
କଲକାତା: ଆଇ-ପାକ୍ କାର୍ଯ୍ୟାଳୟରେ ଇଡି ଚଢାଉ ନେଇ ଶୁଣାଣି ବେଳେ କଲକାତା ହାଇକୋର୍ଟରେ ପ୍ରବଳ ହଙ୍ଗାମା ହୋଇଛି । ପ୍ରବଳ ଭିଡ଼ ଓ ହଙ୍ଗାମା ପାଇଁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ । ଆସନ୍ତା ୧୪ ତାରିଖକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ । ଅନ୍ୟ ଏକ ବେଞ୍ଚରେ ଜରୁରୀ ଶୁଣାଣି ପାଇଁ ଇଡି ଆବେଦନ କରିଛି । ଗତକାଲି ଇଡି ଚଢାଉକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଶାଳ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ ସମର୍ଥକଙ୍କ ସହ ମମତା ନାରାବାଜି ଦେଇଛନ୍ତି । କେନ୍ଦ୍ର ସରକାର କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ମମତା ।
ପଶ୍ଚିମବଙ୍ଗରେ ଆଇ ପ୍ୟାକ୍ ଅଫିସ ଉପରେ ଇଡି ଚଢାଉକୁ ବିରୋଧ କରି ଟିଏମସି ସାଂସଦ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଫିସ ଆଗରେ ପ୍ରଦର୍ଶନ କରିଥିଲେ । ଗୃହ ମନ୍ତ୍ରଣାଳୟ ବାହାରେ ଧାରଣା ଦେଉଥିବା ଟିଏମସି ସାଂସଦକୁ ପୁଲିସ ଅଟକ ରଖି ଛାଡି ଦେଇଛି । ଏମାନଙ୍କ ଭିତରେ ଶତାବ୍ଦୀ ରାୟ, ମହୁଆ ମଇତ୍ରା, ବାପି ହଲଦର, ସାକେତ ଗୋଖଲେ, ପ୍ରତିମା ମଣ୍ଡଳ, କୀର୍ତ୍ତି ଆଜାଦ ଏବଂ ଡ. ଶର୍ମିଳା ସାମିଲ ରହିଥିଲେ । ଦିଲ୍ଲୀରେ ଗୃହମନ୍ତ୍ରୀଙ୍କ ଅଫିସ୍ ବାହାରେ ଆଜି ଟିଏମସି ନେତାମାନେ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ଗଣତନ୍ତ୍ରକୁ ମୋଡ଼ି ମକଚି ଦିଆଯାଉଛି ବୋଲି ନାରାବାଜି କରିବା ସହିତ ଟିଏମସି ସାଂସଦମାନେ ପ୍ରତିବାଦ କରିଥିଲେ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରୀୟ ଏଜେନ୍ସି ତୃଣମୂଳ କଂଗ୍ରେସ ଦଳର ଦସ୍ତାବିଜ ଚୋରି କରିଥିବା ଅଭିଯୋଗ କରିଥିଲେ । ଅପରପକ୍ଷେ ମମତା ବଳପୂର୍ବକ ଇଡି ଜବତ କରିଥିବା ଓ ମନିଲଣ୍ଡରିଂର ପ୍ରମାଣ ଥିବା ଦସ୍ତାବିଜ, ହାର୍ଡଡିସ୍କ ଆଦି ଛଡ଼ାଇ ନେଇଥିବା ଇଡି ଅଭିଯୋଗ କରିଥିଲା । ପରେ ମମତା ବାନାର୍ଜୀଙ୍କ ବିରୋଧରେ ଇଡି ଓ ଇଡି ବିରୋଧରେ ତୃଣମୂଳ କଂଗ୍ରେସ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।