ମିଶନ ଶକ୍ତି କମିଶନରଙ୍କ ଗଞ୍ଜାମ ଗସ୍ତ: ଶିକ୍ଷାନୁଷ୍ଠାନ ଓ କିଆଫୁଲ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ ସହ ମହିଳା ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା

kalipuja

ଛତ୍ରପୁର, ୧୧/୧୧: ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ମାନସୀ ନିମ୍ଭାଲ ନିଜର ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନମୂଳକ ତଥା ଜୀବିକାଭିତ୍ତିକ କାର୍ଯ୍ୟକଳାପର ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରିଛନ୍ତି।

ଗସ୍ତର ପ୍ରଥମ ଦିନରେ ସେ ଖଲ୍ଲିକୋଟ ବ୍ଲକ୍‌ ଅନ୍ତର୍ଗତ ସମଲ ନାସି ଓ ଡିମିରିଆ ଗ୍ରାମ ପରିଦର୍ଶନ କରିଥିଲେ। ସମଲ ନାସିଠାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ସେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକଳାପ ସମ୍ପର୍କରେ ତୃଣମୂଳ ସ୍ତରରୁ ସମୀକ୍ଷା କରିଥିଲେ। ଏଥିସହିତ ସମଲ ଗ୍ରାମକୁ ସଂଯୋଗ କରୁଥିବା ନିର୍ମାଣାଧୀନ ସେତୁ କାର୍ଯ୍ୟସ୍ଥଳକୁ ଯାଇ ତାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ତଦାରଖ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଏହାପରେ ଡିମିରିଆ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ନିର୍ମିତ ହୋଇଥିବା ୩୨ରୁ ଊର୍ଦ୍ଧ୍ୱ ଗୃହ ବୁଲି ଦେଖିବା ସହିତ ଗ୍ରାମର ପ୍ରସିଦ୍ଧ ପାରମ୍ପରିକ ଟେରାକୋଟା କାର୍ଯ୍ୟର ଶୈଳୀ ଓ ଉତ୍ପାଦନ ଅନୁଧ୍ୟାନ କରିଥିଲେ। ଏଥିସହ ଉକ୍ତ ଗ୍ରାମର ଶତାଧିକ ‘ଲକ୍ଷପତି ଦିଦି’ଙ୍କ ଜୀବିକା ନିର୍ବାହ, ସେମାନଙ୍କ ସ୍ୱାବଲମ୍ବନଶୀଳତା ଏବଂ ଆୟବୃଦ୍ଧି ଲକ୍ଷ୍ୟ ପୂରଣ ଦିଗରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ମଧ୍ୟ ବିସ୍ତୃତ ସମୀକ୍ଷା କରିଥିଲେ।

ଗସ୍ତର ଦ୍ୱିତୀୟ ଦିନରେ କମିଶନର ଶ୍ରୀମତୀ ନିମ୍ଭାଲ ବିଭିନ୍ନ ଶିକ୍ଷାନୁଷ୍ଠାନ, ଜ୍ଞାନ ବିକାଶ କେନ୍ଦ୍ର ଓ କିଆଫୁଲ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିଥିଲେ। ଗୋଳନ୍ଥରାସ୍ଥିତ ପଲ୍ଲୁର ହିଲ୍‌ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ପଲ୍ଲୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଭାବ ବିନିମୟ କରିଥିଲେ। ଶିକ୍ଷାର ଗୁଣାତ୍ମକ ବିକାଶ, ନିଜର ଲକ୍ଷ୍ୟ ନିର୍ଦ୍ଧାରଣ ଏବଂ ଭବିଷ୍ୟତରେ ଜୀବନର ପ୍ରତିଟି କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକୀୟ ମାର୍ଗଦର୍ଶନ ଓ ଉତ୍ସାହ ପ୍ରଦାନ କରିଥିଲେ। ଏଥିସହିତ ପାଠ୍ୟପୁସ୍ତକରୁ ବିଭିନ୍ନ ପ୍ରଶ୍ନ ପଚାରି ସେମାନଙ୍କ ବୌଦ୍ଧିକ ତଥା ଶିକ୍ଷଣ ସ୍ତରର ମାନ ଅନୁଧ୍ୟାନ କରିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ସେ ଚିକିଟି ବ୍ଲକ୍‌ର ଉଳପୁର ଗ୍ରାମସ୍ଥିତ ଜ୍ଞାନ ବିକାଶ କେନ୍ଦ୍ରର ଶିଶୁ ବାଟିକା ପରିଦର୍ଶନ କରିଥିଲେ। ସେଠାରେ ଶିଶୁମାନଙ୍କ ଯତ୍ନ ଏବଂ ସେମାନଙ୍କୁ ନିୟମିତ ଯୋଗାଇ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟର ଗୁଣାତ୍ମକ ମାନ ଯାଞ୍ଚ କରିଥିଲେ। ପ୍ରତ୍ୟେକ ଶିଶୁଙ୍କୁ ଉପଯୁକ୍ତ ସ୍ନେହ, ଯତ୍ନ ସହ ସୁଷମ ତଥା ପୁଷ୍ଟିକର ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ କର୍ମଚାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସେ ରଙ୍ଗେଇଲୁଣ୍ଡା ବ୍ଲକ୍‌ ଅଧୀନ ଗୁଣୁପୁର ଓ କେଳୁଆପଲ୍ଲୀସ୍ଥିତ କିଆଫୁଲ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରି କିଆ ଅତର ଓ ଜଳ ଉତ୍ପାଦନ ପ୍ରଣାଳୀର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହୋଇଥିଲେ।

ଏହି ଦୁଇଦିନିଆ ସରକାରୀ ଗସ୍ତ କାର୍ଯ୍ୟକ୍ରମ ସମୟରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାଶ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ସନ୍ତୋଷ ରଥ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜୟକୃଷ୍ଣ ମହାପାତ୍ରଙ୍କ ସମେତ ବିଭାଗୀୟ ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.