
ବ୍ୟାଙ୍କକ : ଥାଇଲାଣ୍ଡରେ ଉତ୍ତର-ପୂର୍ବ ଅଞ୍ଚଳରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୩୦ ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ଆଉ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଟ୍ରେନ କ୍ରେନ୍ ଖସିପଡ଼ିବାରୁ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିଲା । ନାଖୋନ୍ ରତଚାସିମା ପ୍ରୋଭିନ୍ସରେ ବଡ଼ ଟ୍ରେନ୍ ଦୁର୍ଘଟଣା । ରେଲୱେ ପ୍ରକଳ୍ପ କାମରେ ନିୟୋଜିତ କ୍ରେନ୍ ହଠାତ୍ ଉପରୁ ଖସିପଡ଼ିଥିଲା । ଘଟଣା ସ୍ଥଳରେ ଉଦ୍ଧାର କାମ ଜାରି ରହିଛି । ଘଟଣା ବ୍ୟାଙ୍କକ ଠାରୁ ୨୩୦ କିମି ଦୂର ନାଖୋନ୍ ରତଚାସିମା ପ୍ରୋଭିନ୍ସରେ ଘଟିଛି ।
ଖବର ମୁତାବକ, ବ୍ୟାଙ୍କକରୁ ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡକୁ ଯାଉଥିବା ଏକ ଟ୍ରେନ୍ ଗୋଟିଏ ନିର୍ମାଣ କ୍ରେନ୍ ଉପରେ ଖସିପଡ଼ିବାରୁ ଲାଇନଚ୍ୟୁତ ହୋଇଥିଲା । ନାଖୋନ୍ ରାଚାସିମା ପ୍ରଦେଶର ସ୍ଥାନୀୟ ପୋଲିସ ମୁଖ୍ୟ ଥାଚାପୋନ୍ ଚିନାୱଙ୍ଗ କହିଛନ୍ତି, ୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ରୁ ଅଧିକ ଆହତ ହୋଇଛନ୍ତି । ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା ।
ଏକ ହାଇ-ସ୍ପିଡ୍ ରେଳ ପ୍ରକଳ୍ପରେ କାମ କରୁଥିବା କ୍ରେନ୍ ଖସି ପଡ଼ି ଏକ ଅତିକ୍ରମ କରୁଥିବା ଟ୍ରେନ୍ ସହିତ ଧକ୍କା ହୋଇଥିଲା । ଯାହା ଫଳରେ ଏହା ଲାଇନଚ୍ୟୁତ ହୋଇ କିଛି ସମୟ ପାଇଁ ନିଆଁ ଲାଗିଯାଇଥିଲା । ପୋଲିସ କହିଛି, ନିଆଁ ଲିଭାଇ ଦିଆଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରେନ ଉପରେ କ୍ରେନ ଖସିପଡିବାରୁ ଟ୍ରେନର ଛାତ ଭାଙ୍ଗିବା ସହିତ ଝରକା ମଧ୍ୟ ଭାଙ୍ଗିଯାଇଥିଲା । ଅନେକ ଯାତ୍ରୀ ଏହା ତଳେ ଫସିଥିବା ଜଣାପଡିଛି । ମେଡିକାଲ ଟିମ୍ ଏବଂ ଉଦ୍ଧାରକାରୀ ଦଳ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି ।