
କେନ୍ଦ୍ରାପଡା : ମଧ୍ୟପ୍ରାଚ୍ୟରେ ଫସିଛନ୍ତି ଓଡ଼ିଆ ଶ୍ରମିକ । ଆମେରିକା ଓ ଇରାନ ଯୁଦ୍ଧର ଖବର ଶୁଣି ଫସିଥିବା ଓଡ଼ିଆ ଶ୍ରମିକଙ୍କ ପରିବାର ଲୋକ ଅସ୍ତବ୍ୟସ୍ତ । ଘର ଲୋକଙ୍କ କାନ୍ଦବୋବାଳିରେ ଫାଟୁଛି ଗାଁ ଦାଣ୍ଡ । କେନ୍ଦ୍ରାପଡା ଜିଲ୍ଲା ଆଳି ଓ ରାଜକନିକା ଥାନା ଅଞ୍ଚଳରେ ଶତାଧିକ ଓଡ଼ିଆ ଶ୍ରମିକ ଏବେ ମଧ୍ୟ ପ୍ରାଚ୍ୟରେ ଫସିରହିଛନ୍ତି । ରୋଜଗାର କରିବାକୁ ଦୁବାଇ, କତାର, କୁଏତ ଆଦି ଦେଶକୁ ଯାଇ ସେଠାରେ ଫସି ଯାଇଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ । ଆଳି ମହୁ ଗାଁର ବଟତ୍କୃଷ୍ଣ ତରାଇ ଓ ଭାଗବତ ତରାଇ ୨ ବର୍ଷ ହେବ ପାଇପ ମିସ୍ତ୍ରୀ ଭାବେ ଦୁବାଇରେ କାମ କରୁଛନ୍ତି । ଏବେ ଯୁଦ୍ଧ ଯୋଗୁଁ ସେଠାରେ ଫସିଯାଇଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଘରେ ଘରେ ରୋଷେଇ ବନ୍ଦ ହୋଇଯାଇଛି । କେବେ ପୁଅ ଘରକୁ ଫେରିବ, ତାକୁ ଚାହିଁ ବସିଛନ୍ତି ବୁଢା ବାପା, ମାଆ ଓ ପରିବାର ଲୋକ।
ଅନ୍ୟପଟେ ଇରାନ ଏବଂ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ଷିପ୍ର ହେବାରେ ଲାଗିଛି । ଉଭୟ ପକ୍ଷ ପରସ୍ପରର ସହଯୋଗୀ ରାଷ୍ଟ୍ରଙ୍କୁ କ୍ଷେପଣାସ୍ତ୍ର, ଡ୍ରୋନ ଆକ୍ରମଣ କରୁଛନ୍ତି । ଫଳରେ ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ମିଜାଇଲ ମାଡ଼ରେ ଥରି ଉଠୁଛି ଅତ୍ୟାଧୁନିକ ଅଟ୍ଟାଳିକା । ଭୁଶୁଡି ପଡୁଛି ସୁଉଚ୍ଚ ବିଲ୍ଡିଂ । ମଧ୍ୟପ୍ରାଚ୍ୟ ଦେଶରେ ଫସି ରହିଛନ୍ତି କୋଟି କୋଟି ଭାରତୀୟ । ସେମାନଙ୍କ ମଧ୍ୟରେ ଲକ୍ଷାଧିକ ପ୍ରବାସୀ ଓଡ଼ିଆ ରହିଛନ୍ତି । ବିଶେଷ କରି ଦୁବାଇ, ସାଉଦି ଆରବ, ବାହାରିନ ଭଳି ଦେଶରେ ଅଧିକାଂଶ ପ୍ରବାସୀ ଓଡ଼ିଆ ଅବସ୍ଥାନ କରୁଛନ୍ତି । ସେମାନେ ଭୟରେ କାଳାତିପାତ କରୁଛନ୍ତି । ପରିବାର ଲୋକ ମଧ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି ।