
କଲକାତା: କଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଲି ଆରମ୍ଭ କରିଛନ୍ତି । ଇଡି ଚଢାଉକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ଟିଏମସି । ଟିଏମସିର ବରିଷ୍ଠ ନେତା ଓ ଶହ ଶହ କର୍ମୀ, ସମର୍ଥକମାନେ ଏକ ଶୋଭାଯାତ୍ରାରେ ବାହାରି ଇଡିର କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି ।
ଆଜି ସକାଳେ ଦିଲ୍ଲୀରେ ଟିଏମସି ସାଂସଦମାନେ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଶାନ୍ତିପୂର୍ଣ୍ଣ ଧାରଣା ଓ ଇଡିର କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ । ଏହି ସମୟରେ ଦିଲ୍ଳୀ ପୁଲିସ ଟିଏମସି ସାଂସଦଙ୍କୁ ଅଟକ ରଖିଥିଲା । ପ୍ରାୟ ଦୁଇ ଘଣ୍ଟା ଅଟକ ରଖିବା ପରେ ପୁଲିସ ସେମାନଙ୍କୁ ଛାଡିଦେଇଥିଲା ।
ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲକାତାର ଆଇ-ପାକ୍ କମ୍ପାନୀ ଉପରେ ଚଢାଉ କରିଥିଲା । ଏହାର ଖବର ପାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଆଇ-ପାକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହା ମାମଲାକୁ ରାଜନୈତିକ ମୋଡ ଦେଇଥିଲା । ମମତା ବାନାର୍ଜୀ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଲ୍ୟାପଟପ ଧରି କମ୍ପାନୀର କାର୍ଯ୍ୟାଳୟରୁ ପଳାଇ ଆସିଥିଲେ । ଏକ କୋଇଲା ଦୁର୍ନୀତି ମାମଲାର ତଦନ୍ତ କ୍ରମରେ ଇଡି ଗୁରୁବାର ଆଇ-ପାକ୍ ର କଲକାତା ସ୍ଥିତ କାର୍ଯ୍ୟାଳୟ ଓ ଗ୍ରୁପର ସହ ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନ ଉପରେ ଚଢାଉ କରିଥିଲା । ତେବେ ଇଡିର ଏପରି ଚଢାଉକୁ ମମତା ବାନାର୍ଜୀ ବିରୋଧ କରିଛନ୍ତି । ଖାଲି ସେତିକି ନୁହେଁ ମମତା ନିଜେ ପ୍ରତ୍ୟକ୍ଷ ଭାବେ ପ୍ରତୀକ ଜୈନଙ୍କ ବାସଭବନରେ ଉପସ୍ଥିତ ରହି ଇଡିର ଚଢାଉକୁ ରୋକିଥିଲେ । ଏପରି କି ଇଡି ଜବତ କରିଥିବା କାଗଜପତ୍ର ଓ ଇଲେକଟ୍ରୋନିକ ଉପକରଣ ସବୁକୁ ମମତା ଓ ତାଙ୍କ ସହଯୋଗୀମାନେ ଛଡାଇ ନେଇଥିଲେ ।