ଘନ କୁହୁଡି ପାଇଁ ବିମାନ ସେବା ପ୍ରଭାବିତ, ୫ ବିମାନର ଦିଗ ପରିବର୍ତ୍ତନ

add-all

ଭୁବନେଶ୍ୱର: ନୂଆ ବର୍ଷର ପ୍ରଥମ ଦିନରେ ଘନ କୁହୁଡ଼ିରେ ଘୋଡ଼ାଇ ହୋଇପଡିଥିଲା ରାଜଧାନୀ। ଯାହା ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ଆଉ ଏଥିପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, କମ ଦୃଶ୍ୟମାନତା ଯୋଗୁଁ ୫ଟି ବିମାନର ମାର୍ଗ ପରିବର୍ତ୍ତନ କରାଯାଇଥିଲା। ଏପରିକି ଅନେକ ବିମାନର ଆଗମନ ଏବଂ ପ୍ରସ୍ଥାନରେ ମଧ୍ୟ ଯଥେଷ୍ଟ ବିଳମ୍ବ ହୋଇଥିବା ଜଣାପଡ଼ିଛି। ତିନୋଟି ବିମାନ ରାୟପୁର ଏବଂ ଦୁଇଟି କୋଲକାତାକୁ ଡାଇଭର୍ଟ କରାଯାଇଥିଲା। ପ୍ରଭାବିତ ବିମାନଗୁଡ଼ିକ ମଧ୍ୟରେ ତିନୋଟି ଦିଲ୍ଲୀ, ଗୋଟିଏ ଚେନ୍ନାଇ ଏବଂ ଗୋଟିଏ ବେଙ୍ଗାଲୁରୁରୁ ଆସୁଥିବା ନେଇ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ନିଶ୍ଚିତ କରିଛନ୍ତି।

ସକାଳ ୬.୩୦ମି. ସମୟରେ ରନୱେ ଦୃଶ୍ୟମାନତା ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ତେବେ ଡେରାଡୁନକୁ ସକାଳ ୬ଟାରେ ପ୍ରସ୍ଥାନ କରିବାକୁ ଥିବା ବିମାନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ଉଡ଼ାଣ କରିନଥିଲା। ସେହିପରି ଜୟପୁରକୁ ଏକ ବିମାନ ମଧ୍ୟ ଉଡାଣ କରିବାରେ ବିଳମ୍ବ କରିଥିଲା।

ତେବେ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ସମେତ ଓଡ଼ିଶାର କିଛି ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କତା ଜାରି କରିଛି। ଅପରପକ୍ଷରେ ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ଯିବା ପୂର୍ବରୁ ଏୟାରଲାଇନ୍ସ ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ ବିମାନର ସ୍ଥିତି ଅନୁଧ୍ୟାନ କରିବାକୁ ଅନୁରୋଧ କରାଯାଇଛି।

ad-week
Leave A Reply

Your email address will not be published.