ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ୬ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

newyr25

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ରାଜଧାନୀ ଦିଲ୍ଲୀ ।  ଆକାଶରୁ ପାତାଳ ଜଗିଛି ପୋଲିସ ।  ସମ୍ଭାବ୍ୟ ଅଘଟଣକୁ ଏଡାଇବାକୁ ଦିଲ୍ଲୀରେ ୬ ସ୍ତରୀୟ ସୁରକ୍ଷା ଚକ୍ରବ୍ୟୂହ ରଚିଛନ୍ତି ସୁରକ୍ଷାକର୍ମୀ ।  କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରୁଛନ୍ତି ।

କେବଳ ଦିଲ୍ଲୀ ପୋଲିସ ନୁହେଁ, ବରଂ CRPF ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ବାହିନୀର ପ୍ରାୟ ୩୦ ହଜାରରୁ ଅଧିକ ଯବାନ କର୍ତ୍ତବ୍ୟ ପଥ ଏବଂ ଇଣ୍ଡିଆ ଗେଟ୍ ଅଞ୍ଚଳରେ ମୁତୟନ ହୋଇଛନ୍ତି ।  ସେହିପରି ଦିଲ୍ଲୀର ପ୍ରତି ଗଳି ଓ ଛକରେ ସଶସ୍ତ୍ର ଯବାନ ପହରା ଦେଉଛନ୍ତି ।  ସେହିପରି ଦିଲ୍ଲୀର ପାଖାପାଖି ୪ ହଜାର କୋଠା ଉପରେ ମଧ୍ୟ ପୋଲିସ ମୁତୟନ ହୋଇଛନ୍ତି ।

ଉଚ୍ଚ କୋଠା ଉପରେ ସାର୍ପ ସୁଟର ଅତ୍ୟାଧୁନିତ ବନ୍ଧୁକ ସହ ପ୍ରସ୍ତୁତ ଅଛନ୍ତି ।  ଯଦି ଆକାଶରେ କୌଣସି ଅଜଣା ଡ୍ରୋନ୍ ଦେଖାଯାଏ, ତାକୁ ତୁରନ୍ତ ଖସାଇବା ପାଇଁ ‘ଆଣ୍ଟି-ଡ୍ରୋନ୍’ ମେସିନ୍ ମଧ୍ୟ ଲଗାଯାଇଛି ।  ସୁରକ୍ଷା ଦୃଷ୍ଟିରୁ ନୂଆ ସଂସଦ ଭବନ ଏବଂ ଆଖପାଖରେ ଚାଲିଥିବା ସମସ୍ତ ନିର୍ମାଣ କାର୍ଯ୍ୟକୁ ସୁରକ୍ଷା ଦୃଷ୍ଟିରୁ ସାମୟିକ ଭାବେ ବନ୍ଦ କରାଯାଇଛି ।  କୌଣସି ଶ୍ରମିକଙ୍କୁ ସେହି ସଂବେଦନଶୀଳ ଅଞ୍ଚଳକୁ ଯିବାକୁ ଅନୁମତି ନାହିଁ ।

ଅନ୍ୟପଟେ ଯେଉଁମାନେ ପରେଡ୍ ଦେଖିବାକୁ ଯିବେ, ସେମାନଙ୍କୁ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୬ଟି ସ୍ତରରେ ଚେକିଂର ସାମନା କରିବାକୁ ପଡ଼ିବ ।  ପ୍ୟାରେଡ୍ ଦେଖିବାକୁ ଯାଉଥିଲେ ବଡ଼ ବ୍ୟାଗ୍, ଲାପଟପ୍, ପାୱାର ବ୍ୟାଙ୍କ୍, କ୍ୟାମେରା ଏବଂ ପାଣି ବୋତଲ ନେବାକୁ ବାରଣ କରାଯାଇଛି ।  କେବଳ ଟିକେଟ୍ କିମ୍ବା ନିମନ୍ତ୍ରଣ ପତ୍ର ଥିବା ବ୍ୟକ୍ତିଙ୍କୁ ହିଁ ପ୍ରବେଶ ଅନୁମତି ମିଳିବ। ଅନ୍ୟପଟେ କୌଣସି ଅଘଟଣ ଘଟିଲେ କଣ କରିବାକୁ ହେବ ସେନେଇ ମକ୍ ଡ୍ରିଲ୍ କରିଛି ପୋଲିସ ।

Leave A Reply

Your email address will not be published.