
ଉମରକୋଟ / ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚକଲାପଦର ପଞ୍ଚାୟତର ଦୁଇମାନ ଗ୍ରାମରେ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧାର ଭୟାବହ ଅଭାବ ଦେଖିବାକୁ ମିଳୁଛି। ପାନୀୟ ଜଳ, ପକ୍କା ରାସ୍ତା, ପୋଲ ଓ ବିଦ୍ୟୁତ ଭଳି ଆବଶ୍ୟକ ସୁବିଧା ନଥିବାରୁ ଗ୍ରାମବାସୀ ଦୀର୍ଘଦିନ ଧରି ଅନେକ ସମସ୍ୟା ସହ ଜୀବନ ଯାପନ କରୁଛନ୍ତି।
ବାହାରକରମରି ଛକ ଠାରୁ ପ୍ରାୟ ୪ କିଲୋମିଟର ଭିତରକୁ କରମରୀ ରାସ୍ତା ଧରି ଯିବା ପରେ ଏକ ନାଳ ପାର୍ଶ୍ୱରେ ଅବସ୍ଥିତ ଏହି ଦୁଇମାନ ଗ୍ରାମ। ଗ୍ରାମକୁ ପହଞ୍ଚିବା ପାଇଁ ପ୍ରଥମେ ଏକ ନାଳ ପାର ହୋଇ ପ୍ରାୟ ୧୦୦ ମିଟର ଯିବାକୁ ପଡ଼େ। ପ୍ରାୟ ୨୦ ବର୍ଷ ପୂର୍ବରୁ ସ୍ଥାପିତ ଏହି ଗ୍ରାମରେ ପ୍ରାୟ ୧୦ଟି ପରିବାର ବସୋବାସ କରୁଥିବା ବେଳେ, ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଗ୍ରାମରେ ଗୋଟିଏ ମଧ୍ୟ ନୂତନ ନଳକୂପ ଖନନ ହୋଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ପାନୀୟ ଜଳ ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ଗ୍ରାମକୁ ଘେରି ବହିଯାଉଥିବା କଚରା ନାଳର ପାଣି ଉପରେ ହିଁ ଗ୍ରାମବାସୀମାନେ ନିର୍ଭର କରୁଛନ୍ତି। ଏହି ନାଳ ପାଣିକୁ ପାନୀୟ ଜଳ ସହ ଘରୋଇ ବିଭିନ୍ନ କାମରେ ବ୍ୟବହାର କରିବାକୁ ପଡ଼ୁଛି। ଏହା ବ୍ୟବହାର କରିବା ଫଳରେ ସମୟ ସମୟରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେଉଥିବା ଅଭିଯୋଗ ହୋଇଛି।
ସେହିଭଳି ଭିତରକରମରି ଠାରୁ ଦୁଇମାନ ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ଓ ନାଳ ଉପରେ ପୋଲ ନିର୍ମାଣ ହୋଇନଥିବାରୁ ବର୍ଷା ଦିନରେ ଯାତାୟାତ ବହୁତ କଷ୍ଟସାଧ୍ୟ ହୋଇପଡ଼େ। ବର୍ଷା ସମୟରେ ନାଳରେ ପାଣି ବଢ଼ିଲେ କେତେକ ସମୟ ପାଇଁ ଗ୍ରାମବାସୀମାନେ ଜଳବନ୍ଦୀ ହୋଇପଡ଼ୁଥିବା ଦେଖାଯାଏ।
ଗ୍ରାମରେ ବିଦ୍ୟୁତ ସୁବିଧା ମଧ୍ୟ ଆଜି ପର୍ଯ୍ୟନ୍ତ ପହଞ୍ଚିପାରିନାହିଁ। ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ପ୍ରଶାସନ ପକ୍ଷରୁ ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ପୋତିବା, ତାର ବିଛାଇବା ଓ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଥିଲା। କିନ୍ତୁ କାମ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେବାରୁ ତାର ଓ ଟ୍ରାନ୍ସଫର୍ମର ଚୋରି ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି। ଫଳରେ ଆଜି ପର୍ଯ୍ୟନ୍ତ ଗ୍ରାମଟି ଅନ୍ଧାରରେ ରହିଛି।
ସନ୍ଧ୍ୟା ହେଲେ ଜଙ୍ଗଲ ଓ ପାହାଡ଼ ଘେରା ଏହି ଗ୍ରାମରେ ବନ୍ୟଜନ୍ତୁ ଓ ସରୀସୃପର ଭୟରେ ଲୋକମାନେ ଘରର ଦ୍ୱାର ବନ୍ଦ କରିଦିଅନ୍ତି। ଛାତ୍ରଛାତ୍ରୀମାନେ ଡିବିରି ଆଲୋକରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି।
ଏହି ସମସ୍ତ ସମସ୍ୟାର ସତ୍ୱର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯାଉ ବୋଲି ଗ୍ରାମର ବାସବ ଭତରା, ଚନ୍ଦ୍ରା ଭତରା, କରଫୁଲ ଭତରା, ବନସିଂ ଭତରା, ଲଳିତା ଭତରା, ପଦ୍ମନୀ ଭତରା, ଧନ ମାଝୀ, ଡୁମେର ମାଝୀ, ଭଜନ ମାଝୀ, ଉସାବତୀ ମାଝୀ, ହରିବନ୍ଧୁ ଭତରା ଓ ଲବାଏ ଭତରା ପ୍ରମୁଖ ଦାବି କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ଯଦି ଗ୍ରାମରେ ଶୀଘ୍ର ନଳକୂପ ଖନନ, ପକ୍କା ରାସ୍ତା ଓ ପୋଲ ନିର୍ମାଣ ସହ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରାଯାଏ, ତେବେ ଦୀର୍ଘଦିନ ଧରି ଚାଲିଥିବା ସମସ୍ୟାରୁ ଗ୍ରାମବାସୀମାନେ ମୁକ୍ତି ପାଇପାରିବେ। ଏବେ ଦେଖିବାକୁ ବାକି ରହିଲା, ପ୍ରଶାସନ କେବେ ଏହି ଗ୍ରାମଟିର ଦୁଃଖ ଲାଘବ କରି ବିଦ୍ୟୁତ ଓ ପାନୀୟ ଜଳର ବ୍ୟବସ୍ଥା କରିବେ।