
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀପଠାରୁ ହାଇୱା, ଟିପର ଓ ଟ୍ରକ ଯୋଗେ ବିଶେଷକରି ରାତି ସମୟରେ ବ୍ୟାପକ ଭାବେ ବାଲି ଚାଲାଣ ହେଉଛି। ଏପରି ସ୍ଥିତିରେ ସ୍ଥାନୀୟ ପୁଲିସ ଓ ରାଜସ୍ୱ ବିଭାଗ ସବୁ ଜାଣିଶୁଣି ଜଳକା ସାଜି ନୀରବଦ୍ରଷ୍ଟା ପାଲଟିଥିବା ବେଳେ ଖଣି ବିଭାଗ ପ୍ରତ୍ୟେକ ବାଲି ବୋଝେଇ ଗାଡ଼ିରୁ ନିୟମିତ ବଟି ଆଦାୟ କରୁଥିବା ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଚର୍ଚ୍ଚା ହେଉଛି। ବୈଧ ‘ୱାଇ ଫର୍ମ’ ଥାଇ ମଧ୍ୟ ଯଦି କୌଣସି ଗାଡ଼ି ଚାଳକ କିମ୍ବା ମାଲିକ ଦାବି ମୁତାବକ ବଟି ନ ଦିଅନ୍ତି, ତେବେ ଉକ୍ତ ଗାଡ଼ିକୁ ଜୋରଜବରଦସ୍ତ ଜବତ କରି ସ୍ଥାନୀୟ ପୁଲିସ ଜିମାରେ ଦିଆଯାଉଛି। ଏହାପରେ ମୋଟା ଅଙ୍କର ତଳିଆ ଆର୍ଥିକ କାରବାର ସମାପ୍ତ ହେବା ପରେ ଗାଡ଼ିକୁ ଛାଡ଼ିଦେବା ପାଇଁ ଖଣି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଥିବା ନେଇ ସଙ୍ଗିନ ଅଭିଯୋଗ ହେଉଛି।
ରାତ୍ରିକାଳୀନ ପାଟ୍ରୋଲିଂ ବାହାନାରେ କିଛି ମଦ୍ୟପ ତଥା ଅସାମାଜିକ ଗୁଣ୍ଡା ଶ୍ରେଣୀର ଲୋକଙ୍କ ସହାୟତା ନେଇ ଖଣି ବିଭାଗର କିଛି ଅସାଧୁ ବାବୁ ବାଲି ନେଇ ଯାଉଥିବା ଗାଡ଼ିଗୁଡ଼ିକ ଉପରେ ଜୋରଜୁଲୁମ ଚଳାଇ ବେଆଇନ ଅର୍ଥ ଦାବି କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଦାବି ମୁତାବକ ଅର୍ଥ ନ ଦେଲେ ବିଭିନ୍ନ ପ୍ରକାର ନିୟମ ଉଲ୍ଲଂଘନର ଆଳ ଦେଖାଇ ଗାଡ଼ିଗୁଡ଼ିକୁ ତୁରନ୍ତ ପୁଲିସ ଜିମା ଦିଆଯାଉଛି। ବାସ୍ତବରେ ପୁଲିସ ପ୍ରଶାସନକୁ ନିଜର ଢାଲ କରି ଖଣି ବିଭାଗର କିଛି ଅଧିକାରୀ ନିର୍ଭୟରେ ମନଇଚ୍ଛା ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। ବାଲି ଗାଡ଼ି ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନର ସର୍ବେସର୍ବା ଖଣି ବିଭାଗ ହାତରେ ନ୍ୟସ୍ତ ଥିବାରୁ ବାବୁମାନେ ନିଜ ମର୍ଜିରେ ବଟି ଆଦାୟ କରିବା ସାଙ୍ଗକୁ ବେଆଇନ ଭାବେ ମନଇଚ୍ଛା ଜରିମାନା ମଧ୍ୟ ଆଦାୟ କରୁଛନ୍ତି। ଫଳରେ ସରକାରୀ ନିୟମ ପାଳନ କରୁଥିବା ସାଧାରଣ ଗାଡ଼ି ମାଲିକ ଓ ଡ୍ରାଇଭରମାନେ ନାହିଁ ନଥିବା ହଇରାଣ ହରକତ ହେଉଥିବା ବେଳେ ଏନେଇ ଏକ ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି।
