
ନୟାଗଡ଼, ୦୮/୦୨(ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ.ଦେବାଶିଷ ପଟ୍ଟନାୟକ ଯୋଗଦେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ କରିଥିଲେ।
ଏହି ମ୍ୟାଚରେ ମୁଖ୍ୟ ଅତିଥି ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ପଡିଆ ମଧ୍ୟରେ ଖେଳାଳି ମାନଙ୍କ ସହ କରମର୍ଦ୍ଦନ କରି ଉତ୍ତମ ଖେଳ ପ୍ରଦର୍ଶନ କରିବା ପାଇଁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଯଦୁମଣି କ୍ଲବ ନୟାଗଡ ଓ ଖୁଣ୍ଟକଟା ପରିଷଦ ଆଠଗଡ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ କୌଣସି ଦଳ କେହି କାହାରିକୁ ଗୋଲ ସ୍କୋର କରିପାରି ନଥିବା ବେଳେ ଖେଳର ଦ୍ଵିତୀୟାୟାର୍ଦ୍ଧରେ ୨୦ ନମ୍ବର ଖେଳାଳି ଜୋସେଫ ଏକ ଗୋଲ ସ୍କୋର କରି ଆଠଗଡ ଟିମ୍ ୧-୦ ଗୋଲରେ ଅଗ୍ରଣୀ ରହିଥିଲେ । ତେବେ ଖୁଣ୍ଟ କଟା ପରିଷଦ ଆଠଗଡ ୧-୦ ଗୋଲରେ ବିଜୟୀ ହୋଇଛି। ଏହି ମ୍ୟାଚର ମୁଖ୍ୟ ରେଫରି ମିର୍ଜା ଶିରାଜୁଦ୍ଦିନ ବେଗ୍ ଙ୍କ ସହିତ ବୈକୁଣ୍ଠ ମହାପାତ୍ର ଓ ଲକ୍ଷ୍ମୀଧର ମହାପାତ୍ର ଲାଇନରେ ରହି ସହାୟତା କରିଥିବା ବେଳେ ଚତୁର୍ଥ ରେଫରି ଭାବେ ଆଲୋକ କୁମାର ରଣା ଏବଂ ମ୍ୟାଚ କମିଶନର ଭାବେ ସଦାଶିବ ସାହୁ ଖେଳକୁ ପରିଚାଳନା କରିଥିଲେ । ଏହି ମ୍ୟାଚକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଓ ଆଖପାଖ ଅଞ୍ଚଳର ଶହ ଶହ ଲୋକ ଏକତ୍ରିତ ହୋଇଥିଲେ । ଏହି ଅବସରରେ ପୂର୍ବାହ୍ନ ୮ ଘଣ୍ଟିକା ସମୟରେ ମଶାଲ ଶୋଭାଯାତ୍ରା ମା କାଉଁରୀ ମନ୍ଦିର ଠାରୁ ଆରମ୍ଭ ହୋଇ ଖେଳ ପଡିଆ ଠାରେ ସ୍ଥାପନ କରାଯାଇଥିଲା। ଆଜିର ମ୍ୟାଚରେ ପପୁଲାର କ୍ଲବ୍ ଢେଙ୍କାନାଳ ଓ ଭଞ୍ଜନଗର ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହେବ।