
ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ଗଞ୍ଜାମ ଜିଲ୍ଲା ଗ୍ରାହକ କମିଶନର ସଦସ୍ୟ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ସତୀଶ କୁମାର ପାଣିଗ୍ରାହୀଙ୍କ ସେବା କାର୍ଯ୍ୟକାଳକୁ ଓଡ଼ିଶା ସରକାର ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏହି ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି।
୧୨.୦୩.୨୦୨୬ ତାରିଖରେ ପ୍ରକାଶିତ ସରକାରୀ ଆଦେଶ (ସଂଖ୍ୟା: ୪୪୯୪) ଅନୁସାରେ, ଆସନ୍ତା ୧୬ ମାର୍ଚ୍ଚ ୨୦୨୬ ଠାରୁ ପରବର୍ତ୍ତୀ ଆଦେଶ କିମ୍ବା ନୂତନ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀ ପାଣିଗ୍ରାହୀ ନିଜ ପଦବୀରେ କାର୍ଯ୍ୟ ଜାରି ରଖିବେ।
ସୂଚନାଯୋଗ୍ୟ ଯେ, ଶ୍ରୀ ପାଣିଗ୍ରାହୀ ୧୭ ମାର୍ଚ୍ଚ ୨୦୨୨ରେ ଗଞ୍ଜାମ ଜିଲ୍ଲା ଗ୍ରାହକ କମିଶନରେ ସଦସ୍ୟ ଭାବେ ଯୋଗ ଦେଇଥିଲେ। ତାଙ୍କର ମୂଳ କାର୍ଯ୍ୟକାଳ ୧୬ ମାର୍ଚ୍ଚ ୨୦୨୬ରେ ସମାପ୍ତ ହେବାକୁ ଥିଲା। ମାତ୍ର ଖାଉଟିଙ୍କ ସ୍ୱାର୍ଥ ରକ୍ଷା ଓ କମିଶନର କାର୍ଯ୍ୟଧାରାକୁ ବ୍ୟାହତ ନ କରିବା ଉଦ୍ଦେଶ୍ୟରେ ସରକାର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରି ଦାୟିତ୍ୱ ତୁଲାଇବାକୁ ପୁନଃ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି (ସଂଖ୍ୟା: ୭୮୧୯, ତାରିଖ: ୦୬.୦୫.୨୦୨୩) ଅନୁସାରେ ଶ୍ରୀ ପାଣିଗ୍ରାହୀ ଗତ ୮ ମେ ୨୦୨୩ ଠାରୁ ଗଞ୍ଜାମ ଜିଲ୍ଲା ଗ୍ରାହକ କମିଶନର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ନୂତନ ଆଦେଶ ଅନୁଯାୟୀ, ସେ ସଦସ୍ୟ ପଦବୀ ସହିତ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସମସ୍ତ ଦାୟିତ୍ୱ ଯୁଗପତ ଭାବେ ତୁଲାଇ ଯିବେ।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଗଞ୍ଜାମ ଜିଲ୍ଲା ଗ୍ରାହକ କମିଶନର କାର୍ଯ୍ୟଧାରା ନିରବଚ୍ଛିନ୍ନ ଭାବେ ଜାରି ରହିବ ଏବଂ ଜିଲ୍ଲାର ହଜାର ହଜାର ଖାଉଟି ଏହାଦ୍ୱାରା ଉପକୃତ ହେବେ ବୋଲି ଆଶା କରାଯାଉଛି। ଖାଉଟିଙ୍କ ସ୍ୱାର୍ଥ ସୁରକ୍ଷା ଓ ଅଭିଯୋଗର ସମୟାନୁଗ ନିଷ୍ପତ୍ତି ନେବାରେ ଏହି କାର୍ଯ୍ୟକାଳ ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।