ୬୩.୮% ଜଳ ଧାରଣ କ୍ଷମତା ରହିଛି।

ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି: ୩୩ଟି ଓଡ୍ରାଫ୍ ଟିମ୍ ନିୟୋଜିତ

ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC), ଅଗ୍ନିଶମ ସେବା ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ, ଜଳସମ୍ପଦ, ପୋଲିସ ବିଭାଗ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା କରିଛନ୍ତି। ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ଅତ୍ୟାବଶ୍ୟକ ଖାଦ୍ୟ ଓ ସାମଗ୍ରୀ ମହଜୁଦ ଏବଂ ଉଦ୍ଧାରକାରୀ ଦଳକୁ ଆଗୁଆ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଗଜପତି, ରାୟଗଡ଼ା, ଗଞ୍ଜାମ, କୋରାପୁଟ ଏବଂ ମାଲକାନଗିରିର ଭୂସ୍କଳନ ପ୍ରବଣ ପାହାଡ଼ିଆ ଅଞ୍ଚଳ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି।

ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ମୋଟ ୩୩ଟି ଓଡ୍ରାଫ୍ (ODRAF) ଟିମ୍ ନିୟୋଜିତ କରାଯାଇଛି। ଏଥିମଧ୍ୟରୁ ୨୪ଟି ଟିମ୍‌କୁ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ମୁତୟନ କରାଯାଇଛି:

  • ଗଞ୍ଜାମ: ୬ଟି ଟିମ୍
  • କୋରାପୁଟ: ୬ଟି ଟିମ୍
  • ଗଜପତି: ୩ଟି ଟିମ୍
  • ମାଲକାନଗିରି: ୩ଟି ଟିମ୍
  • ରାୟଗଡ଼ା: ୩ଟି ଟିମ୍
  • କଳାହାଣ୍ଡି: ୨ଟି ଟିମ୍
  • ବଲାଙ୍ଗୀର: ୧ଟି ଟିମ୍ଏହା ବ୍ୟତୀତ ଅବଶିଷ୍ଟ ୯ଟି ଓଡ୍ରାଫ୍ ଟିମ୍‌କୁ ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ OSAP ୮ମ ବାଟାଲିୟନରେ ରିଜର୍ଭ ରଖାଯାଇଛି।

ଅଗ୍ନିଶମ ବାହିନୀ ଓ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ଡ୍ୟାମ୍‌ର ଜଳସ୍ତର ଓ ଇନଫ୍ଲୋ ଉପରେ ଜଳସମ୍ପଦ ବିଭାଗ ନିରନ୍ତର ନଜର ରଖିଛି। ସମସ୍ତ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ମୁଖ୍ୟାଳୟ ଛାଡ଼ି ନଯିବାକୁ ନିର୍ଦ୍ଦେଶ ହୋଇଛି। ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ସତର୍କ ରହିବା ସହ ଜଳମଗ୍ନ, ତଳିଆ ତଥା ବିପଦସଙ୍କୁଳ ଅଞ୍ଚଳକୁ ନଯିବାକୁ ଏବଂ ସରକାରୀ ସତର୍କତା ନିର୍ଦ୍ଦେଶାବଳୀ ମାନି ଚଳିବାକୁ ଅନୁରୋଧ କରାଯାଇଛି।

ad-week
Leave A Reply

Your email address will not be published.