
ନୂଆଦିଲ୍ଲୀ : ଦିଲ୍ଲୀରୁ ବାଗଡୋଗରା ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ । ଯାହା ପରେ ଆତଙ୍କ ସୃଷ୍ଟି କରିଛି । ସୁରକ୍ଷା ପ୍ରୋଟୋକଲ୍ ହିସାବରେ ବିମାନଟିକୁ ତୁରନ୍ତ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ।
ସୂଚନାନୁଯାୟୀ, ବିମାନରେ ୨୨୨ ବୟସ୍କ ଯାତ୍ରୀ ଏବଂ ଆଠ ଜଣ ଶିଶୁ ଥିଲେ । ସେମାନଙ୍କ ସମେତ ଦୁଇ ଜଣ ପାଇଲଟ୍ ଏବଂ ୫ ଜଣ କ୍ରୁ ସଦସ୍ୟ ଥିଲେ । ସେହି ସମୟରେ ଇଣ୍ଡିଗୋ ବିମାନ 6E 6191 ଭିତରେ ଜଣେ କର୍ମଚାରୀଙ୍କୁ ଏକ ଟିସୁ ପେପର ମିଳିଥିଲା । ସେହି ଟିସୁ ପେପରରେ “ବିମାନରେ ବୋମା ଅଛି” ବୋଲି ଲେଖାଯାଇଥିଲା । ନୋଟଟି ଦେଖିବା ପରେ, କ୍ରୁ ସଦସ୍ୟମାନେ ତୁରନ୍ତ ପାଇଲଟଙ୍କୁ ଜଣାଇଥିଲେ ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ସୂଚନା ପାଇବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଯାହା ଦ୍ବାରା ଲକ୍ଷ୍ନୌରେ ବିମାନଟି ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । ଅବତରଣ ପରେ ତୁରନ୍ତ, ବିମାନକୁ ମୁଖ୍ୟ ରନୱେରୁ ବାହାର କରି ଏକ ଆଇସୋଲେସନ୍ ବେକୁ ସ୍ଥାନାନ୍ତର କରାଯାଇଥିଲା । ଏହାରି ମଧ୍ୟରେ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଥିବା କର୍ତ୍ତୁପକ୍ଷ ନିଶ୍ଚିତ କରିଛନ୍ତି ।
ଅନ୍ୟପଟେ ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଏଥିସହ ବୋମା ନିଷ୍କ୍ରିୟକାରୀ ଦଳ ସ୍ଥାନୀୟ ପୋଲିସ ଏବଂ ବିମାନବନ୍ଦର ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏବେ ବିମାନ ଏବଂ ଯାତ୍ରୀମାନଙ୍କ ଲଗେଜଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି ।