ଆସିକା ACMPCS ଜମି ଦୁର୍ନୀତି: ଶାଗମାଛ ଦରରେ ୯୯ ବର୍ଷ ଲିଜ୍ ପରେ କୋଟି କୋଟିର ଋଣ ଓ ଅଟାଳିକା ନିର୍ମାଣ, ଚର୍ଚ୍ଚାରେ ବରିଷ୍ଠ ଅଧିକାରୀଙ୍କ ଭୂମିକା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରମୁଖ ସମବାୟ ନଗରୀ ଭାବେ ପରିଚିତ ଆସିକା। ଦୀର୍ଘ ଦଶନ୍ଧି ଧରି ଆସିକା ACMPCS ଲାଭଜନକ ସ୍ଥିତିରେ ଚାଲିବା ସହ ସମଗ୍ର ଏସିଆ ମହାଦେଶରେ ଏହି ସମବାୟ ସଂସ୍ଥାର ଏକ ସ୍ୱତନ୍ତ୍ର ସୁନାମ ଥିଲା। ମାତ୍ର କିଛି ନେତାଙ୍କ ସ୍ୱାର୍ଥପର ରାଜନୀତି ଯୋଗୁଁ କାଳକ୍ରମେ ଏହି ଐତିହାସିକ ଅନୁଷ୍ଠାନଟି ରୁଗ୍ଣ ଅବସ୍ଥାକୁ ଚାଲିଆସିଲା। ଅନୁଷ୍ଠାନ ଦୁର୍ବଳ ହେବା ପରେ ଏହାର ଦୁର୍ଲଭ ତଥା ବେଶ୍ ମୂଲ୍ୟବାନ ସମ୍ପତ୍ତି ଉପରେ ଜମି ମାଫିଆମାନଙ୍କର ଲୋଲୁପ ଦୃଷ୍ଟି ପଡ଼ିଥିଲା। ଗତ ବିଜେଡ଼ି ସରକାର ସମୟରେ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଅତି ତରବରିଆ ଭାବେ ଶାଗମାଛ ଦରରେ ୯୯ ବର୍ଷ ପାଇଁ ଏହି ଜମିକୁ ଜଣେ ପ୍ରଭାବଶାଳୀ ତଥା ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଲିଜ୍ ସୂତ୍ରରେ ପ୍ରଦାନ କରିବା ନେଇ ସେତେବେଳେ ବିଭିନ୍ନ ମହଲରେ ତୀବ୍ର ଚର୍ଚ୍ଚା ଓ ଅସନ୍ତୋଷ ପ୍ରକାଶ ପାଇଥିଲା। ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏହି ମୂଲ୍ୟବାନ ଜମିକୁ ଅତି ଚତୁରତାର ସହ କାଗଜପତ୍ରରେ ସବୁକିଛି ଠିକ୍ଠାକ୍ ଦର୍ଶାଯାଇ, ଯେଉଁ ନିର୍ଦ୍ଦିଷ୍ଟ ବ୍ୟକ୍ତି ଆବେଦନ କରିଥିଲେ ତାଙ୍କୁ ହିଁ ପ୍ରଦାନ କରାଗଲା ବୋଲି ବ୍ୟାପକ ଆଲୋଚନା ହୋଇଥିଲା।
ରାଜ୍ୟରେ ନୂତନ ସରକାର କ୍ଷମତାସୀନ ହେବା ପରେ ଏହି ମୂଲ୍ୟବାନ ଜମି ଲିଜ୍ ସମ୍ପର୍କରେ ବିଧାନସଭାରେ ଆସିକା ବିଧାୟକ ପ୍ରଶ୍ନ ଉଠାଇଥିଲେ ଏବଂ ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ତଥ୍ୟ ରଖିଥିଲେ। ତେବେ ବିଧାନସଭାରେ ପ୍ରଶ୍ନୋତ୍ତର ପରେ ଏହି ଜମି ଦୁର୍ନୀତି ଘଟଣାକୁ ଚପାଇ ଦେବା ପାଇଁ ଆସିକାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମୁଠା ମୁଠା ଟଙ୍କାର ଖେଳ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଥିଲା। ଗୋଟିଏ ପଟେ ସ୍ଥାନୀୟ ଅଞ୍ଚଳରେ ଏକ ସରକାରୀ ଚିକିତ୍ସାଳୟ ଏବଂ କୋର୍ଟ କୋଠା ସ୍ଥାନାନ୍ତର ପାଇଁ ଆଜି ସୁଦ୍ଧା ଉପଯୁକ୍ତ ସରକାରୀ ଜମି ଚିହ୍ନଟ ହୋଇପାରୁନାହିଁ, ଅନ୍ୟପଟେ ACMPCS ର ବହୁ ମୂଲ୍ୟବାନ ଜମିକୁ ଶାଗମାଛ ଦରରେ ମାତ୍ର ୨ କୋଟି ୬୨ ଲକ୍ଷ ଟଙ୍କାରେ ଜଣେ ଖାସ୍ ବ୍ୟବସାୟୀଙ୍କୁ ଟେକି ଦିଆଗଲା। ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିବିଶେଷଙ୍କ ପ୍ରତି ତତ୍କାଳୀନ ଜିଲ୍ଲାପାଳ କେଉଁ କାରଣରୁ ଏତେ ଅହେତୁକ ଅନୁକମ୍ପା ଦେଖାଇଲେ, ତାହା ଏବେ ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପୂର୍ବରୁ ପ୍ରଥମେ କବିସୂର୍ଯ୍ୟନଗର ବିଦ୍ୟୁତ ବିଭାଗ ସବ୍-ଷ୍ଟେସନ ସମ୍ମୁଖରେ ଥିବା ଏକ ବିରାଟ ଜମିକୁ ୩୦ ବର୍ଷ ପାଇଁ ସେହି ବ୍ୟକ୍ତିଙ୍କୁ ଲିଜ୍ ଦିଆଯାଇଥିଲା। ଏହାପରେ ପୁଣି ଆସିକା ଅଞ୍ଚଳର ଅତି ମୂଲ୍ୟବାନ ACMPCS ର ଜମିକୁ ସେହି ଏକା ବ୍ୟକ୍ତିଙ୍କୁ ଅତି ତରବରିଆ ଭାବେ ୯୯ ବର୍ଷ ପାଇଁ ଲିଜ୍ ଆକାରରେ ଦିଆଯିବା ଘଟଣା ସନ୍ଦେହକୁ ଆହୁରି ଘନୀଭୂତ କରିଛି।
ବିଧାନସଭାରେ ପ୍ରସଙ୍ଗ ଉଠିବା ପରେ ନିରପେକ୍ଷ ତଦନ୍ତ ହେବ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆସିକାବାସୀ ଚାତକ ଭଳି ଚାହିଁ ରହିଥିଲେ; କିନ୍ତୁ ବିଡ଼ମ୍ବନାର ବିଷୟ, ଏହି ତଦନ୍ତ ପ୍ରକ୍ରିୟା ଆଜି ସୁଦ୍ଧା ଶୀତଳଭଣ୍ଡାରରେ ପଡ଼ିରହିଥିବା ନେଇ ଆଲୋଚନା ହେଉଛି। କୁହାଯାଉଛି ଯେ, ଶାଗମାଛ ଦରରେ ଲିଜ୍ ନେବା ପରେ ଉକ୍ତ ଜମିକୁ ବନ୍ଧକ ରଖି ଏକ ବଡ଼ ଧରଣର ଡିଲ୍ ମାଧ୍ୟମରେ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଉଠାଯାଇଛି ଏବଂ ସେଠାରେ ବର୍ତ୍ତମାନ ବିରାଟ ଅଟାଳିକା ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ମାତ୍ର ଅଢ଼େଇ କୋଟି ଟଙ୍କାରେ ଏହି ମୂଲ୍ୟବାନ ଜମି ଲିଜ୍ ନେବା ପରେ, ସେଥିରୁ କୋଟି କୋଟି ଟଙ୍କାର ଋଣ ଉଠାଇ ବାହାର ରାଜ୍ୟର ଏକ କମ୍ପାନୀକୁ ପୁଣି ସବ୍-ଲିଜ୍ରେ ଦେଇ ଅଟାଳିକା ନିର୍ମାଣ କରି ହସ୍ତାନ୍ତର କରିବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ, ଯେଉଁ ବରିଷ୍ଠ ଅଧିକାରୀ ନିଜ କ୍ଷମତାର ଅପବ୍ୟବହାର କରି ଏହି ଜମିକୁ ଶାଗମାଛ ଦରରେ ହାତ ଟେକି ଦେଇଥିଲେ, ସେ ଏବେ ସରକାରୀ ସ୍ତରରେ ଆହୁରି ବଡ଼ ଦାୟିତ୍ୱ ପାଇ ପୁନର୍ବାର ଗଞ୍ଜାମ ଜିଲ୍ଲାକୁ ଆସିଛନ୍ତି। ଏହି ବଡ଼ ଅଧିକାରୀଙ୍କୁ ହାତ କରି ତଥା ଖୁସି ରଖି ଜିଲ୍ଲାର ଅନ୍ୟାନ୍ୟ ମୂଲ୍ୟବାନ ସରକାରୀ ଜମିକୁ ହାତେଇବା ପାଇଁ ଉକ୍ତ କରିତକର୍ମା ବ୍ୟବସାୟୀ ଜଣକ ପୁଣି ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି, ଯାହାକୁ ନେଇ ଏବେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
