
ନୟାଗଡ଼: ଅବକାରୀ ଥାନା ଗୁଡିକରେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଏବେ ଜଟିଳ ପରିସ୍ଥିତି ଦେଖାଦେଇଛି ।ଗତ ସପ୍ତାହରେ ନୟାଗଡ଼ ସଦର ଥାନା ଅଧୀନସ୍ଥ ବୋଦାପଡ଼ା ଗାଁରେ ଅବକାରୀ ବିଭାଗ କର୍ମଚାରୀ ମାନଙ୍କୁ ଯେଉଁଭଳି ଭାବରେ ଆକ୍ରମଣ କରାଗଲା, ଏହାକୁ ନେଇ ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି ।ଦୀର୍ଘଦିନ ଧରି ଅବକାରୀ ବିଭାଗ ଏହି ସମସ୍ୟାରେ ଧନ୍ଦି ହେଉଥିବା ବେଳେ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ ।ଫଳରେ ଜିଲ୍ଲାରେ ଅବକାରୀ ଥାନା ଥାଇ ନଥିବା ପରି ମାନେ ହେଉଛି ।
ନୟାଗଡ଼ ଜିଲ୍ଲାର ଓଡ଼ଗାଁ ରେ ଆଉ ଏକ ଅବକାରୀ ଥାନା ଖୋଲିବା ପାଇଁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।ଜିଲ୍ଲାରୁ ପ୍ରତ୍ୟେକ ସପ୍ତାହରେ ବିପୁଳ ପରିମାଣରେ ଚୋରା ଗଞ୍ଜେଇ, ବ୍ରାଉନସୁଗାର, ଚୋରା ମଦ, କଫ ସିରପ୍ ଜବତ ହେଉଛି।କେନ୍ଦ୍ରାଞ୍ଚଳ ପୋଲିସ ରେଞ୍ଜ ଅଧୀନରେ ଥିବା ନୟାଗଡ଼, ପୁରୀ, କଟକ,କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଓ ଯାଜପୁର ରେ ଚଢ଼ାଉ କୁ ଜୋରଦାର କରାଯାଇଛି । ଗତ ଅକ୍ଟୋବର ମାସ ସୁଦ୍ଧା ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୨୯ ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ୭୧୬.୨୭୫ କିଲୋ ଗଞ୍ଜେଇ ଜବତ କରାଯାଇଛି ।ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ସେହିପରି ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୧୬୯ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।ଜିଲ୍ଲାର ବିଭିନ୍ନ ଥାନା ପୋଲିସ ଯେଉଁ ପରିମାଣରେ ନିଶା ଦ୍ରବ୍ୟ ଜବତ କରୁଛି ଅବକାରୀ ଥାନା ସେହିପରି କାର୍ଯ୍ୟ କରୁ ନଥିବା ଅଭିଯୋଗ ହୋଇଛି ।ଜିଲ୍ଲା ବ୍ୟାପି ଚଢ଼ାଉ କିମ୍ବା ସୀମାରେ ଯାଞ୍ଚ କରିବା ପାଇଁ ଯେତିକି କର୍ମଚାରୀ ଆବଶ୍ୟକ ଏହାର ଅଧା କର୍ମଚାରୀ ରହିଛନ୍ତି ।ନୟାଗଡ଼ ଜିଲ୍ଲାରେ ନୟାଗଡ଼, ରଣପୁର, ଦଶପଲ୍ଲା, ଖଣ୍ଡପଡ଼ାକୁ ମିଶାଇ ୪ଟି ଅବକାରୀ ଥାନା ରହିଛି ।ଜିଲ୍ଲାରେ ଜଣେ ଅଧିକ୍ଷକଙ୍କ ସମେତ ତିନିଜଣ ଇନ୍ସପେକ୍ଟର ରହିବା କଥା ମାତ୍ର ଦୁଇଜଣ ଥାନା ସମ୍ଭାଳିବାକୁ ଥିବା ବେଳେ ଆଉ ଜଣେ ପଟ୍ରୋଲିଂ( ମୋବାଇଲ ୟୁନିଟ) ଦାୟିତ୍ୱରେ ରହୁଛନ୍ତି ।ଜଣେ ଇନ୍ସପେକ୍ଟର ଚଳିତ ମାର୍ଚ୍ଚ ମାସରେ ଅବସର ଗ୍ରହଣ କରିବେ ।ସେହିପରି ଜିଲ୍ଲାରେ ୩୫ ଜଣ ଅବକାରୀ କନେଷ୍ଟବଳ ଆବଶ୍ୟକ ଥିବା ବେଳେ ବର୍ତମାନ ୧୮ ଜଣ କାର୍ଯ୍ୟ କରୁଛନ୍ତି ।ଏହି କର୍ମଚାରୀ ଅଭାବ ଯୋଗୁଁ ବିଭାଗରେ ନାହିଁ ନଥିବା ସମସ୍ୟା ହେଉଛି ।ଏହାକୁ ନେଇ ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ଜ୍ଞାନ ରଞ୍ଜନ ପଣ୍ଡାଙ୍କ ସୂଚନା ଅନୁଯାୟୀ ବିଭାଗକୁ ସୁଦୃଢ କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି ।କର୍ମଚାରୀ ଅଭାବ କଥା ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ।ମାସ ଦୁଇ ମାସ ମଧ୍ୟରେ ଏହାର ସମାଧାନ ହେବ ବୋଲି ଆଶା ରହିଛି ଏବଂ ଓଡ଼ଗାଁ ଠାରେ ଆଉ ଏକ ଅବକାରୀ ଥାନା ଖୋଲିବା ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି।