
ନୟାଗଡ଼ : ନୟାଗଡ଼ ଜିଲ୍ଲାର ଅନ୍ୟତମ ସର୍ବପୁରାତନ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏହାର ସମାଧାନ ପାଇଁ ବିଭିନ୍ନ ଦାବି ନେଇ ଶରଣକୁଳ ବିକାଶ ମଞ୍ଚ ତରଫରୁ ନୟାଗଡ଼ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସମାଧାନ କରାଯାଇନଥିଲା ।ପୂର୍ବ ନିଷ୍ପତି କ୍ରମେ ଶରଣକୁଳ ବିକାଶ ମଞ୍ଚର ଆହ୍ଵାନ କ୍ରମେ ୧୮ଟି ପଞ୍ଚାୟତର ଜନସାଧାରଣ ଏବଂ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ କରି ଶରଣକୁଳ ବଣିକ ସଂଘ ଏବଂ ଅନ୍ୟ ସଂଗଠନ ଗୁଡ଼ିକ ମିଳିତ ଭାବରେ ଏହି ବନ୍ଦକୁ ସଫଳ କରିବା ପାଇଁ ଆଗେଇ ଆସିଥିଲେ ।ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟା ଧରି ଶରଣକୁଳ ଅଞ୍ଚଳର ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ବ୍ୟାଙ୍କ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା ।
ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ, ପୂର୍ବରୁ ଚାଲିଥିବା ପାଳି ବ୍ୟବସ୍ଥାକୁ ବନ୍ଦ କରିବା ସହିତ ବିଗତ ଦିନରେ ଡାକ୍ତରଙ୍କୁ ମାଡ ମାରିଥିବା ଘଟଣାରେ କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ସେ ସମ୍ପର୍କେ ତଥ୍ୟ ପ୍ରଦାନ, ଭାରପ୍ରାପ୍ତ ଅଧିକାରୀଙ୍କ ସମ୍ପର୍କରେ ହୋଇଥିବା ନିର୍ଦ୍ଦେଶ ପ୍ରତ୍ୟାହାର କରିବା, ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚାଲିଥିବା ନୂତନ ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ଏବଂ ଅଭାବ ଥିବା ସମସ୍ତ ପରୀକ୍ଷା ଯନ୍ତ୍ରପାତି ତୁରନ୍ତ ଯୋଗାଇ ଦେବା ପାଇଁ ଶରଣକୁଳ ବିକାଶ ମଞ୍ଚ ପକ୍ଷରୁ ଦାବି ରହିଥିଲା ।ସ୍ଥାନୀୟ ଜନସାଧାରଣ ଡାକ୍ତରଖାନା ଗେଟ୍ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ଲଡୁ ବାବାଙ୍କ ମନ୍ଦିରରେ ପହଞ୍ଚି ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । କମ୍ୟୁନିଷ୍ଟ ଦଳର ନେତା ଗୋଲକ ବିହାରୀ ମୁଦୁଲିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିକାଶ ମଂଚର ଆବାହକ ପବିତ୍ର ଇନ୍ଦ୍ରଜିତ, ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଶିଖରପୁର ସରପଂଚ ସନ୍ୟାସୀ ପ୍ରଧାନ, ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାସ, ଛାତ୍ର କଂଗ୍ରେସ ସଭାପତି ଶିବ ପ୍ରସାଦ ସାହୁ, ଯୁବ କଂଗ୍ରେସ ନେତା ବିଭୁ ପ୍ରସାଦ ମିଶ୍ର, ସମିତି ସଭ୍ୟ ପ୍ରତୀକ ମହାପାତ୍ର,ଜ୍ୟୋତି ପ୍ରଭା ଜେନା, ସମାଜସେବୀ କୃଷ୍ଣଚନ୍ଦ୍ର ମହାପାତ୍ର, ତ୍ରିଲୋଚନ ମହାପାତ୍ର, ଆଲୋକ ପ୍ରଧାନ, କିଶୋର ମହାପାତ୍ର ଏବଂ ନାରୀନେତ୍ରୀ ସୁଜାତା ଦାସଙ୍କ ସମେତ ଦଳମତ ନିର୍ବିଶେଷରେ ସମସ୍ତ ନେତୃବୃନ୍ଦ ଯୋଗଦାନ କରି ଦାବି ପୂରଣ ପାଇଁ ଦୃଢ ବକ୍ତବ୍ୟ ପ୍ରଦାନ କରିଥିଲେ।ସମସ୍ତ ନେତୃବୃନ୍ଦ ନିଜର ତୀକ୍ଷ୍ଣ ବକ୍ତବ୍ୟ ପ୍ରଦାନ କରିବା ସହିତ ଜନସାଧାରଣ ମାନଙ୍କର ସ୍ବାର୍ଥ ଦୃଷ୍ଟିରୁ ଆଗାମୀ ୭ ଦିନ ମଧ୍ୟରେ ଉପରୋକ୍ତ ଦାବି ଗୁଡ଼ିକ ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଚେତାବନୀ ଦେଇଛନ୍ତି।ମାତ୍ର ସ୍ଥାନୀୟ ବିଧାୟିକା ସୁରମା ପାଢୀଙ୍କ ନିରବତା ଯୋଗୁଁ ସମସ୍ତେ କ୍ଷୁବ୍ଧ ହେବା ସହିତ ତାଙ୍କର କୁଶ ପୁତ୍ତଳିକାକୁ ଲଡୁ ବାବାଙ୍କ ମନ୍ଦିର ସମ୍ମୁଖରେ ଦାହ କରାଯାଇଥିଲା।