

୯ ଲକ୍ଷ ୨୪ ହଜାର ଟଙ୍କା ସହ ୨୬ ଜୁଆଡ଼ିକୁ ଗିରଫ କଲା ପୁଲିସ
ବ୍ରହ୍ମପୁର,୧୧/୧: ସୂଚନା ଅନୁଯାୟୀ ଦୀର୍ଘ ଦିନ ହେଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କରପଡ଼ା ଗ୍ରାମ ନିକଟସ୍ଥ ଘଂଚ ଜଙ୍ଗଲ ମଧ୍ୟରେ ଚାଲିଥିଲା ଜୁଆ ଆଡ୍ଡା । ଖବର ପାଇ ବ୍ରହ୍ମପୁର ପୁଲିସ ରବିବାର ସନ୍ଧ୍ୟା ସମୟରେ ଅତର୍କିତ ଭାବେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା ଏବଂ ୨୬ଜଣ ଜୁଆଡ଼ିକୁ କାବୁ କରିବାରେ ସଫଳ ହୋଇଥିଲା । ସେଠାରେ ୯ଲକ୍ଷ ୨୪ ହଜାର ଟଙ୍କା, ୩୨ଟି ମୋବାଇଲ ଫୋନ, ୧୨ଟି ମୋଟର ସାଇକେଲ, ଗୋଟିଏ କାର ଏବଂ ୧୮ ପକେଟ ତାସ ଜବତ କରିଛି । ତେବେ ଏତେବଡ଼ ଜୁଆ ଆଡ୍ଡା ଚାଲିଥିବା ବେଳେ କାହିଁକି ସୂଚନା ପାଇନଥିଲା ଦିଗପହଣ୍ଡି ଥାନା ପୁଲିସ । ଏତେବଡ଼ ଜୁଆ ଆଡ୍ଡା କେବେଠାରୁ ଚାଲିଥିଲା ଏବଂ ଏହାକୁ କିଏ ଚଲାଉଥିଲା ତାହା ପୁଲିସ ପକ୍ଷରୁ ଏଯାବତ ସ୍ପଷ୍ଟ କରାଯାଇ ନାହିଁ । ଏନେଇ କାହିଁକି ଟେର ପାଉନଥିଲା ଦିଗପହଣ୍ଡି ଥାନା ପୁଲିସ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି , ନା ସଲା ସୁତରା ଚାଲିଥିଲା ଜୁଆ ଆଡ୍ଡା। ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଏହି ଜୁଆ ଆଡ୍ଡାକୁ ଚଲାଉଥିବା ନେଇ ସୂଚନା ମିଳିଥିବା ବେଳେ ପୁଲିସ କିପରି ନାଇରେ ତେଲ ମାରି ଚୁପ ବସିଥିଲା ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟୀ କରିଛି । ଏନେଇ ପୁଲିସ ଥାନାରେ ୧୨/୨୬ରେ ଏକ ମାମଲା ରୁଜୁ କରି ସମସ୍ତ ୨୬ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ କରିଥିବା ଏସ୍ପି ଡ଼ାକ୍ତର ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।
