
କଟକ : କଟକ ଓଲଟପୁର ଥାନା ଅଞ୍ଚଳରେ ଯୁବ ଫିଜିଓଥେରାଫିଷ୍ଟ ରୋହନ କାକତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଏବେ ଚର୍ଚ୍ଚା । ଆସାମ ମୋରୀଗାଁ ସ୍ଥିତ ନିଜ ଘରୁ ୨୫ ତାରିଖ ଦିନ ସେ ବିମାନରେ ଆସିବା ପରେ ସେଦିନ କଟକରେ ପହଞ୍ଚି ଥିବା ଘରକୁ ଫୋନ୍ କରି ଜଣାଇଥିଲେ । ହେଲେ ତା ପର ଦିନ ୨୬ ତାରିଖରେ ପରିବାର ଖବର ପାଇଲେ, ଯେ ପୁଅ ଆଉ ନାହିଁ । ଛାତ ଉପରୁ ପଡ଼ି ତାଙ୍କ ମୃତ୍ୟୁ ହୋଇଛି ।
ଓଲଟପୁରସ୍ଥିତ ଏକ କଲୋନିରୁ ରୋହନ କାକତିଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ସେ ରହୁଥିବା ଭଡ଼ାଘର ପଛ ପଟରୁ ମୃତଦେହ ଉଦ୍ଧାର କରାଯାଇଥିଲା । ଛାତ ଉପରୁ ତଳକୁ ପଡି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବେଳେ, ବାସ୍ତବରେ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେ ନେଇ ତଦନ୍ତ କରୁଛି ସ୍ଥାନୀୟ ଥାନା ପୋଲିସ । ମୃତ ଯୁବକ ରୋହନ କାକତି ଓଲଟପୁର ସ୍ଥିତ ଏସ ଭି ନିରତାରରରେ ଜଣେ ଫିଜିଓଥେରାଫିଷ୍ଟ ଭାବରେ ଇଣ୍ଟର୍ନସିପ କରୁଥିଲେ । ତାଙ୍କର ଇଣ୍ଟର୍ନସିପ ସରିଯିବା ପରେ ସେ ସ୍ଥାନୀୟ ଅଞ୍ଚଳରେ ରହି ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ରୋହନ କାକତିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପରିବାର । ଏହା ଏକ ଯୋଜନାବଦ୍ଧ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି । ଏହି ଘଟଣାରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପରିବାରବର୍ଗ। ଆସାମ ଓ ଓଡ଼ିଶା ପୋଲିସକୁ ମଧ୍ୟ ଘଟଣା ଉପରେ ଦୃଷ୍ଟି ଦେଇ ସତ୍ୟର ଉନ୍ମୋଚନ କରିବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।