
ବରିଷ୍ଠ ନାଗରିକଙ୍କ ପ୍ରତି ଅନ୍ଯାୟ କିମ୍ବା ଅବହେଳାକୁ ଆମେ ସହ୍ଯ କରିବା ନାହିଁ-ଜିଲ୍ଲାପାଳ
ଛତ୍ରପୁର : ବିଶ୍ବ ସାମାଜିକ ନ୍ଯାୟ ଦିବସ-୨୦୨୬ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ଫେବୃଆରୀ ମାସ ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇ ଆଜି ଉଦ୍ ଯାପନ ଦିବସ ଜିଲ୍ଲା ପରିଷଦ ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ୍ବି କିର୍ତ୍ତୀ ଓ୍ବାସନଙ୍କ ଅଧ୍ଯକ୍ଷତାରେ ମହା ସମାରୋହରେ ପାଳିତ ହୋଇଯାଇଛି । ପିଢି ପିଢି ମଧ୍ଯରେ ସମ୍ପର୍କ ସୁଦୃଢ କରିବା ପାଇଁ ଜିଲ୍ଲାରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କର ଜୀବନବ୍ଯାପୀ ଅନବଦ୍ଯ ଅବଦାନ, ଅନୁଭବ ଓ ପ୍ରଗାଢ ଜ୍ଞାନକୁ ସମ୍ମାନ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଭଞ୍ଜନଗର ଠାରେ କବିତା ପାଠୋତ୍ସବ, ବ୍ରହ୍ମପୁର ଠାରେ ସେମିନାର ଓ ଇଣ୍ଟର ଫେସ୍ ସେସନ୍ ଏବଂ ଛତ୍ରପୁର ଠାରେ ସୃଜନଶୀଳ ସାହିତ୍ଯ ପ୍ରତିଯୋଗିତା ନିମନ୍ତେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା, ମନୋରଞ୍ଜନାତ୍ମକ କ୍ରୀଡା ଓ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସରସ୍ବତୀ ଶିଶୁବିଦ୍ଯାମନ୍ଦିରର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଏହାର ଶୁଭାରମ୍ଭ କରାଯାଇଥିଲା । ଏକ ସହାନୁଭୂତିଶୀଳ, ସମ୍ବେଦନଶୀଳ ଓ ସୁନ୍ଦର ସମାଜ ଗଠନ ପାଇଁ ବରିଷ୍ଠ ନାଗରିକଙ୍କ ପ୍ରତି ଅନ୍ଯାୟ କିମ୍ବା ଅବହେଳାକୁ ଆମେ ସହ୍ଯ କରିବା ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଓ୍ବାସନ କହିଥିଲେ । ବରିଷ୍ଠ ନାଗରିକ ମାନେ ଆମକୁ ଦିଗ୍ ଦର୍ଶନ ଦେଉଛନ୍ତି, ତେଣୁ ସେମାନଙ୍କ ସ୍ବାସ୍ଥ୍ଯ ପ୍ରତି ସଚେତନ ରହିବା ନିମନ୍ତେ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ଯ କେନ୍ଦ୍ର ମାନଙ୍କରେ ପ୍ରତି ଗୁରୁବାର ସକାଳ ୮ ଘଟିକାରୁ ମଧ୍ଯାହ୍ନ ୧୨ ଘଟିକା ପର୍ଯ୍ଯନ୍ତ ଆମ ଗୁରୁଜନମାନଙ୍କ ଚିକିତ୍ସା ନିମନ୍ତେ ପ୍ରାଧାନ୍ଯ ଦିଆଯିବା ସହ ସେମାନଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ସେମାନଙ୍କ ପାଇଁ ଥିବା ସରକାରଙ୍କ ସମସ୍ତ ଯୋଜନାର ପ୍ରଚାର ପ୍ରସାର କରି ଯେପରି ସେମାନେ ସେଥିରୁ ଲାଭାନ୍ବୀତ ହୋଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିପରି ଏହା ପାଳନ କରାଯାଇପାରିବ ସେଥିପ୍ରତି ମଧ୍ଯ ଦୃଷ୍ଟି ଦେବାକୁ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡ ପ୍ରମୋଦ କୁମାର ପୃଷ୍ଟି ଯୋଗଦେଇ କହିଥିଲେଯେ, ବରିଷ୍ଠ ନାଗରିକ ହେଉଛନ୍ତି ବଳିଷ୍ଠ ସମ୍ବଳ । ବରିଷ୍ଠ ନାଗରିକଙ୍କ ତ୍ଯାଗ ଓ ଅବଦାନ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ଏଣୁ ସେମାନଙ୍କ ମନରେ ହସ ଫୁଟାଇବା ପାଇଁ ଜିଲ୍ଲାରେ ବିଭିନ୍ନ କାର୍ଯ୍ଯକ୍ରମମାନ ଆୟୋଜନ କରାଯାଇଥିବା ଡ. ପୃଷ୍ଟି ପ୍ରକାଶ କରିଥିଲେ ।
ବରିଷ୍ଠ ନାଗରିକଙ୍କ ଅଧିକାର ସମ୍ପର୍କରେ ଉପଜିଲ୍ଲାପାଳ ଶିବାଶୀଷ ବରାଳ ସମସ୍ତଙ୍କୁ ଅବଗତ କରାଇବା ସହ ସେମାନଙ୍କ ସମ୍ପତ୍ତିର ଉତ୍ତରାଧିକାରୀଙ୍କ ପାଖରେ ନିଜର ଭରଣପୋଷଣ, ଚିକିତ୍ସା ସୁବିଧା ଆଦି ବିଷୟରେ ଦାବୀ ଉପସ୍ଥାପନ ନିମନ୍ତେ କେନ୍ଦ୍ର ଓ ରାଜ୍ଯସରକାର ପ୍ରଣୟନ କରିଥିବା ଆଇନ୍ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ । ସାଇବର ଥାନା ଭାରପ୍ରାପ୍ତ ଅଧିକାରୀ ସାଇବର ଠକେଇ ଓ ସେଥିରୁ କିପରି ନିଜର ସଞ୍ଚିତ ଅର୍ଥକୁ କିପରି ରକ୍ଷା କରିପାରିବେ ସେ ସମ୍ପର୍କରେ ବୁଝାଇଥିଲେ । ମୋବାଇଲ୍ ରେ କୌଣସି ଅଜଣା ଲିଙ୍କ କ୍ଲିକ୍ ନକରିବାପାଇଁ ପରାମର୍ଶ ଦେବାସହ ସାଇବର ଠକେଇରୁ କିପରି ରକ୍ଷାପାଇବେ ସେସମ୍ପର୍କରେ ମଧ୍ଯ ସଚେତନ କରାଇଥିଲେ । ଡିଜିଟାଲ ଆରେଷ୍ଟର ଧମକରେ ଭୟଭୀତ ନହୋଇ ସାଇବର ଥାନାର ଆଶ୍ରୟନେବାକୁ ପରାମର୍ଶ ଦେଇଥିଲେ । ଶେଷରେ କବିତା ପାଠୋତ୍ସବ, ସେମିନାର ଓ ଇଣ୍ଟର ଫେସ୍ ସେସନ୍, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା, ମନୋରଞ୍ଜନାତ୍ମକ କ୍ରୀଡା ଓ ଯୋଗ କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନୀତ କରାଯାଇଥିଲା । ଛତ୍ରପୁରର ବରିଷ୍ଠ ନାଗରିକ ପ୍ରଶାନ୍ତ କୁମାର ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ବରିଷ୍ଠ ନାଗରିକ ସଚେତନତା ସମାବେଶରେ ଜିଲ୍ଲାର ବହୁ ବରିଷ୍ଠ ନାଗରିକ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସାମ୍ବାଦିକ ବନ୍ଧୁଗଣ ଯୋଗ ଦେଇଥିଲେ ।