ନାବାଳିକା ବିବାହ ପ୍ରତି ଆଖି ବୁଜି ଦେଇଛି ଶିଶୁ ସୁରକ୍ଷା ବିଭାଗ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲାରେ ନାବାଳିକା ବିବାହ ଏକ ବ୍ୟାଧିରେ ପରିଣତ ହୋଇଛି ।ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦୀର୍ଘ ଦିନ ଧରି ଏ ଦିଗରେ କାର୍ଯ୍ୟ କରୁଥିଲେ ମଧ୍ୟ ଏଥିରେ କୌଣସି ଲାଭ ମିଳୁନାହିଁ ।ଜିଲ୍ଲାର ବିଭିନ୍ନ ସ୍ଥାନରେ ନାବାଳିକା ବିବାହ ହେଉଛି ।ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ରୋକିବା ପାଇଁ ନାନା ସଚେତନତା କରାଯାଉଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିନାହିଁ ।ଦୀର୍ଘ ବର୍ଷ ଧରି ବାଲ୍ୟ ବିବାହ କ୍ଷେତ୍ରରେ ନୟାଗଡ଼ ଜିଲ୍ଲା ଦ୍ବିତୀୟ କିମ୍ବା ତୃତୀୟ ସ୍ଥାନ ହାସଲ କରି ଆସୁଛି ।ଜାତୀୟ ସ୍ତରରେ ବାଲ୍ୟ ବିବାହ ହାର ୨୧.୬ ପ୍ରତିଶତ ଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ୨୬.୩ ପ୍ରତିଶତ ରହିଛି ।ଆମ ରାଜ୍ୟର ନବରଙ୍ଗପୁର ରେ ସର୍ବାଧିକ ବାଲ୍ୟ ବିବାହ ହେଉଥିବା ବେଳେ ନୟାଗଡ଼ ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି ।ନୟାଗଡ଼ ଜିଲ୍ଲାରେ ବାଲ୍ୟ ବିବାହ ହାର ୩୫.୭ ପ୍ରତିଶତ ରହିଛି ।ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ଏନଜିଓ ତରଫରୁ ବାଲ୍ୟ ବିବାହ ରୋକିବା ପାଇଁ ବହୁ ଅର୍ଥ ବିନିମୟରେ ସଚେତନତା ସୃଷ୍ଟି କରାଯାଉଛି ମାତ୍ର ବାଲ୍ୟ ବିବାହ ବୃଦ୍ଧି ପାଇବାରେ ଲାଗିଛି। ନୟାଗଡ଼ ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା କମ୍ ଥିବା କାରଣରୁ ନାବାଳିକା ବିବାହ ବୃଦ୍ଧି ପାଉଛି ଏବଂ ବୟସ୍କ ପୁଅଙ୍କ ସହିତ ନାବାଳିକା ବିବାହ କରାଯାଉଛି। ଗତ କିଛି ବର୍ଷ କୁ ଲକ୍ଷ୍ୟ କଲେ ପ୍ରତିବର୍ଷ ନାବାଳିକା ବିବାହ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାର ଚାଇଲ୍ଡ ଲାଇନ୍, ପ୍ରଶାସନ ଏବଂ ପୋଲିସ ବିଭାଗର ମିଳିତ ଉଦ୍ୟମରେ ୨୦୧୭-୧୮ ରେ ୧୭ଟି, ୨୦୧୮-୧୯ ରେ ୩୯ଟି, ୨୦୧୯-୨୦ରେ ୪୫ ଟି, ୨୦୨୦-୨୧ ରେ ୯୦ ଟି ନାବାଳିକା ବିବାହକୁ ରୋକା ଯାଇଥିଲା ।ସେହିପରି ୨୦୨୪ ରେ ଶିଶୁ ସୁରକ୍ଷା ବିଭାଗ ତରଫରୁ ୨୦ଟି ଏବଂ ୨୦୨୫ ମସିହାରେ ୩୦ଟି ନାବାଳିକା ବିବାହ ରୋକା ଯାଇଛି। ଗତ ୨୦୨୫ ମସିହାରେ ୭୦ ଟି ନାବାଳିକା ବିବାହ ଅଭିଯୋଗ ଆସିଥିବା ବେଳେ ସେଥିରୁ ମାତ୍ର ୩୦ ଟି ବିବାହ ରୋକା ଯାଇଛି।
ନାବାଳିକା ବିବାହ କରାଉଥିବା ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ସହିତ ମାମଲା ରୁଜ୍ଜୁ କରିବାର ନିୟମ ଥିବା ବେଳେ ଏହାକୁ ଅଣ ଦେଖା କରାଯାଉଥିବାରୁ ନାବାଳିକା ବିବାହ ଜିଲ୍ଲାର ଏକ ପ୍ରମୁଖ ସମସ୍ୟା ।ନାବାଳିକା ବିବାହ ରୋକିବା ପାଇଁ ସ୍ଵତନ୍ତ୍ର ଆକ୍ସନ ପ୍ଲାନ୍ କରିବା ସହିତ ପ୍ରତ୍ୟେକ ମାମଲା ଗୁଡିକରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।ଜିଲ୍ଲାରେ ବୃଦ୍ଧି ପାଉଥିବା ନାବାଳିକା ବିବାହ ବୃଦ୍ଧି ଯୋଗୁଁ ଖୁବ ଶୀଘ୍ର ରାଜ୍ୟର ୧ ନମ୍ବର ଜିଲ୍ଲା ହେବ ବୋଲି ଆଶଙ୍କା କରାଯାଉଛି।ନାବାଳିକା ବିବାହ ଯୋଗୁଁ ନାବାଳିକା ମାତୃତ୍ୱ ବୃଦ୍ଧି ପାଉଛି।

ad-week
Leave A Reply

Your email address will not be published.