ଗ୍ରୀଷ୍ମ ଆରମ୍ଭରୁ ଆରମ୍ଭ ହେଲାଣି ଘରେ ଘରେ ପାଣି ବୋତଲ କାରଖାନା :ପାଣିର ଶୁଦ୍ଧତା ନେଇ ପ୍ରଶ୍ନବାଚି.. !

newyr25


ସରକାରୀ କାଗଜ କଲମରେ ପାଉଚ ପାଣି ବନ୍ଦ, କିନ୍ତୁ ଅବାଧ ରେ ହେଉଛି ବିକ୍ରି…..!
ବ୍ରହ୍ମପୁର : ମାତ୍ର ୧୦ ଟଙ୍କାରେ ବଜାରରେ ମିଳୁଛି ପାଣି ବୋତଲ । ତାହା ମଧ୍ୟ ଅନାମଧେୟ ନାମରେ । ଯିଏ ଯେଉଁ ନାମ ଦେଲା ସେହି ନାମରେ ମାର୍କେଟିଂ କରି ବଜାରରେ ପାଣି ବୋତଲ ବିକ୍ରି ହେଉଛି । ସଂପୃକ୍ତ ପାଣି ବୋତଲ ଗୁଡିକରେ ମିନେରାଲ ଠାରୁ ଆରମ୍ଭ କରି ଭିଟାମିନ୍ ଯୁକ୍ତ ବୋଲି ମଧ୍ୟ ବଜାରରେ ବିକ୍ରି ହେଉଥିବା ବହୁ ପାଣି ବୋତଲ ଉପରେ ଲେଖା ହୋଇଥିବା ଦେଖିବାକୁ ମିଳିଛି । ୧ ଲିଟର ପାଣି ବୋତଲ ପିଛା ଖର୍ଚ୍ଚ ମାତ୍ର ୩ରୁ ୪ ଟଙ୍କା ଥିବା ବେଳେ ଦୋକାନୀଙ୍କୁ ୭ରୁ ୮ ଟଙ୍କାରେ ବିକ୍ରି ହେଉଛି । ଏବଂ ଗ୍ରାହକଙ୍କୁ ବିକ୍ରି କରିବା ବେଳେ ନାମ ଅନୁସାରେ ୧୦ରୁ୨୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଗ୍ରୀଷ୍ମଋତୁ ଆରମ୍ଭରୁ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଗାଁ ରୁ ସହର ପର୍ଯ୍ୟନ୍ତ ନକଲି ପାଣି ବୋତଲ କାରଖାନା ବ୍ୟବସାୟ ଧୁମ୍ ଚାଲିଛି। ନା ଅଛି ଶୁଦ୍ଧତାର ମାପଦଣ୍ଡ, ନା ଅଛି ଅଧିକୃତ ମୋହର । ଚଢାଉ ହେଉନଥିବା ଯୋଗୁଁ କିଛି ଅସାଧୁ ବ୍ୟବସାୟୀ ଖୁଲମଖୁଲା ଏଭଳି ବେଆଇନ ଭାବେ ବ୍ୟବସାୟ ଚଳାଇ ଆସୁଛନ୍ତି । ସ୍ୱଳ୍ପ କିଛି ପାଣି ବୋତଲ ବ୍ୟବସାୟୀଙ୍କ ନିକଟରେ ଆବଶ୍ୟକୀୟ କାଗଜ ପତ୍ର ଥିବା ବେଳେ ଅନେକ ବ୍ୟବସାୟୀ ବିନା କାଗଜପତ୍ରରେ ବେଧଡକ ଭାବେ ଚଳାଇ ଆସୁଥିବା ନଜିର ରହିଛି । ଜିଲ୍ଲାର ବିଭିନ୍ନ ବ୍ଳକରେ କିଛି ପାଣି କାରଖାନା ଖୋଲିଥିବା ବେଳେ ସହରାଞ୍ଚଳରେ ଲୁଚା ଚୋରାରେ କିଛି ବ୍ୟବସାୟୀ ଫ୍ୟାକ୍ଟ୍ରି ଖୋଲି ବିପୁଳ ପରିମାଣର ପାଣି ବ୍ୟବସାୟ କରୁଥିବା ଜଣାପଡିଛି। କାଗଜପତ୍ର ରଖିଥିବା କିଛି ପାଣି କାରବାର କରୁଥିବା ବ୍ୟବସାୟୀ ପ୍ରତିବର୍ଷ ଲାଇସେନ୍ସ ପ୍ରମାଣପତ୍ର ପଞ୍ଜିକରଣ କରିବା ପାଇଁ ନିୟମ ରହିଥିଲେ ମଧ୍ୟ ତାହା ନକରି ଫ୍ୟାକ୍ଟ୍ରି ଆରମ୍ଭ ବେଳେ ଯେଉଁ ଲାଇସେନ୍ସ ଆଣିଛନ୍ତି ସେଥିରେ ହିଁ ବର୍ଷ ବର୍ଷ ଧରି ଚଳାଇ ଆସୁଛନ୍ତି । ଅନେକ ପାଣି ବ୍ୟବସାୟ ଚଳାଇ ଆସୁଥିବା ମାଲିକ ମାନଙ୍କ ନିକଟରେ ଆଇଏସଓ ମାର୍କା ନଥିବା ବେଳେ ପାଣି ବୋତଲ କେବେ ତିଆରି ହୋଇଛି ଏବଂ ଏହାର ବୈଦ୍ଧତା କେତେ ଦିନ ତାହା ମଧ୍ୟ ଉଲ୍ଲେଖ କରାଯାଉନାହିଁ । ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ୨୦ରୁ ଉର୍ଦ୍ଧ୍ୱ ଅନାମଧେୟ ପାଣି ବୋତଲ କରାଖାନା ରହିଥିବା ଜଣାପଡିଛି । ଯେଉଁମାନେ କି ରାଜ୍ୟ ସରକାର କିମ୍ବା ଖାଦ୍ୟ ସୁରକ୍ଷା ବିଭାଗର କୌଣସି ନିୟମ ନମାନି କେବଳ ପ୍ୟାକିଂ ମେସିନ ଆଣି ବୋରୱେଲରୁ ପାଣି ସଂଗ୍ରହ କରି ପାଣିରେ ଫିଟିକିରି ମିଶାଇ ପ୍ୟାକିଂ କରି ବଜାରକୁ ବିକ୍ରି ପାଇଁ ଛାଡୁଥିବା ଅଭିଯୋଗ ହୋଇଛି । ଗୋଟିଏ ସ୍ଥାନରୁ ବୋତଲ ଆସିବା ପରେ ଅନ୍ୟ ଏକ ସ୍ଥାନରେ ଲୁଚାଛପାରେ ପାଣି ଭର୍ତ୍ତି କରାଯାଉଥିବାର ନଜିର ରହିଛି । ସେହିପରି ନାମୀଦାମୀ କମ୍ପାନୀ ଗୁଡିକର ନାମରେ ନକଲି ପାଣି ବୋତଲ ବଜାରରେ ବିକ୍ରି ହେଉଛି । ନାମୀଦାମୀ କମ୍ପାନୀର ପାଣି ବୋତଲ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେହି ବ୍ରାଣ୍ଡର ଅବିକଳ ଭଳି ଦେଖାଯାଉଥିବା ପାଣି ବୋତଲ ସ୍ଥାନୀୟ ବଜାରରେ ୧୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । କେବଳ ଜଣେ ତୃଷାର୍ତ୍ତ ପାନୀୟ ଜଳକୁ ବ୍ୟବହାର କରିବା ପରେ ତାହା ଅସଲି କି ନକଲି ଜଣାପଡୁଛି । ବର୍ତ୍ତମାନ ଲୋକେ ଘରୁ ବାହାରକୁ ଯିବା ସମୟରେ ଘରୁ ପାଣି ବୋତଲ ନନେଇ ବଜାରରୁ ପାଣି ବୋତଲ କିଣି ବ୍ୟବହାର କରିବା ଏକ ନିତିଦିନିଆ ଫେସନରେ ପରିଣତ ହୋଇପଡିଛି । ତେବେ ସବୁଠାରୁ ଉଦବେଗର ବିଷୟ ହେଲା ଲୋକେ ଟଙ୍କା ଦେଇ ଯେଉଁ ପାଣି ବୋତଲ କିଣୁଛନ୍ତି ତାହାର ଶୁଦ୍ଧତା କେତେ କେହି ମଧ୍ୟ ଜାଣିନାହାନ୍ତି । ବାରମ୍ବାର ସରକାର ପାଣି ବୋତଲ ପ୍ରତି ସଚେତନ କରୁଛନ୍ତି l ଲୋକାଲ କମ୍ପାନୀରୁ ପାଣି ବୋତଲ ରିଟେଲରଙ୍କ ନିକଟରେ ପହଞ୍ଚିବା ପରେ ସେଗୁଡିକୁ ଅନେକ ଦୋକାନୀ ସ୍ଥାନ ଅଭାବ ଯୋଗୁଁ ଦିନ ତମାମ ଖୋଲାରେ ଖରା ବର୍ଷାରେ ରଖୁଥିବା ଦେଖିବାକୁ ମିଳୁଛି । ପରବର୍ତ୍ତୀ ସମୟରେ ସେହି ପାଣି ବୋତଲ ଗୁଡିକୁ ଫ୍ରିଜରେ ରଖି ବିକ୍ରି କରୁଛନ୍ତି, ଯାହାକି ସେହି ପାଣି ପିଇବା ସମ୍ପୁର୍ଣ୍ଣ ଅନୁପଯୁକ୍ତ ବୋଲି ଚିକିତ୍ସକ ଓ ବିଶେଷଜ୍ଞ ମାନଙ୍କ ସୁତ୍ରରୁ ଜଣାପଡିଛି । ଅନେକ ସମୟରେ ବୋତଲ ପାଣିରୁ ଦୁର୍ଗନ୍ଧ ଆସୁଥିବା ବେଳେ ବିଭିନ୍ନ ସମୟରେ ପାଣି ବୋତଲରେ ଛୋଟ ଛୋଟ କୀଟ ଓ ଆବର୍ଜନା ଭାସୁଥିବା ଦେଖିବାକୁ ମିଳିଛି । ଏଭଳି ବୋତଲର ପାଣିକୁ ବ୍ୟବହାର କରି ବହୁ ଲୋକ ପେଟ ରୋଗ ଓ ସହ ସ୍ନାୟୁ ରୋଗରେ ଶୀକାର ହେଉଥିବା ନଜିର ରହିଛି । ବର୍ତ୍ତମାନ ବାହାଘର ଋତୁ ଚାଲିଥିବା ବେଳେ ଗ୍ରାମାଞ୍ଚଳ ରେ ବହୁଳ ଭାବେ ପାଣି ପାଉଚ ବ୍ୟବହାର ହେଉଛି। ଥରେ ପାଣି ପାଉଚ ପ୍ରସ୍ତୁତି କଲେ ମାସ ମାସ ସଂଖ୍ୟା ରେ ଉକ୍ତ ପାଣି ପାଉଚ ବଜାରରେ ବିକ୍ରି ହେଉଛି।ବିଭାଗ ପକ୍ଷରୁ ବିନା ପ୍ରମାଣପତ୍ରରେ ଚାଲିଥିବା ପାଣି ବୋତଲ ପ୍ୟାକ୍ଟ୍ରି ଗୁଡିକ ଉପରେ ଚଢାଉ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜିବୀ ମହଲରେ ଦାବି ହୋଇଛି ।

Leave A Reply

Your email address will not be published.