ଗଞ୍ଜାମରେ ଚାଲିବ ୫୦ ଅତ୍ୟାଧୁନିକ ଇ-ବସ, ବ୍ରହ୍ମପୁରରେ ୨୫ ଓ ଛତ୍ରପୁରରେ ୨୫…

newyr25

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୨୫ ନୂତନ ଇ-ବସର ଶୁଭାରମ୍ଭ

ଦୁର୍ଘଟଣା ରୋକିବା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ

ଦୁର୍ଘଟଣା ପ୍ରବଣ ସ୍ଥାନରେ ଲାଗିଛି ୭; ଆଉ ଲାଗିବ ୧୮ ଏ ଏନ ପି ଆର କ୍ୟାମେରା

୧୫ ହଜାର ଗାଡିଚାଳକଙ୍କୁ ଦିଆଯାଇସାରିଛି ପ୍ରଶିକ୍ଷଣ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପରିବହନ ପାଇଁ ଆଜି ଏକ ସ୍ୱର୍ଣ୍ଣିମ ଦିନ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଆଭାସି ମାଧ୍ୟମରେ ବ୍ରହ୍ମପୁର ସହରର ହଳଦିଆପଦର ସ୍ଥିତ ଅତ୍ୟାଧୁନିକ ବସ୍‌ ଡିପୋରୁ ୨୫ଟି ନୂତନ ଇ-ବସ୍‌ର ଶୁଭାରମ୍ଭ କରିଛନ୍ତି । ଏହି ସ୍ୱତନ୍ତ୍ର ବସ୍‌ ଗୁଡ଼ିକ ୩୦୦, ୩୦୧, ୩୦୨, ୩୦୩, ୩୦୩(ଇ) ଏବଂ ୩୦୪ ରୁଟ୍‌ରେ ଚାଲିବ । ସେହିପରି ପରବର୍ତ୍ତୀ ସମୟରେ ଆଉ ୨୫ଟି ନୂତନ ଇ-ବସ୍‌ ଛତ୍ରପୁର ଓ ତା’ର ଆଖପାଖ ଅଞ୍ଚଳରେ ଚାଲିବ । ସେଥି ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଯୋରଦାର ପ୍ରସ୍ତୁତି ଜାରି ରହିଛି ।

ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବସ୍‌ରେ ୯ଟି କ୍ୟାମେରା ଏବଂ ୪ଟି ସେନ୍‌ସର ଖଞ୍ଜା ଯାଇଛି । ଗାଡ଼ି ଷ୍ଟାର୍ଟ କରିବା ପୂର୍ବରୁ ଗାଡ଼ିଚାଳକମାନଙ୍କୁ ବି୍ରଥ୍‌ ଆନାଲାଇଜର ଟେଷ୍ଟ ପାସ୍‌ କରିବାକୁ ପଡ଼ିବ । ନ ହେଲେ ବସ୍‌ ଷ୍ଟାର୍ଟ ହେବ ନାହିଁ । ଗାଡ଼ିଚାଳକ ସଠିକ୍‌ ଗାଡ଼ି ଚାଳନା ନ କଲେ ସତର୍କ ଘଣ୍ଟି ବାଜି ଗାଡ଼ିଚାଳକଙ୍କୁ ତତ୍‌କ୍ଷଣାତ୍‌ ସତର୍କ କରିବ । ଏହି ଶୀତତାପ ନିୟନ୍ତ୍ରିତ ବସ୍‌ଗୁଡ଼ିକ ଯାତ୍ରୀମାନଙ୍କ ପାଇଁ ବହୁତ ଆନନ୍ଦମୟ ଅନୁଭୂତି ଆଣିଦେବ ।

ଇ-ବସ୍‌ ଶୁଭାରମ୍ଭ ସହିତ ବଡ଼ଗଡ଼ରୁ ମୋହନା ରାସ୍ତା (୮.୨ କିମି) ଏବଂ ବୁଗୁଡ଼ା-ପୋଲସରା ପୂର୍ତ୍ତ ବିଭାଗ ରାସ୍ତାଠାରୁ ସିଂହାସିଟି ଭାୟା ଚିରିକିପଡ଼ା ଶାସନ ରାସ୍ତା (୧୦ କିମି)ର ପ୍ରଶସ୍ତିକରଣ ଏବଂ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ପ୍ରଥମ ପ୍ରକଳ୍ପର ବ୍ୟୟ ଅଟକଳ ୧୩.୪୧ କୋଟି ଟଙ୍କା ରହିଥିବା ବେଳେ ଦ୍ଵିତୀୟ ପ୍ରକଳ୍ପର ବ୍ୟୟ ଅଟକଳ ୨୯.୯୪ କୋଟି ଟଙ୍କା ରହିଛି ।

ହଳଦିଆପଦରରେ ଆୟୋଜିତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲାପାଳ ୱୀ କୀର୍ତ୍ତି ୱାସନ୍‌, ବ୍ରହ୍ମପୁର ମହାନଗର ନିଗମର କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଓ ମାନ୍ୟଗଣ୍ୟ ବ୍ୟକ୍ତି, ଶତାଧିକ ଜନସାଧାରଣ ଯୋଗଦେଇଥିଲେ । ଜିଲ୍ଲାପାଳ ଶ୍ରୀ ୱାସନ୍‌ ଗଞ୍ଜାମ ଜିଲ୍ଲାରେ ଦୁର୍ଘଟଣା ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସୂଚନାଯୋଗ୍ୟ ଯେ, ଜିଲ୍ଲାର ୧୦ଟି ଦୁର୍ଘଟଣାପ୍ରବଣ ସ୍ଥାନକୁ ଚିହ୍ନଟ କରାଯାଇ ଶୂନ୍ୟ ମୃତାହତ ସ୍ଥାନ ରୂପେ ପରିଣତ କରିବା ପାଇଁ ବ୍ୟାରିକେଡ୍‌, ସଚେତନତା ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଶୂନ୍ୟ ମୃତାହତ ଜିଲ୍ଲା (ଜେଡ୍‌ଏଫ୍‌ଡି) କାର୍ଯ୍ୟକ୍ରମ ମାଧ୍ୟମରେ ୫୦ ଜଣ ଟ୍ରାଫିକ୍‌ ୱାଡେନ୍‌ଙ୍କୁ ନିୟୋଜିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ସଡକ ସୁରକ୍ଷା ଆକ୍ସନ୍‌ ପ୍ଲାନ୍‌ ଅନୁଯାୟୀ ୧୧ଟି ଥାନା ସହିତ ମିଳିତ ଏନ୍‌ଫୋର୍ସମେଣ୍ଟ କରାଯାଉଛି । ଆଇଇଏମ୍‌ଏସ୍‌ ବ୍ୟବସ୍ଥା ମାଧ୍ୟମରେ ୨୫ଟି ଦୁର୍ଘଟଣାପ୍ରବଣ ସ୍ଥାନରେ ଏଏନ୍‌ପିଆର୍‌ କ୍ୟାମେରା ମାଧ୍ୟମରେ ଏନ୍‌ଫୋର୍ସମେଣ୍ଟ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ୭ଟି କ୍ୟାମେରା କାର୍ଯ୍ୟକ୍ଷମ ଥିବାବେଳେ ୧୮ଟି କ୍ୟାମେରା ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ । ଜିଲ୍ଲାର ୧୫ ହଜାର ଗାଡ଼ିଚାଳକଙ୍କୁ ଟ୍ରେନିଂ ପ୍ରଦାନ କରାଯାଇଛି ଏବଂ ଅଦ୍ୟାବଧି ୬୬୫ ଜଣ ଗାଡ଼ିଚାଳକ ନିଯୁକ୍ତି ପାଇଛନ୍ତି । ୪୨୧ ଜଣ ଏନ୍‌ସିସି କାଡଟ୍‌ଙ୍କୁ ପ୍ରାଥମିକ ସେବା ଟ୍ରେନିଂ ଦିଆଯାଇଛି । ଗିରିସୋଲାଠାରେ ଟ୍ରକ୍‌ ଟର୍ମିନାଲ୍‌ନିର୍ମାଣ କାର୍ଯ୍ୟ ଶେଷ ହାଇଛି ଏବଂ ଖୁବ୍‌ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ।

Leave A Reply

Your email address will not be published.