ନିଲାମ ସୁନା ଠକେଇ ଅଭିଯୋଗ : ବ୍ୟାଙ୍କ ଆଗରେ ଧାରଣା

add-all

ଚାନ୍ଦବାଲି : ଚାନ୍ଦବାଲିରେ ନିଲାମ ସୁନା କ୍ରୟ କରି ଠକେଇର ଶିକାର ହେବାର ଅଭିଯୋଗ ଆଣି ଚାନ୍ଦବାଲି ଥାନାରେ ଏତଲା ଦାଖଲ କରିଥିବା ବେଳେ ଗୁରୁବାର ପଞ୍ଚାନନ ସାହୁ ଓ ପରିବାର ଚାନ୍ଦବାଲି ଏଚଡିଏଫସି ବ୍ୟାଙ୍କ ଆଗରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି। ଅଭିଯୋଗ ଅନୁସାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅନ୍ତର୍ଗତ ଏଚଡିଏଫସି ବ୍ୟାଙ୍କ ଚାନ୍ଦବାଲି ଶାଖାର ମ୍ୟାନେଜର ଏବଂ ସୁନା ଋଣ ବିଭାଗର ଅଫିସର ଙ୍କ ପ୍ରରୋଚନା ରେ ଠକେଇର ଶିକାର ହୋଇଛନ୍ତି ପଞ୍ଚାନନ ସାହୁ। ଚାନ୍ଦବାଲି ଏନଏସି ଅନ୍ତର୍ଗତ କୃଷ୍ଣନଗର ଗାଁର ପଞ୍ଚାନନ ସାହୁ ଦାଖଲ କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ଏଚଡିଏଫସି ବ୍ୟାଙ୍କ ଚାନ୍ଦବାଲି ଶାଖାର ଅଧିକାରୀମାନେ ପୁରୁଣା ବନ୍ଧକ ସୁନା ବୋଲି କହି ନକଲି ଗହଣା ବିକ୍ରୟ କରିଥିଲେ।
ସୂଚନା ଅନୁସାରେ ବିଭିନ୍ନ ସମୟରେ ଲୋକମାନେ ବ୍ୟାଙ୍କରେ ସୁନା ବନ୍ଧକ ରଖି ଋଣ ନେଇଥାନ୍ତି । ଯଦି ପରେ କୌଣସି କାରଣରୁ ବ୍ୟାଙ୍କରେ ବନ୍ଧକ ରଖିଥିବା ସୁନା କୁ ନ ନେଇ ପାରିଲେ ବ୍ୟାଙ୍କ ଏହାର ନିଲାମ କରିଥାଏ । ତେବେ ଅଭିଯୋଗ ଅନୁସାରେ ୨୦୨୫ ଡିସେମ୍ବର ୨୬ ତାରିଖରେ ଏଚଡିଏଫସି ବ୍ୟାଙ୍କ ଚାନ୍ଦବାଲି ଶାଖା ରେ ସୁନା ଋଣ ବିଭାଗରେ କାର୍ଯ୍ୟ କରୁଥିବା ଅଫିସର ବନ୍ଧକ ସୁନା ନିଲାମ ହେବା ନେଇ ପଞ୍ଚାନନ ସାହୁ ଙ୍କ ସହ ଯୋଗାଯୋଗ କରିଥିଲେ। ଏବଂ ପରେ ପଞ୍ଚାନନ ସାହୁ ଉକ୍ତ ସୁନାର ବ୍ୟାଙ୍କ ସ୍ଥିରୀକୃତ ମୂଲ୍ୟ ୮,୯୨,୬୯୦ ଟଙ୍କା ପୈଠ କରି ସୁନା କୁ ନେଇଥିଲେ। ପୂର୍ବରୁ ଦୁଇଥର ବ୍ୟାଙ୍କରୁ ସୁନା କ୍ରୟ କରିଥିବାରୁ ବ୍ୟାଙ୍କର ମୋହରକୁ ବିଶ୍ୱାସ କରି ସେ ସମୟରେ ସୁନା ଉପରୁ ଟେଷ୍ଟ କରି ନେଇଥିଲେ ବ୍ୟାଙ୍କ ସୁନାକୁ କାଟି ଟେଷ୍ଟ କରି ନେବାର ବ୍ୟାଙ୍କ ର ନିୟମ ନାହିଁ ବୋଲି କହିଥିଲେ। ପରେ ଗହଣାକୁ କାଟିବା
ପରେ ଜଣାପଡ଼ିଥିଲା ଯେ ଗହଣାର ଭିତରେ ରୂପା ରହିଛି ଓ ଉପରେ କେବଳ ସୁନାର ଲେପ ଦିଆଯାଇଛି।ଏହି ଘଟଣା ପରେ ସେ ବ୍ୟାଙ୍କ ଅଧିକାରୀଙ୍କୁ ଅବଗତ କରିଥିଲେ। କିନ୍ତୁ ସମାଧାନ ନ ମିଳିବାରୁ ୨୦୨୬ ଜାନୁଆରୀ ୯ ତାରିଖରେ ଥାନାରେ ଅଭିଯୋଗ କରିବା ପରେ ବାରମ୍ବାର ଥାନା ଓ ବ୍ୟାଙ୍କର ଦ୍ୱାରସ୍ଥ ହୋଇଥିଲେ । ଶେଷରେ ଗୁରୁବାର ସକାଳେ ପଞ୍ଚାନନ ସାହୁ ଓ ପରିବାର ଲୋକେ ବ୍ୟାଙ୍କ ଆଗରେ ଧାରଣା ଦେଇ ନ୍ୟାୟ ଦାବି କରିବା ସହ ଥାନା କୁ ଯାଇଥିଲେ। ଘଟଣାସ୍ଥଳରେ କିଛି ସ୍ଥାନୀୟ ଲୋକ ମଧ୍ୟ ଉପସ୍ଥିତ ଥିବା ଦେଖାଯାଇଥିଲା। ଲୋନ୍ , ଧାର କରି ଟଙ୍କା ଯୋଗାଡ଼ କରିଥିବାରୁ ସେ ଆର୍ଥିକ ଓ ମାନସିକ ଭାବେ ଦୁର୍ବଳ ହୋଇପଡ଼ିଥିବା କହିଛନ୍ତି ପଞ୍ଚାନନ ଙ୍କ ପତ୍ନୀ। ସେପଟେ ଘଟଣାକୁ ନେଇ ବ୍ୟାଙ୍କ ଶାଖା ପରିଚାଳକ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ad-week
Leave A Reply

Your email address will not be published.