କୋଲକାତାରେ ୫ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ, ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ

newyr25

ଭୁବନେଶ୍ବର: ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ । କୋଲକାତାର ୫ଜଣ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ ।  ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଡାକ୍ତର ଓ କିଛି ନର୍ସ ଅଛନ୍ତି ।  ସେମାନଙ୍କ ମଧ୍ୟରୁ ଦୁଇ ଜଣ ନର୍ସଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମିଶି ସଂକ୍ରମଣ ରୋକିବାକୁ ଚେଷ୍ଟା କରୁଛନ୍ତି ।  ପ୍ରାୟ ୨ଶହ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖି ସେମାନଙ୍କ ଉପରେ ନଜର ରଖାଯାଇଛି ।  ତେବେ କଣ ଏହି ନିପା ଭାଇରସ ? କଣ ଏହାର ଲକ୍ଷଣ ? ନିପା ଭାଇରସ୍ ଏକ ବିପଜ୍ଜନକ ଭାଇରସ୍ ଯାହା ପଶୁଙ୍କ ଠାରୁ ମଣିଷକୁ ବ୍ୟାପିଥାଏ ।  ଏଥିରେ ମୃତ୍ୟୁ ହେବାର ଆଶଙ୍କା ୪୦% ରୁ ୭୫% ପର୍ଯ୍ୟନ୍ତ ରହିଥାଏ ।

ଏହାର କୌଣସି ନିର୍ଦ୍ଦିଷ୍ଟ ଟିକା ବା ଔଷଧ ଏପର୍ଯ୍ୟନ୍ତ ବାହାରି ନଥିବାରୁ ଆକ୍ରାନ୍ତଙ୍କ ପାଇଁ ବିପଜ୍ଜନକ ।  ଭାଇରସ୍ ସଂସ୍ପର୍ଶରେ ଆସିବାର ୪ ରୁ ୧୪ ଦିନ ମଧ୍ୟରେ ଲକ୍ଷଣ ଦେଖାଦିଏ ।  ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ବାନ୍ତି ଏବଂ ଗଳା କୁଣ୍ଡେଇ ହେବା ଭଳି ପ୍ରାଥମିକ ଲକ୍ଷଣ ଦେଖାଯାଏ । ପରେ ନିଶ୍ୱାସ ନେବାରେ କଷ୍ଟ, ମୁଣ୍ଡ ବୁଲାଇବା, ମାନସିକ ସନ୍ତୁଳନ ହରାଇବା ଏବଂ ବ୍ରେନ୍ ଇନଫେକ୍ସନ ହୋଇ ରୋଗୀ କୋମାକୁ ଚାଲିଯିବାର ଡର ଥାଏ ।

ତେବେ ନିପା ଭାଇରସର କୌଣସି ସ୍ୱତନ୍ତ୍ର ଔଷଧ ନଥିବାରୁ, ଡାକ୍ତରଖାନାରେ ରୋଗୀଙ୍କର ଅବସ୍ଥା ଦେଖି ଚିକିତ୍ସା କରାଯାଏ । ଜ୍ୱର ଓ ଯନ୍ତ୍ରଣା କମାଇବା ପାଇଁ ଔଷଧ ଦେବା, ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ଆଦି ଦିଗକୁ ଚିକିତ୍ସାରେ ଫୋକସ କରାଯାଏ ।  ବାଦୁଡ଼ି ଖାଇଥିବା ବା ଚାଟିଥିବା ଖଜୁରୀ ରସରୁ ଏହା ବ୍ୟାପିବାର ସବୁଠାରୁ ଅଧିକ ଭୟ ଥାଏ।

ଫଳ ଧୋଇକରି ଖାଇବା ସହ ଗଛରୁ ପଡ଼ିଥିବା ବା ପକ୍ଷୀ ଖାଇଥିବା ଫଳ ନଖାଇବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।  ନିପା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବାକୁ ନିଜକୁ ସଫା ସୁତୁରା ରଖିବା ସହ ସାବୁନରେ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି ।  ଯଦି ଜ୍ୱର କିମ୍ବା ଶ୍ୱାସକଷ୍ଟ ପରି ଲକ୍ଷଣ ଦେଖାଯାଏ, ତେବେ ନିଜେ ଔଷଧ ନଖାଇ ତୁରନ୍ତ ଡାକ୍ତରଖାନାକୁ ଯିବାକୁ କୁହାଯାଇଛି ।  ଏବେ ନିପା ଭାଇରସ କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ଅଛି ।  ତେବେ ସଂକ୍ରମଣ ରୋକିବାକୁ ସରକାରୀ ନିୟମ ମାନନ୍ତୁ ଏବଂ ଗୁଜବରୁ ଦୂରେଇ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.