
ମୟୁରଭଞ୍ଜ : ଶିମିଲିପାଳ ଟାଇଗର ରିଜର୍ଭରେ ଧରାପଡ଼ିଲେ ୪ ଶିକାରୀ । ଦୁଇ ଦେଶୀ ବନ୍ଧୁକ ଜବତ । ଧରାଇଲା AI କ୍ୟାମେରା । ଶିମିଲିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ ଶିକାରୀଙ୍କ ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ୟାମେରା ଓ ଇନ୍ଫ୍ରାରେଡ୍ ଟ୍ରାପ୍ କ୍ୟାମେରା ସ୍ଥାପନ କରାଯାଇଛି । ଏହି କ୍ୟାମେରା ମାଧ୍ୟମରେ ଶିମିଳିପାଳ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଅବୈଧ ଭାବେ ପ୍ରବେଶ କରୁଥିବା ଶିକାରୀଙ୍କୁ ଟ୍ରାକ୍ କରାଯାଉଛି ।
ଗତ ୫ ମାର୍ଚ୍ଚ ରାତି ପ୍ରାୟ ୯ଟା ୪୦ ମିନିଟ୍ ସମୟରେ ଡୁକୁରା ୱାଇଲ୍ଡଲାଇଫ୍ ରେଞ୍ଜ ଅଧୀନ ବହଳଦା ସେକ୍ସନ୍ ର ଚନ୍ଦନଚତୁରୀ-୨ ବିଟ୍ ଅନ୍ତର୍ଗତ ମାଙ୍କଡ଼ାଘାଟି ଫୁଟପାଥ୍ ଅଞ୍ଚଳରେ ଲାଗିଥିବା AI କ୍ୟାମେରାରୁ ଦୁଇଟି ଫଟୋ ଆଲର୍ଟ ମିଳିଥିଲା । ସେହି ଫଟୋରେ ତିନିଜଣ ଶିକାରୀ ବନ୍ଧୁକ ନେଇ ଟାଇଗର ରିଜର୍ଭର କୋର ଏରିଆ ମଧ୍ୟରେ ଗତିଶୀଳ ହେଉଥିବା ଦେଖାଯାଇଥିଲେ ।
ଡୁକୁରା ୱାଇଲ୍ଡଲାଇଫ୍ ରେଞ୍ଜ ଅଧିକାରୀ କ୍ଷେତ୍ରସ୍ଥ କର୍ମଚାରୀମାନଙ୍କୁ ତୁରନ୍ତ ପେଟ୍ରୋଲିଂ କରି ଶିକାରୀଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଧିରେନ୍ଦ୍ର ମାଲିକ ଅଲିଆସ୍ ବେଣ୍ଡାଲକୁ ତାଙ୍କ ଘର ସମ୍ମୁଖରୁ ଧରାଯାଇଥିଲା । ପଚରାଉଚରା ସମୟରେ ସେ ତାଙ୍କ ସହଯୋଗୀମାନଙ୍କ ନାମ ସୁନିଲ ଭକ୍ତା, ସାହାଦେବ ମାଲିକ ଓ ରାମଚନ୍ଦ୍ର ହାଁସଦା ବୋଲି ସୂଚନା ଦେଇଥିଲେ । ଅଭିଯୁକ୍ତମାନେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ର ବିଭିନ୍ନ ଧାରା ଉଲଂଘନ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ବାରିପଦା ସିଜେଏମ୍ ଅଦାଲତରେ ହାଜର କରାଯାଇ ନ୍ୟାୟିକ ହାଜତକୁ ପଠାଯାଇଛି । ଘଟଣାରେ ବନବିଭାଗ ପକ୍ଷରୁ ଆହୁରି ତଦନ୍ତ ଚାଲିଛି ।