
ଦକ୍ଷିଣ ଓଡ଼ିଶାରେ ଗ୍ରାମାଞ୍ଚଳ ବିଜୁଳି ଯୋଗାଣ କ୍ଷେତ୍ରରେ ଟିପିଏସ୍ଓଡିଏଲର ଉତ୍କର୍ଷ ପ୍ରଦର୍ଶନ
ବ୍ରହ୍ମପୁର, ଜାନୁଆରୀ- ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍)କୁ ଗ୍ରାମୀଣ ବିଦ୍ୟୁତ ବିତରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟାଇମ୍ସ ବିଜନେସ୍ ଆଓ୍ୱାର୍ଡ ମିଳିଛି । ‘ଦି ଟାଇମ୍ସ ଇଣ୍ଡିଆ ଗ୍ରୁପ୍’ ଦ୍ୱାରା ଭୁବନେଶ୍ୱରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ସମଗ୍ର ଦକ୍ଷିଣ ଓଡ଼ିଶାରେ ଗ୍ରାମୀଣ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଟିପିଏସ୍ଓଡିଏଲର ନିରନ୍ତର ଓ ପ୍ରଭାବଶାଳୀ ପ୍ରୟାସକୁ ଏହି ପୁରସ୍କାର ସ୍ୱୀକୃତି ପ୍ରଦାନ କରିଛି ।
ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ସେବା ଯୋଗାଉଛି । ବିଜୁଳି ଯୋଗାଣ କ୍ଷେତ୍ରର ସିଂହ ଭାଗ ଦୁର୍ଗମ ଜଙ୍ଗଲ ଓ ପାହାଡ଼ ଘେରା ଅଞ୍ଚଳ ହୋଇଥିଲେ ସୁଦ୍ଧା କମ୍ପାନୀ ନିର୍ଭରଯୋଗ୍ୟ ତଥା ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ କରିବାରେ ସଫଳ ହୋଇଛି । ଯାହା ସମଗ୍ର ଅଞ୍ଚଳର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି ।
ଜିଲ୍ଲାଗୁଡ଼ିକରେ ଥିବା ଡାକ୍ତରଖାନା, ଅଙ୍ଗନଓ୍ୱାଡ଼ି କେନ୍ଦ୍ର, ଜଳସେଚନ ଭିତ୍ତିଭୂମି, ଶିଳ୍ପ ଓ କ୍ଷୁଦ୍ର ଉଦ୍ୟୋଗକୁ କମ୍ପାନୀ ୨୪ ଘଣ୍ଟିଆ ବିଜୁଳି ସେବା ଯୋଗାଇବାରେ ସମର୍ଥ ହୋଇଛି । ଯାହାଫଳରେ ଅତ୍ୟାବଶ୍ୟକ ସେବା ସଫଳତା ପୂର୍ବକ କାର୍ଯ୍ୟରତ ରହିଥିବା ବେଳେ କୃଷି ଓ ଦୁର୍ଗମ ଅଞ୍ଚଳରେ ଜୀବନଜୀବିକାକୁ ମଧ୍ୟ ପ୍ରୋତ୍ସାହନ ମିଳିପାରୁଛି ।
ଗ୍ରାମୀଣ ବିଜୁଳି ଯୋଗାଣ କ୍ଷେତ୍ରରେ କମ୍ପାନୀର ଏହି ସଫଳତା ପଛରେ ରହିଛି – ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କମ୍ପାନୀର କ୍ରମାଗତ ନିବେଶ । କମ୍ପାନୀ ସ୍କାଡା ପରିଚାଳିତ ରିଅଲ ଟାଇମ୍ ମନିଟରିଂ କରିବା ସହ ଜିଆଇଏସ୍ ସମ୍ୱଳିତ ନେଟଓ୍ୱର୍କ ପ୍ଲାନିଂ ଓ ଡ୍ରୋନ୍ ନିରୀକ୍ଷଣ ଭଳି ଅତ୍ୟାଧୁନିକ ବ୍ୟବସ୍ଥାକୁ ଲାଗୁ କରିଛି । ଏହି ପଦକ୍ଷେପ କାରଣରୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା ସହଜ ହେବା ସହ ବିଜୁଳି ଯୋଗାଣ ବ୍ୟବସ୍ଥା ସୁଦୃଢ଼ ହୋଇଛି ।
ଦେଶର ଅନ୍ୟତମ ବାତ୍ୟା ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ପଶ୍ଚିମ ଓଡ଼ିଶାରେ ଗୁଣାତ୍ମକ ବିଜୁଳି ଯୋଗାଣକୁ ଏକ ଆହ୍ୱାନ ଭାବେ ନେଇ ଟିପିଏସ୍ଓଡିଏଲ୍ ନିଜର ଅହରହ ପ୍ରୟାସ ଜାରି ରଖିଛି ଓ ଗ୍ରାମୀଣ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ କାର୍ଯ୍ୟ ସମ୍ପାଦନ କରୁଛି । ଭୂତଳ କେବଲିଂ, ନୂତନ ପ୍ରାଥମିକ ସବଷ୍ଟେସନ, ଡିଟିଆର ସଂଖ୍ୟା ବୃଦ୍ଧି ଓ ଭୋଲଟେଜ ସମସ୍ୟାର ସମାଧାନ ନିମନ୍ତେ ନୂଆ ଭିତ୍ତିଭୂମିମାନ ସ୍ଥାପନ କରି ବିଜୁଳି ନିରାପତ୍ତା ଓ ଗୁଣବତ୍ତାକୁ ପ୍ରାଧ୍ୟାନ୍ୟ ଦେଉଛି ।
ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ଦକ୍ଷିଣ ଓଡ଼ିଶା ଭଳି ଆହ୍ୱାନପୂର୍ଣ୍ଣ କ୍ଷେତ୍ରରେ ଦଳଗତ ଓ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ ସମ୍ପାଦନ କରିପାରିଥିବାରୁ ଆମକୁ ଏହି ପୁରସ୍କାର ମିଳିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ପାଇଁ ନିର୍ଭରଯୋଗ୍ୟ ବିଜୁଳି ଏକାନ୍ତ ଆବଶ୍ୟକ । ଏହି ପୁରସ୍କାର ତଥା ସ୍ୱୀକୃତି ଦକ୍ଷିଣ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳକୁ ଗୁଣାତ୍ମକ, ସୁରକ୍ଷିତ ତଥା ନିର୍ଭରଯୋଗ୍ୟ ବିଜୁଳି ଯୋଗାଣ ନିମନ୍ତେ ଆମ ସଂକଳ୍ପକୁ ଅଧିକ ସୁଦୃଢ଼ କରିବ ।”