ଅଟକି ଯାଇଛି ଭିତରକନିକାର ଭିତ୍ତିଭୂମି ବିକାଶ: ୫ ବର୍ଷ ତଳେ ମଞ୍ଜୁର ହୋଇଥିଲା ୫୯ କୋଟି

add-all

ରାଜନଗର: ଭିତରକନିକା ଓଡ଼ିଶାର ପ୍ରଥମ ଜାତୀୟ ଉଦ୍ୟାନ। କିନ୍ତୁ ଅନ୍ୟ ପର୍ଯ୍ୟଟନସ୍ଥଳ ତୁଳନାରେ ଭିତରକନିକାର ବିକାଶ ପଛେଇ ଯାଇଛି। ଏହି ଜାତୀୟ ଉଦ୍ୟାନର ବିକାଶ ପାଇଁ ସରକାର ୫ବର୍ଷ ତଳୁ ଅର୍ଥ ଦେଇଥିବା ଘୋଷଣା କରିଥିଲେ ମଧ୍ୟ ଆଜିଯାଏଁ କାମ ଆରମ୍ଭ ହୋଇନି। ଭିତରକନିକାର ବିକାଶ ପାଇଁ ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ୫୮ କୋଟି ୫୮ ଲକ୍ଷ ୫୩ ହଜାର ଟଙ୍କା ବରାଦ କରିଥିଲେ। ଗୁପ୍ତି ଜେଟିରେ ଡ୍ରାଏ ଡକ୍‌ ସୁବିଧା ପାଇଁ ୩୦ ଲକ୍ଷ ଟଙ୍କା, ଡାଙ୍ଗମାଳ ପ୍ରବେଶ ଦ୍ୱାରଠାରେ ପ୍ଲାଜା ଓ ପାର୍କିଂ ନିର୍ମାଣ ପାଇଁ ୩ କୋଟି ୧୫ ଲକ୍ଷ ୪୩ ହଜାର ଟଙ୍କା, ଗୁପ୍ତିଠାରେ ଜେଟି ନିର୍ମାଣ ପାଇଁ ୯ କୋଟି ୨୩ ଲକ୍ଷ ୭୪ ହଜାର ଟଙ୍କା, ଡାଙ୍ଗମାଳରେ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ପାଇଁ ୧୪ କୋଟି ୩୮ ଲକ୍ଷ ୪୪ ହଜାର ଟଙ୍କା, ଡାଙ୍ଗମାଳ ଜେଟିର ଉନ୍ନତୀକରଣ ପାଇଁ ୭ କୋଟି ୪୭ ଲକ୍ଷ ୮୩ ହଜାର ଟଙ୍କା, ଡାଙ୍ଗମାଳରେ କାରିଗରୀ କ୍ରାଫ୍ଟ ବଜାର ଓ ଫୁଡ୍‌କୋର୍ଟ ନିର୍ମାଣ ପାଇଁ ୭ କୋଟି ୭୯ ଲକ୍ଷ ୪୭ ହଜାର ଟଙ୍କା, ଚାନ୍ଦବାଲିରେ ଜେଟି ନିର୍ମାଣ ପାଇଁ ୬ କୋଟି ୮୭ ଲକ୍ଷ ୬୧ ହଜାର ଟଙ୍କା, ଖୋଳାରେ ଜେଟି ନିର୍ମାଣ ପାଇଁ ୬ କୋଟି ୬୬ ଲକ୍ଷ ୧ ହଜାର ଟଙ୍କା ମଞ୍ଜୁର ହୋଇଥିଲା।
ମୁଖ୍ୟ ଫାଟକରେ କୁମ୍ଭୀର ପ୍ରତିକୃତି ନିର୍ମାଣ, ସୂଚନା କେନ୍ଦ୍ର ନିର୍ମାଣ, ଅଲିଭ୍‌ରିଡ୍‌ଲେ, ଲୁଣିପାଣି କୁମ୍ଭୀର, ପକ୍ଷୀ, ମ୍ୟାନଗ୍ରୁଭ୍‌ ସହିତ ୭ଡି ଥିଏଟର୍‌ ଓ ଆକ୍ୱାରିୟମ ରହିବାକୁ ଯୋଜନା ହୋଇଥିଲା। ଖୋଳା, ଗୁପ୍ତି, ଡାଙ୍ଗମାଳ ଓ ଜୟନଗରରେ ନିର୍ମାଣ ହେଉଥିବା ଜେଟିରେ ଫ୍ଲୋଟିଂଜେଟି ସଂଯୁକ୍ତ ରହିବ। ଏଥିସହିତ ଜେଟି ନିକଟରେ ଟିକେଟ୍‌, ସ୍ନାକ୍ସ କେନ୍ଦ୍ର, ଟଏଲେଟ୍‌, ରେଷ୍ଟରୁମ୍‌ ସହିତ ପାର୍କିଂ ସ୍ଥାନ, ୱାଚ୍‌ ଟାୱାର୍‌ ନିର୍ମାଣ କରାଯିବାକୁ ଯୋଜନା ଥିଲା। ସ୍ଥାନ ଚିହ୍ନଟ କରାଯାଇ ପୂର୍ତ୍ତ ବିଭାଗକୁ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଆଜିପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ଟେଣ୍ଡର୍‌ ଡକାଯାଇ ନାହିଁ। ଏହି ଅର୍ଥ କୁଆଡ଼େ ଗଲା, ତାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ୨୦୨୫ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଗସ୍ତରେ ଆସି ଭିତରକନିକାର ବିକାଶ ପ୍ରସଙ୍ଗ ଉଠାଇବା ପରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପର୍ଯ୍ୟଟନ ବିଭାଗର ସଚିବ ବଲୱନ୍ତ ସିଂହ ଭିତରକନିକାରେ ପହଞ୍ଚି ବିଭିନ୍ନ ପ୍ରବେଶ ପଥ ଅନୁଧ୍ୟାନ କରିଥିଲେ। ମାତ୍ର ଆଜିଯାଏଁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନାହିଁ। ଏନେଇ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କୃପାସିନ୍ଧୁ ଧଳ କହିଛନ୍ତି, ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରି ଓ ଅନ୍ୟାନ୍ୟ ସମସ୍ୟା ଥିବାରୁ ବିଭାଗ ଏହି ପ୍ରକଳ୍ପରୁ ଓହରି ଆସିଛି। ଅନ୍ୟପଟେ ଏସିଏଫ୍‌ ମାନସ କୁମାର ଦାସ କହିଛନ୍ତି, କେଉଁ କାମ କେଉଁ ବିଭାଗ କରିବ, ତାହା ଏଯାଏଁ ନିଷ୍ପତ୍ତି ହୋଇପାରି ନାହିଁ।

ad-week
Leave A Reply

Your email address will not be published.