
ମହାରାଷ୍ଟ୍ର : ମୁମ୍ବାଇର ଗୋଟିଏ ଲୋକାଲ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାଟି ଗତକାଲି ରାତି ପ୍ରାୟ ୮.୩୦ଟା ସମୟରେ କୁର୍ଲା ଏବଂ ବିଦ୍ୟାବିହାର ଷ୍ଟେସନରେ ଘଟିଥିବା ଜଣାପଡିଛି । କିନ୍ତୁ ସୌଭାଗ୍ୟବସତଃ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ହୋଇନାହିଁ ।
ସୂଚନାନୁଯାୟୀ, କୁର୍ଲା ଏବଂ ବିଦ୍ୟାବିହାର ରେଳ ଷ୍ଟେସନ ମଧ୍ୟରେ ଅଳିଆ ବୋଝେଇ ଏକ ଲୋକାଲ୍ ଟ୍ରେନର ଦ୍ୱିତୀୟ କୋଚରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ପରେ କେନ୍ଦ୍ରୀୟ ରେଲୱେର ଲୋକାଲ୍ ସେବା ଗମ୍ଭୀର ଭାବରେ ପ୍ରଭାବିତ ହୋଇଥିଲା । ଯାହା ଫଳରେ ଅନେକ ଟ୍ରେନ୍ ମଧ୍ୟ ଅଟକି ରହିଥିଲା । ଏଥିସହିତ ଏହି ସମୟ ମଧ୍ୟରେ କେନ୍ଦ୍ରୀୟ ରେଳବାଇର ବିଦ୍ୟାବିହାର ରେଳ ଷ୍ଟେସନରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଆଡ଼କୁ ଧୀର ଲୋକାଲ୍ ଟ୍ରେନ୍ ଚଳାଚଳ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ ଘାଟକୋପର ଏବଂ ସିଓନ ଷ୍ଟେସନ ମଧ୍ୟରେ ଓଭରହେଡ୍ ତାରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ କରିଦେଇଥିଲା । ରାତି ପ୍ରାୟ ୯ଟାରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।
ଅନ୍ୟପଟେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । ଘଟଣାର ପ୍ରଭାବ ପରେ ଅନେକ ଲୋକାଲ ଟ୍ରେନ୍ ଏବେ ବି ବିଳମ୍ବରେ ଚାଲୁଛି । ଯେଉଁଥି ପାଇଁ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।