ରାଜ୍ୟରେ ବନ୍ଦ ହେଲା ତମାଖୁ ଏବଂ ନିକୋଟିନ୍‌ର ବ୍ୟବହାର, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ

newyr25

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ  ।  ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ ।  ନା ହେବ ଉତ୍ପାଦନ, ନା ହେବ ବିକ୍ରି ।  ଚଳିତବର୍ଷ ଜାନୁୟାରୀ ୨୧ ତାରିଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ଏନେଇ ବିଧିବଦ୍ଧ ବିଜ୍ଞପ୍ତି । ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏହି ନିୟମ ଜାନୁଆରୀ ୨୧ ତାରିଖରୁ ଲାଗୁ ହୋଇଛି ।  ବିକ୍ରି କରୁଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ  ।

ନଜର ପକାନ୍ତୁ ନିଷେଧାଦେଶର ମୁଖ୍ୟ ବିଷୟ ଉପରେ –

ଓଡ଼ିଶାର ପ୍ରାୟ ୪୨% ବୟସ୍କ ବ୍ୟକ୍ତି ଧୂଆଁବିହୀନ ତମାଖୁ ବ୍ୟବହାର କରନ୍ତି, ଯାହା ଜାତୀୟ ହାରଠାରୁ ପ୍ରାୟ ଦୁଇଗୁଣ ।  ଏହାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ, ୨୦୦୬ ଏବଂ ୨୦୧୧ର ନିୟମାବଳୀ ଅନୁଯାୟୀ ଯେକୌଣସି ଖାଦ୍ୟ ପଦାର୍ଥରେ ତମାଖୁ ଏବଂ ନିକୋଟିନ୍‌ର ବ୍ୟବହାରକୁ ନିଷେଧ କରାଯାଇଛି ।  ଏଣୁ, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ହିତ ପାଇଁ ଓଡ଼ିଶା ସରକାର ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି –

୧. ଓଡ଼ିଶା ରାଜ୍ୟରେ ତମାଖୁ କିମ୍ବା ନିକୋଟିନ୍ ମିଶ୍ରିତ ସମସ୍ତ ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବଣ୍ଟନ କିମ୍ବା ବିକ୍ରିକୁ ସଂପୂର୍ଣ୍ଣ ନିଷେଧ କରାଗଲା ।

୨. ଏହି ନିଷେଧାଦେଶ ସମସ୍ତ ଚର୍ବଣକ୍ଷମ କିମ୍ବା ସୁଗନ୍ଧିତ ଖାଦ୍ୟ ପଦାର୍ଥ ପାଇଁ ପ୍ରଯୁଜ୍ୟ ହେବ ।

୩. ଗୁଟଖା, ପାନ ମସଲା କିମ୍ବା ଅନ୍ୟ ଯେକୌଣସି ନାମରେ ବିକ୍ରି ହେଉଥିବା ସୁଗନ୍ଧିତ କିମ୍ବା ଚର୍ବଣକ୍ଷମ ଖାଦ୍ୟ ପଦାର୍ଥ ଉପରେ ଏହି କଟକଣା ଲାଗୁ ହେବ ।

୪. ଯଦି ତମାଖୁ ଏବଂ ପାନ ମସଲା ଅଲଗା ଅଲଗା ପ୍ୟାକେଟରେ ମଧ୍ୟ ବିକ୍ରି କରାଯାଏ, ଯାହାକୁ ଗ୍ରାହକ ସହଜରେ ମିଶାଇ ବ୍ୟବହାର କରିପାରିବେ, ତେବେ ସେହିପରି ବିକ୍ରୟ ମଧ୍ୟ ନିଷିଦ୍ଧ ।  ଏହି ବିଜ୍ଞପ୍ତି ତାରିଖ ୦୩.୦୧.୨୦୧୩ ରେ ଜାରି ହୋଇଥିବା ପୂର୍ବ ବିଜ୍ଞପ୍ତି (ନଂ. ୩୬୭/H) ର ସ୍ଥାନ ନେବ ବୋଲି ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ରେ ପ୍ରକାଶ ପାଇଛି ।

ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ଗୁଟଖା ଓ ପାନମସଲାରେ ବ୍ୟବହୃତ ହେଉଥିବା ତମାଖୁ ଓ ନିକୋଟିନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଜନସାଧାରଣଙ୍କ ବୃହତ୍ତର ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କାମଭମ୍ପତିଙ୍କ ନିର୍ଦ୍ଦେଶକ୍ରମେ ଏହି କଟକଣା ସମ୍ପୂର୍ଣ୍ଣ ରାଜ୍ୟରେ ଲାଗୁ କରାଯାଇଛି । ଏହି ନିର୍ଦ୍ଦେଶନାମା ବିଜ୍ଞପ୍ତି ପ୍ରକାଶ ପରେ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ।

ଯଦି କେହି ଏହି ନିୟମକୁ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ବିଜ୍ଞପ୍ତିରେ ଚେତାବନୀ ଦିଆଯାଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ ସିଗାରେଟ ଓ ଅଦର ଟବାକୋ ପ୍ରଡକ୍ଟ ଆକ୍ଟ ୨୦୦୩ ଅନୁଯାୟୀ ଖୋଲା ସ୍ଥାନରେ ସିଗାରେଟ କି ଗୁଟଖା ସେବନକୁ ବନ୍ଦ କରାଯାଇଛି ।  ଓଡ଼ିଶାରେ ୨୦୧୩ରେ ଏହି ନିୟମ ଲାଗୁ ହୋଇଥିଲା ।

ଏଥର ବିଜେପି ସରକାର ଆସିବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସର୍ଭେ କରିଥିଲେ । ଏଥିରୁ ଜଣାପଡିଲା ଯେ ଓଡ଼ିଶାର ୪୨ ପ୍ରତିଶତ ଲୋକ ତମାଖୁ ସେବନ କରୁଛନ୍ତି । ଯାହା ଜାତୀୟ ହାରଠାରୁ ଦୁଇ ଗୁଣ ଅଧିକ ବୋଲି କହିଛନ୍ତି ମନ୍ତ୍ରୀ । ଏବେ ଏହି ନିୟମକୁ କଡାକଡି ପାଳନ କରାଯାଇ ଦଣ୍ଡବିଧାନ କରାଯିବ । ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଏକ ଟିମ କରି ଏନ୍ଫୋରସମେଣ୍ଟ କରିବେ । ଶିକ୍ଷାନୁଷ୍ଠାନ ପାଖରେ ବିକ୍ରି ହୋଇ ପାରିବ ନାହିଁ କୌଣସି ପ୍ରକାରର ତମ୍ବଖୁ । ଏହା ଦ୍ୱାରା ସରକାର ସଚେତନତା କାର୍ଯ୍ୟକ୍ରମ କରିବେ ବୋଲି କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Leave A Reply

Your email address will not be published.