
ଗିରିଧରପୁର ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଶିକ୍ଷା–ସଂସ୍କୃତି–ପ୍ରତିଭାର ଝଲକ
ନୟାଗଡ଼, ୨୪/୦୧ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କୁଳାସର କ୍ଲଷ୍ଟରର ଗିରିଧରପୁର ପ୍ରାଥମିକ ବିଦ୍ୟାଳୟ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଂଯୁକ୍ତ ବାର୍ଷିକ ଉତ୍ସବ ଶନିବାର ଦିନ ଅତ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହିତ ସଂସ୍କୃତି ଓ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ନିଖିଳ ଉତ୍କଳ ପ୍ରାଥମିକ ମହାସଂଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ ଶିକ୍ଷକ ମାନଙ୍କ ଭୂମିକା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗିନ ବିକାଶ ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଗଡ଼ବାଣିକିଲୋ ଗ୍ରାମପଞ୍ଚାୟତର ସରପଞ୍ଚ ବ୍ରଜମୋହନ ରାଉତରାୟ, ସ୍ୱତନ୍ତ୍ର ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ବ୍ୟଙ୍ଗକବି ଓ “ବୋଲଗଡ଼ ଏକ୍ସପ୍ରେସ” ଭାବେ ପରିଚିତ ଶିକ୍ଷାବିତ୍ ବ୍ରଜବିହାରୀ ସୁବୁଦ୍ଧି, ସମିତିସଭ୍ୟ ରସାନନ୍ଦ ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ।
ସେହିପରି ସମ୍ମାନିତ ଅତିଥି ଭାବେ ଦେଉଳି ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ବିନୟ କୁମାର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଞ୍ଜୟ କୁମାର ବରାଡ଼, ଗିରିଧରପୁର ପ୍ରାଥମିକ ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁର ସଭାପତି ବାସୁଦେବ ମହାପାତ୍ର, ଆଞ୍ଚଳିକ ମଧ୍ୟ ଇଂରାଜୀ ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁର ସଭାପତି ପ୍ରଶାନ୍ତ କୁମାର ବେହେରା ଓ ଗିରିଧରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ମିତାରାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ବଡ଼ପଥୁରିଆ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ଏହି ଅବସରରେ ସାମ୍ବାଦିକ ଓ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଶିକ୍ଷକ–ଶିକ୍ଷୟତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କ୍ଲଷ୍ଟର, ବ୍ଲକ ଓ ଜିଲ୍ଲା ସ୍ତରରେ କୃତିତ୍ୱ ହାସଲ କରି ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଆଗାମୀ ଦିନରେ ଆହୁରି ଭଲ କରିବା ପାଇଁ ଉତ୍ସାହିତ କରାଯାଇଥିଲା।
ଏହି ଉତ୍ସବ ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ ଓ ନାଟକ ସହିତ ବିଭିନ୍ନ ଆକର୍ଷଣୀୟ ଓ ଶିକ୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା। ଏହି ଅବସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଘୋଷଣା କରିଥିଲେ ଯେ ଚଳିତ ବର୍ଷ ଆଲୁମିନି କମିଟି ଦ୍ୱାରା ବିଦ୍ୟାଳୟକୁ ୮୦ ହଜାର ଟଙ୍କା ଅନୁଦାନ ମିଳିଛି। ଗ୍ରାମବାସୀ ଓ ଅଭିଭାବକମାନଙ୍କର ସହଯୋଗ ବିଦ୍ୟାଳୟ ପ୍ରତି ସଦା ରହୁଛି ବୋଲି ସେ କୃତଜ୍ଞତା ପ୍ରକାଶ କରିଥିଲେ।
ସଭାକାର୍ଯ୍ୟ ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ ଓ ନାଟକ ସହିତ ବିଭିନ୍ନ ଆକର୍ଷଣୀୟ ଓ ଶିକ୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ବିଶେଷକରି ବୋଲଗଡ଼ ଏକ୍ସପ୍ରେସ ଶ୍ରୀ ସୁବୁଦ୍ଧିଙ୍କ ବ୍ୟଙ୍ଗାତ୍ମକ କବିତା ଶୈଳୀରେ ପରିଚୟ ପ୍ରଦାନ ସଭାସ୍ଥଳରେ ହାସ୍ୟ ପରିବେଶ ସୃଷ୍ଟି କରି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।