ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ନବରଙ୍ଗପୁରର ତ୍ୟାଗ, କିନ୍ତୁ ଭାଗ୍ୟ ଫିଟିଲା କଳାହାଣ୍ଡିର; ପାଣି ବିନା ହାତବାନ୍ଧି ବସିଛି ଚାଷୀ

add-all

ନବରଙ୍ଗପୁର: ଯେଉଁମାନେ ନିଜର ପୁରୁଷ ପୁରୁଷର ଭିଟାମାଟି ଓ ସୁନା ଫଳୁଥିବା ଚାଷ ଜମିକୁ ପ୍ରକଳ୍ପ ପାଇଁ ଉତ୍ସର୍ଗ କରିଦେଲେ, ଆଜି ସେହିମାନେ ହିଁ ଅବହେଳିତ। ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ପାଇଁ ନବରଙ୍ଗପୁର ଜିଲ୍ଲାବାସୀ ବିସ୍ଥାପିତ ହେଲେ, କିନ୍ତୁ ଏହାର ସମସ୍ତ ସୁଫଳ ପଡ଼ୋଶୀ ଜିଲ୍ଲା କଳାହାଣ୍ଡି ହାତେଇ ନେଇଛି। ପ୍ରକଳ୍ପରୁ ନବରଙ୍ଗପୁରକୁ କାଣିଚାଏ ପାଣି ମିଳୁ ନଥିବାରୁ ଜିଲ୍ଲାର ଶହ ଶହ ହେକ୍ଟର ଜମି ଏବେ ପଡ଼ିଆ ପଡ଼ିଛି।
ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ପୂର୍ବରୁ ପୋଡ଼ାଗଡ଼, କପୁର ଓ ମୁରାନ ନଦୀର ଜଳ ଇନ୍ଦ୍ରାବତୀରେ ମିଶି ଜିଲ୍ଲାର କୃଷି କ୍ଷେତ୍ରକୁ ଶସ୍ୟଶ୍ୟାମଳା କରୁଥିଲା। ସେତେବେଳେ ପ୍ରାୟ ୨ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଦୁଇଟି ଫସଲ ହେଉଥିଲା। କିନ୍ତୁ ନଦୀବନ୍ଧ ପରେ ତଳମୁଣ୍ଡକୁ ପାଣି ଆସିବା ବନ୍ଦ ହୋଇଗଲା। ଫଳରେ ଜିଲ୍ଲାର ରବି ଚାଷ ମାତ୍ର ୫୦ ହଜାର ହେକ୍ଟର ମଧ୍ୟରେ ସୀମିତ ହୋଇଯାଇଛି।
ଚାଷୀଙ୍କ ଆନ୍ଦୋଳନ ପରେ ‘ହାର୍ଜା କମିସନ’ ଇନ୍ଦ୍ରାବତୀ ଓ ମୁରାନ୍ ଡ୍ୟାମ୍‌ରୁ ବର୍ଷସାରା ୭ କ୍ୟୁସେକ୍ ଜଳ ଛାଡ଼ିବାକୁ ଏବଂ ଟୁରୀ ଓ ବାଙ୍ଗରୀ ନାଳରେ ନୂଆ ଡ୍ୟାମ୍ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସରକାରୀ ଉଦାସୀନତା ଯୋଗୁଁ ଏହି ଡ୍ୟାମ୍ ନିର୍ମାଣ ହୋଇପାରୁନାହିଁ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧୀରଞ୍ଜନ ବେହେରାଙ୍କ ସୂଚନା ଅନୁଯାୟୀ, ମୋଟ ଚାଷ ଜମିରୁ ଖରିଫରେ ୧ ଲକ୍ଷ ୭୪ ହଜାର ହେକ୍ଟର (୪୦%) ଏବଂ ରବିରେ ମାତ୍ର ୫୦ ହଜାର ହେକ୍ଟର (୩୫%) ଜମି ଜଳସେଚିତ ହେଉଛି।
ପ୍ରକଳ୍ପର ଲକ୍ଷ୍ୟ ଥିଲା ୧ ଲକ୍ଷ ୨୮ ହଜାର ହେକ୍ଟର ଜମିକୁ ଜଳସେଚନ ଓ ୬୦୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ। କିନ୍ତୁ ନବରଙ୍ଗପୁରର ଚାଷୀ ଆଜି ବି ଶୁଖିଲା ଜମିକୁ ଚାହିଁ ବସିଛି। ଜଳାଭାବ ଯୋଗୁଁ ଚାଷ କାର୍ଯ୍ୟ କରିବା ଅସମ୍ଭବ ହେବାରୁ ଜିଲ୍ଲାର ଅଧିକାଂଶ ଚାଷୀ ପେଟ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।

ad-week
Leave A Reply

Your email address will not be published.