
ନୂଆଦିଲ୍ଲୀ : ସାରା ଦେଶରେ ଈଦ-ଉଲ-ଫିତର ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରାଯାଉଛି । ଇସଲାମ ଧର୍ମରେ ଏହା ସବୁଠାରୁ ବଡ଼ ଏବଂ ମହତ୍ତ୍ବପୂର୍ଣ୍ଣ ପର୍ବ । ରମଜାନ ମାସ ଶେଷ ହେବା ପରେ ଏହାକୁ ପାଳନ କରାଯାଏ । ଆଜି ସକାଳେ ଲୋକମାନେ ଦିଲ୍ଲୀର ଜାମା ମସଜିଦରେ ନମାଜ ପାଠ କରିଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଇଦ୍ ଉଲ୍-ଫିତରର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପ୍ରକାଶିତ ଏକ ବାର୍ତ୍ତାରେ, ସେ ସମସ୍ତ ମୁସଲିମ୍ ସମ୍ପ୍ରଦାୟର ଲୋକଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଇଦ୍ ଅଲ୍-ଫିତରର ଅନେକ ଅନେକ ଅଭିନନ୍ଦନ ।” “ଏହି ଦିନଟି ଭାଇଚାରା ଏବଂ କରୁଣାର ଭାବନାକୁ ଆହୁରି ମଜବୁତ କରୁ । ସମସ୍ତେ ଖୁସି ଏବଂ ସୁସ୍ଥ ରୁହନ୍ତୁ ।”
ରମଜାନର ପୂର୍ଣ୍ଣ ୩୦ ଦିନର ରୋଜା ଏବଂ ନମାଜ ପାଠ ପରେ ଗତକାଲି ଇଦର ଚାନ୍ଦ ଦେଖାଯାଇଥିଲା । ଇସଲାମ ସମ୍ପ୍ରଦାୟର ଲୋକ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ଜଣାଇଥିଲେ । ଆଜି ଜାମା ମସଜିଦ ଏବଂ ଫତେପୁରୀ ମସଜିଦ ସମେତ ସମସ୍ତ ଛୋଟ ଏବଂ ବଡ଼ ମସଜିଦ ଇଦ ପାଳନ କରାଯାଇଛି ।