ଅବ୍ୟବସ୍ଥା ଘେରରେ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର:ପ୍ରଶାସନ ର ନିଘା ନାହିଁ…

newyr25

ନୟାଗଡ଼,୨୧/୦୨(ନିସର୍ତ୍ତ): ରାଜ୍ୟ ସରକାର କୋଟି କୋଟି ଟଙ୍କା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ କରି ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଉନ୍ନତ ମାନର ଚିକିତ୍ସା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଉଛନ୍ତି । କିନ୍ତୁ ଏବେ ବି ଅବହେଳିତ ଓ ଅବ୍ୟବସ୍ଥା ଘେରରେ ରହିଛି ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ବାସ୍ଥ୍ୟ ପରୀକ୍ଷା ଓ ସ୍ଵାସ୍ଥ୍ୟ ସେବା ପାଇବା ପାଇଁ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଆଖପାଖ ଅଞ୍ଚଳରୁ ପ୍ରାୟ ୫୦ ଖଣ୍ଡ ଗ୍ରାମର ଲକ୍ଷାଧିକରୁ ଉର୍ଦ୍ଧ ଲୋକମାନେ ଚିକିତ୍ସା ନିମନ୍ତେ ନିର୍ଭର କରିଥାନ୍ତି । କିନ୍ତୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ସମ୍ପୂର୍ଣ ବିଫଳ ସାଜିଛି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଏଠାରେ ଡାକ୍ତର ସମସ୍ୟା ଥିବା ବେଳେ ପାଳିରେ ଚାଲିଛି ଡାକ୍ତରଖାନା । ତେବେ ୨୧ ଜଣ ଡାକ୍ତର ଏଠାରେ ନିଯୁକ୍ତି ପାଇବାର ନିୟମ ରହିଥିବା ବେଳେ ଅଛନ୍ତି ମାତ୍ର ୩ ଜଣ ଡାକ୍ତର। ଫଳରେ ସ୍ବାସ୍ଥ୍ୟସେବା ପାଇଁ ଆସୁଥିବା ଶତାଧିକ ରୋଗୀ ଓ ତାଙ୍କ ସାଙ୍ଗରେ ଆସୁଥିବା ଲୋକମାନେ ଉତ୍ତମ ସ୍ବାସ୍ଥ୍ୟସେବା ନ ପାଇ ଅସନ୍ତୁଷ୍ଟ ହୋଇ ଦୂର ଦୁରାନ୍ତଙ୍କୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜରୁରୀକାଳୀନ ପରିସ୍ଥିତିରେ ଯାତାୟାତ ପାଇଁ ୨ଟି ଲିଫ୍ଟର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଦୀର୍ଘଦିନ ହେବ ଅଚଳ ହୋଇ ପଡ଼ି ରହିଛି । ଫଳରେ ଜରୁରୀକାଳୀନ ସ୍ଥିତିରେ ଥିବା ରୋଗୀମାନେ ଯନ୍ତ୍ରଣା ଭୋଗୁ ଛନ୍ତି । ଏଠାରେ ନିୟୋଜିତ ଥିବା କମ୍ପାଉଣ୍ଡର ମାନେ ଜରୁରୀକାଳୀନ ପରିସ୍ଥିତିରେ ଥିବା ରୋଗୀମାନଙ୍କୁ ସେବା ଯୋଗାଇ ଦେବା ପରିବର୍ତ୍ତେ ଏଣେ ତେଣେ ଅନ୍ୟ କାର୍ଯ୍ୟରେ ନିୟୋଜିତ ରହୁଛନ୍ତି । ଡାକ୍ତର ଫୋନ୍ କରିବା ପରେ ଗୋଷ୍ଠୀ ସ୍ବାସ୍ଥ୍ୟକୁ ଆସି ରୋଗୀ ସେବା କରୁ ଥିବାର ଅଭିଯୋଗ ହେଉଛି । ପ୍ରତିଦିନ ଯେଉଁ ଡାକ୍ତରଙ୍କ କାର୍ଯ୍ୟ ରହିଛି ,ସେଥି ପାଇଁ ଏକ ବୋର୍ଡରେ ଡାକ୍ତରଙ୍କ ନାମ ସହିତ କେଉଁ ସମୟରେ କାର୍ଯ୍ୟରେ ନିୟୋଜିତ ହେବେ ତାହାର ସୂଚନା ବିବରଣୀ ସେହି ବୋର୍ଡରେ ଲେଖା ରହିଥାଏ, କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରେ ନିୟୋଜିତ ଥିବା ଡାକ୍ତରଙ୍କ ନାମ ବୋର୍ଡରେ ରହିବା ପରିବର୍ତ୍ତେ ପୂର୍ବ ଦିନର ଡାକ୍ତରଙ୍କ ନାମ ଲେଖା ରହିଥାଏ। ଫଳରେ ରୋଗୀ ଦେଖା କରିବାକୁ ଆସିଥିବା ଡ଼ାକ୍ତରଙ୍କୁ ଦେଖା ନକରି ନିରାଶରେ ଫେରିଯାଉଛନ୍ତି । ସ୍ବାସ୍ଥ୍ୟ କେନ୍ଦ୍ରରେ

ସଂକ୍ରମଣକୁ ଦୂରେଇବା ପାଇଁ ବେଡ଼ ଉପରେ ସଫା ବେଡ଼ ସିଟ ବିଛା ଯାଇଥାଏ କିନ୍ତୁ ରୋଗୀମାନଙ୍କ ବେଡ଼ ଉପରେ ବେଡ଼ ସିଟ ବିଛା ଯାଉ ନଥିବାର ଅଭିଯୋଗ ହେଉଛି । ଫଳରେ ସଂକ୍ରମଣ ବୃଦ୍ଧିକୁ ଏଡାଇ ଦିଆଯାଇନପାରେ। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବରେ ଲାଗିଛି । ଶ୍ରମିକ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ମାନେ ଅଂଶୁଘାତର ଶିକାର ହେବାର ସମ୍ଭାବନା ରହିଥିବା ବେଳେ କିନ୍ତୁ ଅଂଶୁଘାତ କକ୍ଷରେ ତାଲା ଝୁଲୁ ଥିବାର ଦେଖିବାକୁ ମିଳୁଛି । ପ୍ରସ୍ତୁତି ମହିଳାଙ୍କ ଯୋଗ ଶିକ୍ଷା କକ୍ଷରେ ପ୍ରସ୍ତୁତି ମହିଳାମାନଙ୍କୁ ଯୋଗ ଶିକ୍ଷା ଦିଆଯିବା ପରିବର୍ତ୍ତେ ସେହି କକ୍ଷକୁ ସିକ୍ୟୁରିଟି ଗାର୍ଡ ଅକ୍ତିଆର କରି ରହୁଥିବାର ଜଣାପଡ଼ିଛି । ସିନିଅର୍ ସିଟିଜେନମାନଙ୍କ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୌଣସି ଆଖିଦୃଶିଆ ବ୍ୟବସ୍ଥା ନ ଥିବା ବେଳେ ବହୁବାର ସିକ୍ୟୁରିଟୀ ମାନଙ୍କ ଦ୍ଵାରା ପ୍ରତାରିତ ହେଉ ଥିବାର ମଧ୍ୟ ଅଭିଯୋଗ ହେଉଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଉଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସରକାରୀ ମାଗଣା ଔଷଧ ଯୋଗାଇ ଦେବା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଥିଲେ ମଧ୍ୟ ବହୁ ମାଗଣା ଔଷଧ ବିତରଣ କେନ୍ଦ୍ରରେ ମିଳୁନଥିବା ଅଭିଯୋଗ ହେଉଛି । ଫଳରେ ସ୍ଥାନୀୟ ଲୋକମାନେ ବହୁ ଔଷଧକୁ କିଣି ବ୍ୟବହାର କରୁ

ଥିବାର ଅଭିଯୋଗ ହେଉଛି । କିଛି କର୍ମଚାରୀ ବହୁ ବର୍ଷ ଧରି ଗାଦି ମାଡ଼ି ବସି ରହିଥିବାର ଦେଖିବାକୁ ମିଳୁଛି । ଅନ୍ୟତ୍ର ବଦଳି ହେଲେ ମଧ୍ୟ ରାଜନେତାଙ୍କୁ ହାତ ବାରିସି କରି କିଛିଦିନ ଅନ୍ୟ ଜାଗାରେ କାର୍ଯ୍ୟ କରି ପୁନର୍ବାର ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ଫଳରେ ଦୁର୍ନୀତି ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆବଶ୍ୟକ ମୁତାବକ ଡାକ୍ତର ପଠାଇବା ସହିତ ଗାଦି ମାଡ଼ିବସି ରହିଥିବା କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ସାଧାରଣରେ ଦାବି ହୋଇଛି । ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି ଡାକ୍ତରଖାନାରେ ତୁରନ୍ତ ଆବଶ୍ୟକ ଡାକ୍ତର ପଦବୀ ପୂରଣ ନିମନ୍ତେ ସ୍ଵାସ୍ଥ୍ୟ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.