
ନୟାଗଡ଼,(ନିସର୍ତ୍ତ) : ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ୱିତୀୟ ସନ୍ଧ୍ୟା ଦର୍ଶକମାନଙ୍କ ପାଇଁ ଏକ ସ୍ମରଣୀୟ ଓ ଆନନ୍ଦମୟ ଅନୁଭୂତି ନେଇଆସିଲା। ଆଲୋକ, ସଙ୍ଗୀତ ଓ ସଂସ୍କୃତିର ସମନ୍ୱୟରେ ସମଗ୍ର ପରିବେଶ ଉତ୍ସବମୟ ହୋଇଉଠିଥିଲା । ସନ୍ଧ୍ୟାର କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକନୃତ୍ୟ, ଲୋକସଙ୍ଗୀତ, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ସ୍ଥାନୀୟ କଳାକାରଙ୍କ ସହିତ ଆମନ୍ତ୍ରିତ ଶିଳ୍ପୀମାନଙ୍କ ପ୍ରଦର୍ଶନୀ ମଞ୍ଚକୁ ଆହୁରି ଜୀବନ୍ତ କରିଥିଲା। ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ଶହୀଦ ରଘୁନାଥ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଉତ୍ସାର୍ଗୀକୃତ କରାଯାଇଛି | ଦର୍ଶକମାନଙ୍କ ଭିଡ଼ ଓ ଉତ୍ସାହ ମହୋତ୍ସବର ସଫଳତାକୁ ସ୍ପଷ୍ଟ କରିଥିଲା।

ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ କାରିଗରୀ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଖଣି,ଇସ୍ପାତ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ପ୍ରମୁଖ ଯୋଗ ଦେଇଥିଲେ | ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା | ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ମଞ୍ଚ ପରିଚାଳନା କରିବା ସହିତ ସଭାକାର୍ଯ୍ୟ ସଞ୍ଚାଳନ କରିଥିଲେ | ସଭାକାର୍ଯ୍ୟ ପରେ କଟକର ସିଂଘମ ଡ୍ୟାନ୍ସ ଏକାଡେମୀ, ଜଟଣୀର ନୃତ୍ୟଶ୍ରୀ ଡ୍ୟାନ୍ସ ଏକାଡେମୀ, ଭୁବନେଶ୍ଵରର ଆରାଧନା ଡ୍ୟାନ୍ସ ଏକାଡେମୀର ଗୋଟିପୁଅ ନୃତ୍ୟ ଓ ବରଗଡ଼ର ଦୂଲଦୁଲି ସାଂସ୍କୃତିକ କାର୍ଯ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା |