
ଯାଜପୁର : ୧୦ ଦଫା ଦାବି ପୂରଣ ଜିଦରେ ଅଟଳ ଓମସା । ଆସନ୍ତା ୫ ତାରିଖରୁ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ଦୁଇ ଘଣ୍ଟିଆ ଓପିଡି ବନ୍ଦ ରହିବ । ଏନେଇ ଓଡ଼ିଶା ମେଡିକାଲ ସେବା ସଂଘ -ଓମସା କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟବ୍ୟାପୀ ସବୁ ସରକାରୀ ମେଡିକାଲରେ ବହିର୍ବିଭାଗ ବିଭାଗ-ଓପିଡି ଘଣ୍ଟିକିଆ ବନ୍ଦ ଜାନୁଆରୀ ୪ ତାରିଖ ଯାଏ ଜାରି ରହିବ ।
ଜାନୁଆରୀ ୫ ତାରିଖରୁ ୧୪ ତାରିଖ ଯାଏ ସକାଳେ ଦୁଇ ଘଣ୍ଟା ଯାଏ ଓପିଡି ବନ୍ଦ କରାଯିବ । ୧୫ ତାରିଖ ସୁଦ୍ଧା ସରକାର ସଂଘର ଦାବି ଉପରେ କୌଣସି ପଦକ୍ଷେପ ନନେଲେ ଉଭୟ ସକାଳ ଓ ଅପରାହଣରେ ଦୁଇ ଘଣ୍ଟାଏ ଲେଖାଏ ଓପିଡି ବନ୍ଦ ରହିବ । ଅର୍ଥାତ ସଂଧ୍ୟାରେ ଆଉ ଓପିଡି ଖୋଲିବ ନାହିଁ । ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ । ଜାନୁଆରୀ ୨୫ କିମ୍ବା ୨୭ ତାରିଖରୁ ସଂପୂର୍ଣ୍ଣ ଭାବେ ରୋଗୀ ଚିକିତ୍ସା ବର୍ଜନ କରାଯିବ ବୋଲି ଓମସା ପକ୍ଷରୁ କୁହାଯାଇଛି । ଖାଲି ପଡ଼ିଥିବା ଡାକ୍ତର ପଦ ପୂରଣ, ଦରମା ବୃଦ୍ଧି, ସ୍ବାସ୍ଥ୍ୟ ବୀମା ଆଦି ୧୦ ଦଫା ଦାବିରେ ଓମସା ପକ୍ଷରୁ ଚଳିତ ମାସ ୨୬ ତାରିଖରୁ ସକାଳେ ଘଣ୍ଟିକିଆ ଓପିଡି ବନ୍ଦ କରାଯାଉଛି ।