ରଣପୁର ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଣ୍ଟୁ ଛୁରିଆଙ୍କ ସୁରରେ ଜମିଲା ମଞ୍ଚ…

newyr25

ନୟାଗଡ଼,୦୭/୧/୨୫(ନିସର୍ତ୍ତ) ରଣପୁର ମହୋତ୍ସବର ତୃତୀୟ ସନ୍ଧ୍ୟାରେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ,ଐତିହାସିକ ସ୍ମୃତି ଓ ସଙ୍ଗୀତର ମାୟାରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରୂପେ ଐତିହାସିକ ରଣପୁରଗଡ଼ ଫଟୋ ପ୍ରଦର୍ଶନୀ ଦର୍ଶକଙ୍କ ଭାରି ପ୍ରଶଂସା ଅର୍ଜନ କରିଥିଲା।ରଣପୁରର ଗୌରବମୟ ଇତିହାସକୁ ଚିତ୍ରରେ ଦେଖି ଦର୍ଶକମାନେ ଅତୀତ ସ୍ମୃତିରେ ବିମୋହିତ ହୋଇଥିଲେ ।ମହୋତ୍ସବର ତୃତୀୟ ସନ୍ଧ୍ୟା ଶହୀଦ ଦିବାକର ପରିଡାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

କରାଯାଇଥିଲା ।ଅପରାହ୍ନରେ ଆୟୋଜିତ ମୁକ୍ତମଞ୍ଚ କୁଇଜ୍ କାର୍ଯ୍ୟକ୍ରମ ବୁଦ୍ଧିମତା ଓ ଉତ୍ସାହର ସୁନ୍ଦର ସମ୍ମିଶ୍ରଣ ରୂପେ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମକୁ ଆଇନଜୀବୀ ତଥା ସାହିତ୍ୟିକ ଚନ୍ଦ୍ରବିଜୟୀ ମିଶ୍ର ପରିଚାଳନା କରିଥିବା ବେଳେ ଅତିଥି ଭାବେ ଆଇନଜୀବୀ ପ୍ରିୟବ୍ରତ ପ୍ରହରାଜ,ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର,ଜ୍ୟୋତି ରଞ୍ଜନ ଦାଶ,ଚିତ୍ତରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ରହି ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ମେଡାଲ ପ୍ରଦାନ କରି ପୁରସ୍କୃତ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ଭବ୍ୟ ସଭାରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଚିକିଟି ବିଧାନସଭା କ୍ଷେତ୍ରର ବିଧାୟକ

ମନୋରଞ୍ଜନ ଦ୍ୟାନ୍ ସାମନ୍ତରାୟ,ନୟାଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଁ.ଦେବାଶିଷ ପଟ୍ଟନାୟକ, କନ୍ଧମାଳର ପୂର୍ବତନ ସାଂସଦ ତଥା ସମାଜସେବୀ ପ୍ରତ୍ୟୁଶା ରାଜେଶ୍ଵରୀ ସିଂ, ଜିଲ୍ଲା ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ,ରଣପୁର ପଞ୍ଚାୟତ ସମିତି ଅଧ୍ଯକ୍ଷା ନିର୍ମଳା ବେହେରା ଓ ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ସଭାକାର୍ଯ୍ୟ ଓ ମଞ୍ଚ ପରିଚାଳନା କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାହାଣ୍ଡିର ପଶ୍ଚିମକିରଣ ସାଂସ୍କୃତିକ ଅନୁଷ୍ଠାନ,ଗଞ୍ଜାମର ଚୈତନ୍ୟ ମୃଦଙ୍ଗ ସଂଘ ସହିତ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲୋକନୃତ୍ୟ ଦର୍ଶକଙ୍କୁ ଆନନ୍ଦିତ କରିଥିଲା । ବିଶେଷକରି ନରସିଂହପୁର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ବେଶ ଆକର୍ଷିତ କରିଥିଲା। ରାତିରେ ପ୍ରସିଦ୍ଧ ଗାୟକ ମଣ୍ଡୁ ଛୁରିଆ , ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ ଓ ତାଙ୍କ ଟିମ୍ ଙ୍କ ଦ୍ଵାରା ମେଲୋଡି କାର୍ଯ୍ୟକ୍ରମ ସମଗ୍ର ପରିବେଶକୁ ସଙ୍ଗୀତମୟ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ମଞ୍ଚ ସହିତ ବାନ୍ଧି ରଖିଥିଲା ।ଏହି ଅବସରରେ ମହୋତ୍ସବ କମିଟି ତରଫରୁ ଜଣାଇ ଦିଆଯାଇଛି ଯେ,ଚତୁର୍ଥ ଦିବସରେ ପରିବହନ ବିଭାଗର ସହଯୋଗରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ପଞ୍ଚୁଦୋଳ ପଡିଆଠାରୁ ସ୍କୁଲ ଛକ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ସ୍କୁଲ-କଲେଜର ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କୁ ଯୋଗଦେବାକୁ ଆହ୍ବାନ କରାଯାଇଛି ।

Leave A Reply

Your email address will not be published.