ତାଳଚେରରେ ବଢ଼ୁଛି ପ୍ରଦୂଷଣ, ସ୍ବତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କଲେ ଜିଲ୍ଲାପାଳ

newyr25

ତାଳଚେର: ବାୟୁ ପ୍ରଦୂଷଣକୁ ନେଇ ସାରା ଦେଶ ଚିନ୍ତାରେ ଥିବାବେଳେ ଏବେ ଆସିଛି ଆଉ ଏକ ବଡ଼ ଖବର । ୩୩୨ ଏକ୍ୟୁଆଇ ସହ ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି ତାଳଚେର ।  ଦିନକୁ ଦିନ ତାଳଚେର ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ନେଇ ଅନୁଗୁଳ ଜିଲ୍ଲାପାଳଙ୍କ ପକ୍ଷରୁ ତାଳଚେର ସହର ପାଇଁ  ଏକ ସ୍ବତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କରିଥିବା ଜଣା ପଡ଼ିଛି । ଯେଉଁଥିରେ ତାଳଚେର ପୌରପାଳିକାର ନିର୍ମାଣ କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟାରୁ ସକାଳ ୧୦ ଘଟିକା ପର୍ଯ୍ୟନ୍ତ ନିଷିଦ୍ଧ କରିବା ସହିତ ପୌରପାଳିକା ସୀମାନ୍ତ ମଧ୍ୟରେ କୌଣସି ଘର ଭଙ୍ଗା କିମ୍ବା ମାଟି କାର୍ଯ୍ୟ ନିର୍ମାଣକୁ ନିଷିଦ୍ଧ କରାଯାଇଛି ।

ପୌରପାଳିକା, ଜାତୀୟ ରାଜପଥ ଏବଂ ଖଣି କର୍ତ୍ତୃପକ୍ଷ ଜାତୀୟ ରାଜ ପଥ ଉପରେ ଦିନକୁ ଅତି କମରେ ୩ ଥର ପାଣି ସିଞ୍ଚନ କରିବାକୁ ନିର୍ଦେଶ ଜାରି ହୋଇଛି । ଅନ୍ୟପଟେ ତାଳଚେର ସହର ଭିତରକୁ ଭାରିଯାନ ଟ୍ରକ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ସହିତ ଖୋଲାମେଲା ସ୍ଥାନରେ ଅଳିଆ ଆବର୍ଜନା ଏବଂ ବିଭିନ୍ନ ହୋଟେଲ ଓ ଢ଼ାବା ଗୁଡ଼ିକରେ କୋଇଲା ଚୁଲାରେ ରୋଷେଇ କରିବା ଏବଂ ଖୋଲା ସ୍ଥାନରେ ‌କୋଇଲା ନିଆଁ ଲଗାଇବା ଉପରେ ସମ୍ପୂର୍ଣ୍ଣ ନି‌ଷେଧ ହୋଇଛି । ଅନ୍ୟପଟେ ତାଳେଚେର ଉପଖଣ୍ଡ ଅଧିକାରୀ ଏବଂ ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ଦିନରେ ସମସ୍ତ କୋଇଲା ଏବଂ ପାଉଁଶ ଟ୍ରକ ଚଳାଚଳ ଉପରେ କଟକଣା ଜାରି କରିବା ସହିତ ଜାତୀୟ ରାଜପଥ ୧୪୯ ନମ୍ବରରେ କୌଣସି ଟ୍ରକ ବିନା ପାଲ ଭିଡ଼ାରେ ଯାତାୟତ କରି ପାରିବେ ନାହିଁ ବୋଲି ନି‌ର୍ଦେଶ ଦେଇଛନ୍ତି ।

ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଥିବାରୁ ନିର୍ମାଣ କରୁଥିବା ସଂସ୍ଥା ନିର୍ମାଣ ସ୍ଥାନରେ ପାଣି ସିଞ୍ଜନ କରିବାକୁ ନିର୍ଦେଶ ଦେଇଛନ୍ତି । ଏହି ଜରୁରୀ କାଳିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭା‌ରତୀୟ ନ୍ୟାୟ ସଂହିତାର ଧାରା ୧୬୩(୨) ଅନୁଯାୟୀ ଆଗାମୀ ୭ ଦିନ ପାଇଁ ଏହି ନିୟମ ବଳବତ୍ତର ରହିବାକୁ ନିର୍ଦେଶ ଦିଆଯାଇଛି ।

ପୋଲିସ୍‌ ସହିତ ପୌରପାଳିକା ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଓ ସମସ୍ତ କାର୍ଯ୍ୟ ନିର୍ବାହୀ ସଂସ୍ଥା ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନକ କରିବାକୁ ତାଳଚେର ଉପଖଣ୍ଡ ଅଧିକାରୀ ପ୍ରତ୍ୟକ ଦିନ ତଦାରଖ କରିବା ସହିତ ଏହାର ରିପୋର୍ଟ ଜିଲ୍ଲା କାର୍ଯ୍ୟାଳୟକୁ ପଠାଇବାକୁ ଅନୁଗୁଳ ଜିଲ୍ଲାପାଳ ବିଜ୍ଞପ୍ତି ମାଧ୍ୟମରେ ନିର୍ଦେଶ ଜାରି କରିଥିବା ଜଣା ପଡ଼ିଛି । ତେବେ ଏହି ବିଜ୍ଞପ୍ତି ବାହାରିବା ପରେ ତାଳଚେର ଉପଜିଲ୍ଲାପାଳ ଗତକାଲି ଠାରୁ ଏହାକୁ ତଦାରଖ କରିବା ସହ ପ୍ରଦୂଷଣ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.