ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

add-all

ସମ୍ବଲପୁର: ପ୍ରକୃତିର ନୂତନ ରୂପ ସହ ଆରମ୍ଭ ହେଉଥିବା ରାଷ୍ଟ୍ରୀୟ ନବବର୍ଷ ଆମକୁ ଗୌରବଶାଳୀ ଇତିହାସର ସ୍ମୃତି କରାଇଥାଏ । ଯେତେବେଳେ ସମାଜ ନିଜର ସଂସ୍କୃତିକୁ ସମ୍ମାନ ଦିଏ, ସେତେବେଳେ ରାଷ୍ଟ୍ର ପରମ ବୈଭବକୁ ପ୍ରାପ୍ତ ହୁଏ । ତେଣୁ ସବୁବେଳେ ନିଜର ସଭ୍ୟତା, ସଂସ୍କୃତି ଓ ଭାଷାକୁ ସମ୍ମାନ ଦେବା ପାଇଁ ଯୁବ ସମାଜକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

‘ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି, ସମ୍ବଲପୁର’ ପକ୍ଷରୁ ସ୍ଥାନୀୟ ଗଙ୍ଗାଧର ମଣ୍ଡପ ଠାରେ ଆୟୋଜିତ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭିଡ଼ିଓ ବାର୍ତ୍ତା ଜରିଆରେ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଦିନଟି କେବଳ ଏକ ତାରିଖ ପରିବର୍ତ୍ତନର ଦିନ ନୁହେଁ, ଏହା ହେଉଛି ଆମର ସଭ୍ୟତା, ସଂସ୍କୃତି ଏବଂ ମୂଲ୍ୟବୋଧର ପୁନର୍ଜାଗରଣର ଦିନ । ବସନ୍ତ ଋତୁର ଆରମ୍ଭରେ ଯେତେବେଳେ ପ୍ରକୃତି ନୂଆ ରୂପ ଧାରଣ କରେ, ସେତେବେଳେ ଆମର ଏହି ନୂତନ ବର୍ଷ ଆରମ୍ଭ ହୁଏ । ଏହି ପବିତ୍ର ଦିନ ଆମକୁ ମନେ ପକାଇଦିଏ – ଆମର ଇତିହାସ କେତେ ପ୍ରାଚୀନ ଓ ଗୌରବଶାଳୀ । ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି, ସମ୍ବଲପୁର’ ପକ୍ଷରୁ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଆମର ଯୁବପିଢ଼ିକୁ ନିଜର ମୂଳ ଶେର ସହ ଯୋଡ଼ିବାର ଏକ ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି ସେ ଅଭିହିତ କରିଛନ୍ତି ।

ବିକଶିତ ସମ୍ବଲପୁର, ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନ ଦିଗରେ ଶ୍ରୀ ପ୍ରଧାନ ସମ୍ବଲପୁରର ମାଟିରୁ ଅନେକ ସଂକଳ୍ପ’ ନେବାକୁ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି । ସେ ଗୁଡିକ ହେଉଛି, “ନିଜର ସଂସ୍କୃତି, ସଭ୍ୟତା ଓ ଭାଷାକୁ ସମ୍ମାନ ଦେବା”, “ବ୍ୟାପକ ବୃକ୍ଷରୋପଣ ସହ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା”, “ଜାତି, ଧର୍ମ ନିର୍ବିଶେଷରେ ଭାଇଚାରା ବଜାୟ ରଖିବା”, “ପ୍ରତ୍ୟେକ ଶିଶୁଙ୍କ ପାଖରେ ପୁଷ୍ଟିକର ଆହାର ପହଞ୍ଚାଇବା ପାଇଁ ସାମୂହିକ ଦାୟିତ୍ୱ ନେବା” ଏବଂ “ଦେଶର ପ୍ରଗତି ପାଇଁ ନିଜ ନିଜ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିବା” । ମା’ ସମଲେଇଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମ୍ବଲପୁରରୁ ଆରମ୍ଭ ହୋଇଥିବା ଏହି ସଂକଳ୍ପ ସମଗ୍ର ଓଡ଼ିଶା ଓ ଭାରତବର୍ଷରେ ଏକ ନୂତନ ଚେତନା ସୃଷ୍ଟି କରିବ ।

ad-week
Leave A Reply

Your email address will not be published.