ଆସାମ ବିଧାନସଭା ନିର୍ବାଚନ: ବିଜେପି ସରକାରଙ୍କ ବିରୋଧରେ ୨୦ ସୂତ୍ରୀ ଚାର୍ଜସିଟ୍ ଜାରି କଲା କଂଗ୍ରେସ୍

newyr25

ଗୌହାଟୀ ୧୯।୨: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଗୁରୁବାର ବିଜେପି ନେତୃତ୍ୱାଧୀନ ଆସାମ ସରକାରଙ୍କ ବିରୋଧରେ ୨୦ ସୂତ୍ରୀ ଚାର୍ଜସିଟ୍ ଜାରି କରିଛନ୍ତି। ଏଥିରେ ସେ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱାଶର୍ମାଙ୍କ ଉପରେ ଭ୍ରଷ୍ଟାଚାର ଓ ସଂଖ୍ୟାଲଘୁଙ୍କୁ ଡରାଇବା ପାଇଁ ରାଜ୍ୟ ସରକାରୀ କଳକୁ ଉପଯୋଗ କରିଥିବାର ଅଭିଯୋଗ ଆଣିଛନ୍ତି। ଆସାମର ୧୨୬ ସଦସୀୟ ବିଧାନସଭା ଲାଗି ଆଗାମୀ ନିର୍ବାଚନ ପୂର୍ବରୁ ଗୌହାଟୀରେ ଏହି ଚାର୍ଜସିଟ୍ ଜାରି କରାଯାଇଛି। ଏଥିରେ ଅଭିଯୋଗ କରାଯାଇଛି ଯେ ବିଜେପିର ୧୦ ବର୍ଷ ସରକାରରେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରଣ କରିବାରେ ବିଫଳ ହୋଇଛି।

ଉଠାଯାଇଥିବା ପ୍ରସଙ୍ଗରେ ସରକାର ପ୍ରତିଶ୍ରୁତି ଅନୁସାରେ ୬ ଆଦିବାସୀ ସମୂଦାୟଙ୍କୁ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦେଇ ନାହାନ୍ତି। ସେହିପରି ଚା ବଗିଚା କର୍ମଚାରୀଙ୍କ ମଜୁରି ବଢାଇ ୩୫୧ ଟଙ୍କା କରିବାର ପ୍ରତିଶ୍ରୁତିକୁ ମଧ୍ୟ ବିଜେପି ଭୁଲି ଯାଇଛି। ଏହା ଛଡା କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବ୍ୟାପକ ଭ୍ରଷ୍ଟାଚାରର ଆରୋପ ଲଗାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟମାନେ ଅବୈଧ ଭାବେ ସମ୍ପତ୍ତି ଅର୍ଜନ କରିଛନ୍ତି ବୋଲି କୁହାଯାଇଛି। ଚାର୍ଜସିଟ୍ ରେ ଏହା ବି ଅଭିଯୋଗ କରାଯାଇଛି ଯେ ସରକାର ‘ବର୍ବର ନ୍ୟାୟ’ କରିଛନ୍ତି ଓ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରି ସାମାନ୍ୟ କିଛିଙ୍କୁ ବେଦଖଲ କରିଛନ୍ତି।

ଆସାମ ନିର୍ବାଚନ ଲାଗି କଂଗ୍ରେସର ସ୍କ୍ରିନିଂ କମିଟି ଅଧ୍ୟକ୍ଷା ପ୍ରିୟଙ୍କା ଗାନ୍ଧି ପାର୍ଥୀ ତାଲିକା ଚୂଡାନ୍ତ କରିବା ପାଇଁ ଏବେ ଦୁଇ ଦିବସୀୟ ଆସାମ ଗସ୍ତରେ ଅଛନ୍ତି। ଏହି କ୍ରମରେ ପ୍ରିୟଙ୍କା ଗାନ୍ଧି ଆସାମ ପହଞ୍ଚି ଗୁରୁବାର କାମାକ୍ଷା ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି। ପରେ ସାମ୍ବାଦିକଙ୍କ ସହ ଆଲୋଚନାରେ ଟିକଟ ବିତରଣ କରାଯିବା ପୂର୍ବରୁ ବ୍ୟକ୍ତିଗତ ଭାବେ ପାର୍ଟି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ସେମାନଙ୍କ ପ୍ରତିକ୍ରିୟା ଜାଣିବେ ବୋଲି କହିଛନ୍ତି। ଏହି କ୍ରମରେ ସେ ସମସ୍ତଙ୍କୁ ଭେଟିବା ଆରମ୍ଭ କରିଦେଇଥିବା ବେଳେ ପ୍ରତିକ୍ରିୟା ମଧ୍ୟ ନେଉଛନ୍ତି।

Leave A Reply

Your email address will not be published.