
ମିରଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୨:୩୦ରେ ଶତାବ୍ଦୀ ନଗର ଷ୍ଟେସନରୁ ବହୁ ପ୍ରତୀକ୍ଷିତ ନମୋ ଭାରତ ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ (ଆରଆରଟିଏସ୍) ଏବଂ ମିରଟ ମେଟ୍ରୋକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏହି ସେବାକୁ ଉଦଘାଟନ କରିବା ସହ ନମୋ ଭାରତ ଟ୍ରେନରେ ବସି ମିରଟ ଦକ୍ଷିଣ ଷ୍ଟେସନ ପର୍ଯ୍ୟନ୍ତ ସେ ଯାତ୍ରା କରିଛନ୍ତି। ଏହି ସମୟରେ ସ୍କୁଲ ପିଲା ଓ ଅଧିକାରୀଙ୍କ ସହିତ ମୋଦୀ ଆଲୋଚନା ମଧ୍ୟ କରିଛନ୍ତି।
‘ଆରଆରଟିଏସ୍’କୁ ପତାକା ଦେଖାଇବା ପରେ, ପ୍ରଧାନମନ୍ତ୍ରୀ ଦେଶରେ ମେଟ୍ରୋ ନେଟୱାର୍କର ସମ୍ପ୍ରସାରଣରେ ହୋଇଥିବା ପ୍ରଗତି ଉପରେ ଆଲୋକପାତ କରିଥିଲେ। ୨୦୧୪ ପୂର୍ବରୁ, ଭାରତରେ ମେଟ୍ରୋ ସମ୍ପ୍ରସାରଣ ବହୁତ ଧୀର ଥିଲା। କଂଗ୍ରେସ ସରକାର ସମୟରେ, କେବଳ ପାଞ୍ଚଟି ସହରରେ ମେଟ୍ରୋ ଚାଲୁଥିଲା। ବିଜେପି ସରକାର ସମୟରେ, ବର୍ତ୍ତମାନ ୨୫ରୁ ଅଧିକ ସହରରେ ମେଟ୍ରୋ ଚାଲୁଛି,” ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ବିଶ୍ୱର ତୃତୀୟ ବୃହତ ମେଟ୍ରୋ ନେଟୱାର୍କ ମଧ୍ୟ ନିର୍ମାଣ କରିଛି।
ଗତ ୧୦-୧୧ ବର୍ଷ ମଧ୍ୟରେ, ମେଟ୍ରୋଗୁଡ଼ିକ ଡଜନ ଡଜନ ସହରରେ ପହଞ୍ଚିଛି, କାରଣ ବିଜେପି ସରକାର ନାଗରିକମାନଙ୍କୁ ସୁବିଧାଜନକ, ଦ୍ରୁତ ଏବଂ ପ୍ରଦୂଷଣମୁକ୍ତ ପରିବହନ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ ଆହୁରି କହିଛନ୍ତି, କିଛି ସମୟ ପୂର୍ବରୁ ମୁଁ ମେରଠ ମେଟ୍ରୋରେ ଯାତ୍ରା କରିଥିଲି… ଯାତ୍ରା ସମୟରେ, ମୁଁ ଅନେକ ସ୍କୁଲ ଓ କଲେଜ ଛାତ୍ର ଏବଂ ଅନ୍ୟାନ୍ୟ ଯାତ୍ରୀଙ୍କ ସହ ଭାବ ବିନିମୟ କରିଥିଲି। ଲୋକମାନେ ପୁରୁଣା ଦିନଗୁଡ଼ିକୁ ମନେ ପକାଇଥିଲେ, ବିଶେଷକରି ମହିଳା ଯାତ୍ରୀମାନେ ମୋତେ କହିଥିଲେ ଯେ କିଛି ବର୍ଷ ପୂର୍ବେ ସନ୍ଧ୍ୟା ସୁଦ୍ଧା ସମଗ୍ର ରୁଟ୍ ନିର୍ଜନ ହୋଇଯାଉଥିଲା, ଯାହା ଭୟର ପରିବେଶ ସୃଷ୍ଟି କରୁଥିଲା, କିନ୍ତୁ ବର୍ତ୍ତମାନ କେଉଁଆଡ଼େ ବି ଯାତ୍ରା କରିବା ପାଇଁ ଭୟ ଲାଗୁନି।
ମିରଟ ମେଟ୍ରୋ, ଦେଶର ସବୁଠାରୁ ଦ୍ରୁତତମ ମେଟ୍ରୋ ସେବା। ଆଜିଠାରୁ ମୋଦୀପୁରମରୁ ଦକ୍ଷିଣ ମିରଟ ପର୍ଯ୍ୟନ୍ତ ଯାତ୍ରା କରିବ, ଯାହା ୧୨ଟି ଷ୍ଟେସନରେ ବିସ୍ତୃତ ୨୩ କିଲୋମିଟର ଟ୍ରାକକୁ କଭର କରିବ। ପ୍ରାୟ ୧୩,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ, ମିରଟ ମେଟ୍ରୋ ସମଗ୍ର ଯାତ୍ରାକୁ ମାତ୍ର ୩୦ ମିନିଟ୍ ମଧ୍ୟରେ କଭର କରିବ। ଏହାର ସର୍ବାଧିକ ଘଣ୍ଟା ପ୍ରତି ବେଗ ୧୨୦ କିଲୋମିଟର ରହିବ। ଯଦି ଆମେ ଏହାର ଟିକେଟ୍-ଫି କଥା କହିବା ତେବେ ଏଥିରେ ଯାତ୍ରା କରିବା ପାଇଁ ୧୦ଟଙ୍କାରୁ ୫୦ଟଙ୍କା ମଧ୍ୟରେ ଭଡ଼ା ଦେବାକୁ ପଡ଼ିବ।