‘ଇରାନବାସୀଙ୍କ ପାଇଁ ଟ୍ରମ୍ପ ଓ ନେତାନ୍ୟାହୁ ବଡ଼ ଶତ୍ରୁ’

newyr25

ଆମେରିକା : ଇରାନ ଆନ୍ଦୋଳନକାରୀଙ୍କୁ ଟ୍ରମ୍ପଙ୍କ ବଡ଼ ବାର୍ତ୍ତା । ସରକାରୀ ଅନୁଷ୍ଠାନକୁ ଦଖଲ କରନ୍ତୁ, ଆମେ ସାହାଯ୍ୟ ପଠାଉଛୁ । ଟ୍ରମ୍ପଙ୍କ ଏହି ବିସ୍ଫୋରକ ବୟାନ ପରେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ଟ୍ରମ୍ପଙ୍କୁ ଇରାନ କଡ଼ା ଜବାବ ଦେଇଛି । ଇରାନର ଜାତୀୟ ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଟ୍ରମ୍ପଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ଅଲି ଲାରିଜାନୀ ଟ୍ରମ୍ପଙ୍କ ପୋଷ୍ଟର ଉତ୍ତର ଦେଇ ଲେଖିଛନ୍ତି , ଇରାନବାସୀଙ୍କ ପାଇଁ ଟ୍ରମ୍ପ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହେଉଛନ୍ତି ସବୁଠାରୁ ବଡ଼ ଶତ୍ରୁ । ଇରାନବାସୀଙ୍କ ଅସଲ ହତ୍ୟାକାରୀଙ୍କ ନାମ ଘୋଷଣା କରୁଛୁ । ଯେଉଁଥିରେ ୧ ନମ୍ବରରେ ଟ୍ରମ୍ପ ଓ ୨ନମ୍ବରରେ ନେତାନ୍ୟାହୁ ଅଛନ୍ତି । ଆମେରିକା ଏବଂ ଇସ୍ରାଏଲ ଇରାନରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଏବଂ ଏହି ଦୁଇ ଦେଶର ଉସୁକାଇବା ଯୋଗୁଁ ହିଁ ଇରାନରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି ।

ଏହାରି ମଧ୍ୟରେ ଇରାନର ଶାସନ ପରିବର୍ତ୍ତନ ପାଇଁ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ବିସ୍ଫୋରକ ମୋଡ଼ ନେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସରକାରଙ୍କ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି । ଇରାନର ଆନ୍ଦୋଳନକାରୀଙ୍କୁ ସିଧାସଳଖ ସମର୍ଥନ ଜଣାଇ କହିଛନ୍ତି, ପ୍ରତିବାଦ ଜାରି ରଖନ୍ତୁ ଓ ସରକାରୀ ଅନୁଷ୍ଠାନଗୁଡ଼ିକୁ ନିଜ ଦଖଲକୁ ନିଅନ୍ତୁ । ଆମେରିକା ପକ୍ଷରୁ ସେମାନଙ୍କ ପାଇଁ ଖୁବଶୀଘ୍ର ସାହାଯ୍ୟ ପହଞ୍ଚିବାକୁ ଯାଉଛି ବୋଲି ଟ୍ରମ୍ପ ତାଙ୍କ ‘ଟ୍ରୁଥ୍ ସୋସିଆଲ୍’ ପ୍ଲାଟଫର୍ମରେ ଲେଖିଛନ୍ତି । ଏହାକୁ ନେଇ ଲାରିଜାନୀ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି, ଇରାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ଦ୍ୱାରା ସମଗ୍ର ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହେବ । ଏହା ଆମେରିକାର ସ୍ୱାର୍ଥ ପାଇଁ କ୍ଷତିକାରକ ହେବ । ଇରାନର ସେନା ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ବିଭିନ୍ନ ରିପୋର୍ଟ ଅନୁଯାୟୀ, ଇରାନରେ ଚାଲିଥିବା ଏହି ଆନ୍ଦୋଳନରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨,୪୦୦ ଅତିକ୍ରମ କରିଛି । ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀ ପରି ଦେଶଗୁଡ଼ିକ ଇରାନର ରାଷ୍ଟ୍ରଦୂତଙ୍କୁ ସମନ କରି ଏହି ଦମନଲୀଳାକୁ ବିରୋଧ କରିଛନ୍ତି ।

Leave A Reply

Your email address will not be published.