ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏ ଦର୍ଶନ ବନ୍ଦ

newyr25

ପୁରୀ : ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି । ୪ଘଣ୍ଟା ବନ୍ଦ ରହିବ ଦର୍ଶନ। ଦ୍ବିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ନୀତିକାନ୍ତି ହେବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ ବନ୍ଦ ରହିବ ଦର୍ଶନ। ସର୍ବସାଧାରଣ ଦର୍ଶନ ବନ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏହା ଏକ ଗୁପ୍ତ ନୀତି ହୋଇଥିବାରୁ, ଏହି ନୀତି ସମ୍ପାଦନ ବେଳେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଥାଏ । ବନକଲାଗି ନୀତିରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ । ପରମ୍ପରା ଅନୁଯାୟୀ ଦୁଇପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ଆରମ୍ଭ କରାଯିବାର ପରମ୍ପରା ରହିଛି । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖ ଶୃଙ୍ଗାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ ଚାରି ଘଣ୍ଟା ଧରି ଶ୍ରୀମନ୍ଦିରର ସମସ୍ତ ଚାରି ଦ୍ବାର ସମ୍ପୂର୍ଣ୍ଣ ବନ୍ଦ ରହେ ।

ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ‘ବନକଲାଗି ନୀତି’ କୁହାଯାଏ । ଏହି ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ‘ଦତ୍ତମହାପାତ୍ର’ କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗ ପ୍ରସ୍ତୁତ କରିବା ଓ ବିଗ୍ରହଙ୍କ ମୁଖ ଶୃଙ୍ଗାର କରିବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ । ବଜାରରେ ମିଳୁଥିବା ରଙ୍ଗ ‘ବନକଲାଗି ନୀତି’ରେ ବ୍ୟବହାର ହୁଏନାହିଁ । ମହାପ୍ରଭୁଙ୍କ ଲାଗି ଉଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତି ପାଇଁ ଭିତରବେଢାର ଉତ୍ତର ପାର୍ଶ୍ବରେ ଏକ ବିଶେଷ କୋଠରୀ ମଧ୍ୟ ରହିଛି । ଏହାକୁ ବନକଲାଗି ଘର କୁହାଯାଏ ।

Leave A Reply

Your email address will not be published.