ଯାଜପୁରରେ ନଦୀରେ ବୁଡ଼ିଗଲେ ଦୁଇ ଯୁବକ, ମହାନଦୀରେ ନାବାଳକ ମୃତ

newyr25

ଯାଜପୁର/ବ୍ୟାସନଗର/କଟକ: ପବିତ୍ର ‘ହୋଲି’ ପର୍ବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଯାଜପୁର ଜିଲ୍ଲାରେ ୨ଜଣ ଏବଂ କଟକ ଜିଲ୍ଳାରେ ଜଣଙ୍କର ମୃତ୍ୟୁ ଘଟିଛି। ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଯାଇଥିବା ଯୁବକ ଏବଂ ନାବାଳକମାନେ ଅଘଟଣର ଶିକାର ହୋଇଛନ୍ତି।
ଯାଜପୁର ଜିଲ୍ଲା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀର ଖରୀପଡ଼ିଆ ଘାଟରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ରଙ୍ଗ ଖେଳ ପରେ ସାଙ୍ଗ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ। ମୃତକ ହେଲେ ବରୀ ଯଁପଡା ଅଂଚଳର ହିରଣ୍ୟ କୁମାର ବେହୁରିଆ। ବରୀ ଦମକଳ ବାହିନୀକୁ ବାରମ୍ବାର ଫୋନ ପରେ ବି ଗାଡ଼ି ପହଂଚି ପାରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମୃତଦେହ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ପାଇଁ ରଖା ଯାଇଛି।
ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଆଜି ହୋଲିରେ ଯୋକଡିଆ ଖରସ୍ରୋତା ନଦୀରେ ଅଘଟଣ ଘଟିଛି। ରଙ୍ଗ ଖେଳିସାରି ନଦୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଜଣେ ଯୁବକ ମୃତ ଘଟିଛି। ମୃତ ଯୁବକ ଜଣକ ହେଲେ ଯାଜପୁର ରୋଡ ଥାନା ପଦ୍ମପୁର ଅଞ୍ଚଳର ସଂଗ୍ରାମ ଅଜିତାଭ ଦାସ (୪୦)। ସେ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଉଚ୍ଚ ପଦସ୍ଥ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଗତବର୍ଷ ହୋଲିରେ ମଧ୍ୟ ଉକ୍ତ ସ୍ଥାନରେ ବ୍ୟାସନଗର ସହରର ଫେରୋକ୍ରୋମ ଶିବାନନ୍ଦ ନଗରର ଦୁଇ ଭାଇ ବୁଡି ମୃତ୍ଯବରଣ କରିଥିଲେ। ପ୍ରତିବର୍ଷ ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହାକୁ ନେଇ ସାଧରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅନ୍ୟ ଲୋକମାନଙ୍କୁ ପୁଲିସ ଗାଧୋଉଥିବା ବେଳେ ଘଟଣାସ୍ଥଳରୁ ସମସ୍ତଙ୍କୁ ଘଉଡାଇ ଦେଇଛି। ଶବ ଜବତ କରି ଯାଜପୁର ରୋଡ ଡାକ୍ତରଖାନା ଶବ ଗୃହରେ ରଖାଯାଇଥିବା ବେଳେ ପରିବାର ଲୋକଙ୍କୁ ଖବର ଦିଆଯାଇଛି।
ମହାନଦୀର ଟି-ସେତୁ ନିକଟରେ ଆଜି ଅପରାହ୍‌ଣରେ ଅଘଟଣ ଘଟିଛି। କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅଧୀନ ଟି-ସେତୁ ନିକଟରେ ଗାଧୋଉଥିବା ବେଳେ ଜଣେ ନାବାଳକ ପାଣିରେ ବୁଡ଼ି ଯାଇଛନ୍ତି। ଆଜି ଅପରାହ୍‌ଣରେ ୩ଜଣ ନାବାଳକ ଗାଧୋଇବାକୁ ମହାନଦୀକୁ ଯାଇଥିଲେ। ଏହି ସମୟରେ ତୁଣପୁର ଗାଁର ବାଳକ ବୁଡ଼ି ଯାଇଥିଲେ। ତାକୁ ଦମକଳ ବାହିନୀ ଉଦ୍ଧାର କରିଥିଲେ। କିନ୍ତ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.