
ଭୁବନେଶ୍ବର: ବଦଳିଲା IAS/IPS କ୍ୟାଡର ନିୟମ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଛି ନୂଆ IAS/IPS କ୍ୟାଡର ବଣ୍ଟନ ନୀତି । ଏହି ନୂତନ ନୀତି ପୂର୍ବରୁ ପ୍ରଚଳିତ ନିୟମଗୁଡ଼ିକୁ ହଟାଇ ୨୦୨୬ ମସିହାର ସିଭିଲ୍ ସର୍ଭିସ ପରୀକ୍ଷା (CSE-2026) ଠାରୁ କାର୍ଯ୍ୟକାରୀ ହେବ । ପ୍ରତିବର୍ଷ ଜାନୁଆରୀ ୧ ସୁଦ୍ଧା କ୍ୟାଡର ନିୟନ୍ତ୍ରଣ କରୁଥିବା ବିଭାଗଗୁଡ଼ିକ ଖାଲିଥିବା ପଦବୀର ତାଲିକା ପ୍ରସ୍ତୁତ କରିବେ । ଏହି ପଦବୀଗୁଡ଼ିକ ଅଣସଂରକ୍ଷିତ , SC, ST, OBC ଏବଂ ନିଜ ରାଜ୍ୟ ଓ ବାହାର ରାଜ୍ୟ ଭାବରେ ବିଭକ୍ତ ହେବ । ଆର୍ଥିକ ଅନଗ୍ରସର ଶ୍ରେଣୀ (EWS) ପାଇଁ ସଂରକ୍ଷିତ ପଦବୀଗୁଡ଼ିକୁ ସାଧାରଣ ପଦବୀର ଏକ ଅଂଶ ଭାବରେ ଗ୍ରହଣ କରାଯିବ ।
ସେହିପରି ରାଜ୍ୟଗୁଡ଼ିକର ଚାରୋଟି ଗ୍ରୁପ୍ ହେବ। ସମସ୍ତ ରାଜ୍ୟ କ୍ୟାଡରକୁ ଅକ୍ଷର କ୍ରମରେ ସଜାଇ ୪ଟି ଗ୍ରୁପରେ ରଖାଯାଇଛି । ଗ୍ରୁପ ୧ରେ AGMUT, ଆନ୍ଧ୍ରପ୍ରଦେଶ, ଆସାମ-ମେଘାଳୟ, ବିହାର ଏବଂ ଛତିଶଗଡ଼ ଅଛନ୍ତି । ଗ୍ରୁପ ୨ରେ ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ ଏବଂ ମଧ୍ୟପ୍ରଦେଶ ଅଛନ୍ତି । ଗ୍ରୁପ ୩ରେ ମହାରାଷ୍ଟ୍ର, ମଣିପୁର, ନାଗାଲାଣ୍ଡ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକିମ ଏବଂ ତାମିଲନାଡୁ । ଗ୍ରୁପ ୪ରେ ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅଛନ୍ତି ।
ଜଣେ ପରୀକ୍ଷାର୍ଥୀ ନିଜ ରାଜ୍ୟରେ କାର୍ଯ୍ୟ କରିବାକୁ ଚାହାନ୍ତି କି ନାହିଁ, ତାହା ତାଙ୍କୁ ସ୍ପଷ୍ଟ ଭାବେ ଜଣାଇବାକୁ ପଡ଼ିବ । ନଚେତ୍ ତାଙ୍କୁ ନିଜ ରାଜ୍ୟ ପାଇଁ ବିଚାର କରାଯିବ ନାହିଁ । ନିଜ ରାଜ୍ୟର ପଦବୀ ବଣ୍ଟନ ପାଇଁ ୧-୨୫, ୨୬-୫୦ ଭଳି ସାଇକେଲ୍ ବ୍ୟବହାର କରାଯିବ । ଯାହାଦ୍ୱାରା ର୍ୟାଙ୍କ୍ ଅନୁସାରେ ପାର୍ଥୀମାନେ ସ୍ଲଟ୍ ପାଇପାରିବେ । ଯଦି ନିଜ ରାଜ୍ୟର ପଦବୀ ପାଇଁ ସେହି ବର୍ଗର ପାର୍ଥୀ ନମିଳନ୍ତି, ତେବେ UR, SC, ST ଏବଂ OBC ମଧ୍ୟରେ ଏକ ଜଟିଳ ଅଦଳବଦଳ ପ୍ରକ୍ରିୟା ମାଧ୍ୟମରେ ପଦବୀ ପୂରଣ କରାଯିବ ।
ନିଜ ରାଜ୍ୟ କ୍ୟାଡର ନମିଳିଲେ ପାର୍ଥୀଙ୍କୁ ରୋଷ୍ଟର ସିଷ୍ଟମ ଅନୁସାରେ ବାହାର ରାଜ୍ୟ ଦିଆଯିବ । ପ୍ରତି ବର୍ଷ ପ୍ରଥମେ ଯେଉଁ ଗ୍ରୁପ୍ ରୁ ବଣ୍ଟନ ଆରମ୍ଭ ହେବ ତାହା ବଦଳିବ । ଯେପରିକି ଚଳିତ ବର୍ଷ ଗ୍ରୁପ୍-୧ ରୁ ଆରମ୍ଭ ହେଲେ ପର ବର୍ଷ ଗ୍ରୁପ୍-୨ ରୁ ଆରମ୍ଭ ହେବ । ଭିନ୍ନକ୍ଷମ (PwBD) ପାର୍ଥୀମାନଙ୍କୁ କ୍ୟାଡର ବଣ୍ଟନରେ ପ୍ରାଥମିକତା ଦିଆଯିବ ଏବଂ ସେମାନେ ନିଜ ହୋମ ଷ୍ଟେଟ୍ ବ୍ୟତୀତ ଅନ୍ୟ କୌଣସି ପସନ୍ଦର ରାଜ୍ୟ ମଧ୍ୟ ବାଛିପାରିବେ ।