
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ନିର୍ମାଣ ହେବ ନୂଆ ଓଡ଼ିଶା ଭବନ । ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଳିଙ୍ଗ ଶୈଳୀରେ ନିର୍ମିତ ହେବ ନୂଆ ‘ଓଡ଼ିଶା ଭବନ’ । ଚାଣକ୍ୟପୁରୀସ୍ଥିତ କୌଟିଲ୍ୟ ମାର୍ଗଠାରେ ନୂତନ ଓଡ଼ିଶା ଭବନର ହେଲା ଶିଳାନ୍ୟାସ । ପୂର୍ବରୁ ଥିବା ପୁରୁଣା ବିଲ୍ଡିଂଟି ଅସୁରକ୍ଷିତ ଘୋଷିତ ହେବା ପରେ ତାହାକୁ ଭାଙ୍ଗି ଦିଆଯାଇଥିଲା। ସେହି ସ୍ଥାନରେ ଏକ ଅତ୍ୟାଧୁନିକ ଓ ଓଡ଼ିଶାର କଳା-ସଂସ୍କୃତିର ଝଲକ ଥିବା ନୂଆ ଭବନ ନିର୍ମାଣ ହେବାକୁ ଯାଉଛି । ପ୍ରାୟ ୦.୪୩ ଏକର ଜମିରେ ୫,୨୮୫ ବର୍ଗ ମିଟର ଅଞ୍ଚଳରେ ଏହା ନିର୍ମିତ ହେବ। ଏହା ଓଡ଼ିଶାର ମନ୍ଦିର ସ୍ଥାପତ୍ୟ କଳା (କଳିଙ୍ଗ ଶୈଳୀ) ଉପରେ ଆଧାରିତ । ଏଥିରେ କୋଣାର୍କ ଚକ୍ର, ପଥର ଖୋଦେଇ କାମ ଏବଂ ଇକତ୍ ଡିଜାଇନର ଛାପ ଦେଖିବାକୁ ମିଳିବ । ଏଥିରେ ୩ଟି ବେସମେଣ୍ଟ, ଗୋଟିଏ ଗ୍ରାଉଣ୍ଡ ଫ୍ଲୋର ଏବଂ ୬ଟି ମହଲା ରହିବ। ଗାଡ଼ି ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।
ମୋଟ ୪୫ଟି ରୁମ୍ ରହିବ, ଯେଉଁଥିରେ ସାଧାରଣ ରୁମ୍, ଏଗଜେକ୍ୟୁଟିଭ୍ ରୁମ୍ ଏବଂ ଭିଆଇପି ସୁଇଟ୍ ସାମିଲ ଅଛି । ବିଲ୍ଡିଂରେ ଏକ ଆଧୁନିକ ରୋଷେଇ ଘର ସହ ୩୨ ଜଣିଆ ଏଗଜେକ୍ୟୁଟିଭ୍ ଡାଇନିଂ ଏବଂ ୧୦ ଜଣିଆ ଭିଆଇପି ଡାଇନିଂ ହଲ୍ ରହିବ । ଦ୍ୱିତୀୟ ମହଲାରେ ୭୩ ଜଣ ବସିବା ଭଳି ଏକ ବଡ଼ କନଫରେନ୍ସ ହଲ୍ ରହିବ। ଓଡ଼ିଶାର ହସ୍ତକଳା ଓ ସଂସ୍କୃତିର ପ୍ରଚାର ପାଇଁ ପ୍ରଥମ ମହଲାରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀ ରହିବ । ସମ୍ପୂର୍ଣ୍ଣ ଏୟାର-କଣ୍ଡିସନ୍, ସୌର ଶକ୍ତି ବ୍ୟବହାର, ବର୍ଷା ଜଳ ସଂରକ୍ଷଣ ଏବଂ ୨୪ ଘଣ୍ଟିଆ ବିଦ୍ୟୁତ ଓ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି । ନୂଆଦିଲ୍ଲୀରେ ଓଡ଼ିଶାର ପ୍ରତିଷ୍ଠାକୁ ବଢ଼ାଇବା ପାଇଁ ଏହି ଭବନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା କେବଳ ଏକ ଅତିଥି ଭବନ ନୁହେଁ, ବରଂ ଦିଲ୍ଲୀ ଦରବାରରେ ଓଡ଼ିଶାର କଳା, ଗୌରବ ଓ ଆଧୁନିକତାର ପ୍ରତୀକ ସାଜିବ ।