
ଭୁବନେଶ୍ୱର : ପ୍ରତାପ ଜେନାଙ୍କ ବାସଭବନ ଆଗରେ ହଙ୍ଗାମା ଘଟଣାରେ ଦୁଇ ଗିରଫ। ହଙ୍ଗାମା କରିଥିବା ଦୁଇ ଯୁବକ ଗତକାଲି ବିଜୁ ଛାତ୍ର ଜନତା ଦଳରୁ ନିଲମ୍ବିତ ହୋଇଥିଲେ।
ବିଜେଡି ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ପ୍ରତାପ ଜେନା ରହୁଥିବା ସରକାରୀ ବାସଭବନ ଆଗରେ ହଙ୍ଗାମା ଘଟଣାରେ ୨ ଜଣ ଗିରଫ। ସେମାନଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ପୂର୍ବତନ ଛାତ୍ର ବିଜେଡ଼ି କାର୍ଯ୍ୟକର୍ତ୍ତା ସିଦ୍ଧାର୍ଥ ସ୍ୱାଇଁ ଓ ଦେବୀପ୍ରସାଦ ଲେଙ୍କା। ଉଭୟ ଗତକାଲି ଛାତ୍ର ବିଜେଡିରୁ ନିଲମ୍ବନ ହୋଇଥିଲେ। ଉଭୟଙ୍କୁ ଗିରଫ ପରେ ପୁଲିସ ଅଦାଲତ ଚାଲାଣ କରିଛି। ଉଭୟ ବିଜୁ ଛାତ୍ର ଜନତା ଦଳ ଉପସଭାପତି ଥିଲେ। ଗତକାଲି ନିଲମ୍ବିତ ହେବା ପରେ ଉଭୟ ପ୍ରତାପ ଜେନାଙ୍କ ବାସଭବନ ଆଗରେ ବାଣ ଫୁଟାଇବା ସହ ହଙ୍ଗାମା କରିଥିଲେ। ଯାହାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଖୁଲମଖୁଲା ଭାଇରଲ କରାଇଥିଲେ। ପ୍ରତାପଙ୍କ ବାସଭବନରେ ଥିବା ସିକୁରିଟିକୁ ମଧ୍ୟ ମାଡମାରି ଲହୁଲୁହାଣ କରିଥିଲେ ଉଭୟ। ଯାହାକୁ ନେଇ ଗତକାଲି ରାତିରେ କ୍ୟାପିଟାଲ ଥାନାରେ ପ୍ରତାପଙ୍କ ସିକୁରିଟି ଏକ ଏତଲା ଦେଇଥିଲେ।
ରାଜ୍ୟସଭା ନିର୍ବାଚନ ପରେ ବିଜୁ ଜନତା ଦଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। କ୍ରସ ଭୋଟିଂ କରିଥିବା ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ବାସଭବନ ସାମ୍ନାରେ ବିଜୁ ଯୁବ ଛାତ୍ର ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ ପରଠୁ ଏପରି ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ଦେବୀରଞ୍ଜନଙ୍କ ସମର୍ଥିତ ଛାତ୍ର ଯୁବ ବିଜେଡ଼ି କର୍ମକର୍ତ୍ତା ଏଥିନେଇ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଭିକେ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପରେ ଏଥିରେ ସମ୍ପୃକ୍ତ ଥିବା ୧୦ଜଣଙ୍କୁ ବିଜୁ ଯୁବ ଛାତ୍ର ଜନତା ଦଳରୁ ନିଲମ୍ବନ କରାଯାଇଥିଲା।