
ସୁନ୍ଦରଗଡ଼ : ବଣ ପାହାଡ ମଣ୍ଡିତା, ଅରଣ୍ୟ ଶୋଭିତା, ନିର୍ଝରିଣୀର ମଧୁରତା ଓ ସାଗର ଚୁମ୍ବିତା ପୃଥିବୀମାତା ପ୍ରକୃତିର ଅପରୁପ ରୂପକୁ ପ୍ରକାଶ କରେ। ଏହି ପ୍ରକୃତି ମାନବଜାତିକୁ ଅମୂଲ୍ୟ ସମ୍ପଦର ଭଣ୍ଡାର ଦେଇଛି, ଯାହା ମଧ୍ୟରୁ ଜଙ୍ଗଲ ସମ୍ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ କେବଳ ପରିବେଶ ସନ୍ତୁଳନକୁ ରକ୍ଷା କରିନାହିଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକାର ଆଧାର ହେବା ସହିତ ସାମାଜିକ ଓ ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରୁଛି। ସମୟର ପରିବର୍ତ୍ତନ ସହିତ ମନୁଷ୍ୟ ତାଙ୍କର ଜ୍ଞାନ ଓ ପ୍ରଯୁକ୍ତିର ଉନ୍ନତି ଦ୍ୱାରା ପ୍ରାକୃତିକ ସମ୍ପଦକୁ ବ୍ୟବହାର ଉପଯୋଗୀ କରିପାରିଛନ୍ତି। କିନ୍ତୁ ଏହା ସହିତ ସହରୀକରଣ, ଶିଳ୍ପୀକରଣ ଓ ଅତ୍ୟାଧୁନିକ ଜୀବନଶୈଳୀର ଚାପରେ ଏହି ଅମୂଲ୍ୟ ଜଙ୍ଗଲ ସମ୍ପଦ ଆଜି ଧ୍ଵଂସାଭିମୁଖୀ ହୋଇପଡ଼ିଛି। ବିଶେଷତଃ ଆଦିବାସୀ ସମାଜ ଯେଉଁମାନେ ଜଙ୍ଗଲ ଉପରେ ନିର୍ଭର କରି ଜୀବନଯାପନ କରୁଛନ୍ତି, ସେମାନଙ୍କ ପାଇଁ ଏହା ଗୁରୁତର ସମସ୍ୟା ସୃଷ୍ଟି କରୁଛି। ଏହି ଗୁରୁତ୍ୱକୁ ଦୃଷ୍ଟିରେ ରଖି ସଂଯୁକ୍ତ ରାଷ୍ଟ୍ର ସଂଘ ୨୦୧୨ ମସିହାରେ ୨୧ ମାର୍ଚ୍ଚ ଦିନଟିକୁ “ଆନ୍ତର୍ଜାତୀୟ ବନ ଦିବସ” ଭାବେ ଘୋଷଣା କରିଥିଲେ। ସେଥିଠାରୁ ପ୍ରତିବର୍ଷ ଏହି ଦିନରେ ବିଶ୍ୱବ୍ୟାପୀ ଭାବରେ ବନ ସୁରକ୍ଷା, ବୃକ୍ଷରୋପଣ ଓ ପ୍ରାକୃତିକ ସମ୍ପଦର ସୁସ୍ଥ ବ୍ୟବହାର ପ୍ରତି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଏହି ପରିପ୍ରେକ୍ଷୀରେ ଜଙ୍ଗଲ ସୁରକ୍ଷା ଓ ପରିବେଶ ସଚେତନତାକୁ ବୃଦ୍ଧି ପାଇଁ ସ୍ଵେଚ୍ଛାସେବୀ ସଂଗଠନ “ସେବକ” ଓ କମନ ଗ୍ରାଉଣ୍ଡର ମିଳିତ ଉଦ୍ୟମରେ ବିଶ୍ଵ ବନ ଦିବସକୁ ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ୟାପକ ଭାବେ ପାଳନ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଯଥା ଲେଫ୍ରିପଡାର ଝୁଲେନଡ଼ିହି, ହେମଗିରର କୁଚେଡେଗା, ସଦର ବ୍ଲକର ମହୁଲଜୋର, ଟାଙ୍ଗରପାଳିର ଡୁଙ୍ଗିନାଳା, ବାଲିଶଙ୍କରାର ଘୋଘର ହାଇସ୍କୁଲ ଓ ବାଲିଶଙ୍କରା ହାଇସ୍କୁଲ ସହିତ ସବଡେଗାର ଗୋପପୁର ଗ୍ରାମରେ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଡୁଙ୍ଗିନାଲା ଠାରେ ଉଜ୍ଜଳପୁର ବନପାଳ ବନିତା ପ୍ରଧାନ, ଗୋପପୁର ଠାରେ ବନପାଳ ଅଞ୍ଜନା ଗର୍ଡିଆ, କୁଚେଡେଗା ଠାରେ ସରପଞ୍ଚ ଶ୍ରୀମତୀ ଲିଜା ନାଏକ, ମହୁଲଜୋର ଠାରେ ସରପଞ୍ଚ ରାଜକିଶୋରୀ ଏକ୍କା, ଘୋଘର ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିରାଳି କିସପଟା, ବାଲିଶଙ୍କରା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଆତିଶ ମାଝୀ ସ୍ଵତନ୍ତ୍ର ଅତିଥି ଭାବରେ ଉପସ୍ଥିତ ଥିଲେ। ସେବକର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଗାମ୍ବର ଉପାଧ୍ୟାୟ ଯୋଗଦାନ କରି କହିଥିଲେ ଯେ- “୨୦୨୬ ମସିହାର ଆନ୍ତର୍ଜାତୀୟ ବନ ଦିବସର ଥିମ୍ ହେଉଛି “ବନ ଓ ଅର୍ଥନୀତି”, ଯାହା ବନର ଅର୍ଥନୈତିକ ସମୃଦ୍ଧିରେ ଅପରିହାର୍ଯ୍ୟ ଭୂମିକାକୁ ଉଜାଗର କରେ।

ଏହି ଭୂମିକାଗୁଡ଼ିକ ଜଙ୍ଗଲ ଉତ୍ପାଦନ ଏବଂ ନବୀକରଣୀୟ କଞ୍ଚାମାଲ ଏବଂ ଖାଦ୍ୟ ବାଣିଜ୍ୟରୁ ଆୟ ଏବଂ ଚାକିରିଠାରୁ ବହୁତ ଆଗକୁ ବଢ଼ିଥାଏ: ଜଙ୍ଗଲ ପରିବାର ଏବଂ ସମ୍ପ୍ରଦାୟ କୃଷିକୁ ମଧ୍ୟ ବଜାୟ ରଖେ, କୃଷି ଉତ୍ପାଦକତା ବୃଦ୍ଧି କରେ ଏବଂ ସୁସ୍ଥ ଜଳଛାୟାକୁ ସୁରକ୍ଷା ଦିଏ। ଅନେକ ଦେଶ ଏକ ସ୍ଥାୟୀ ଜୈବ ଅର୍ଥନୀତି ଆଡ଼କୁ ଅଗ୍ରସର ହେବାକୁ ଚାହୁଁଥିବା ବେଳେ, ବନ ଉତ୍ପାଦଗୁଡ଼ିକ ନୂତନ ଆର୍ଥିକ ସୁଯୋଗ ସୃଷ୍ଟି କରିବା ସହିତ କାର୍ବନ-ସଘନ ସାମଗ୍ରୀ ପାଇଁ ବଦଳ ଭାବରେ ପ୍ରକୃତି-ଆଧାରିତ ସମାଧାନ ପ୍ରଦାନ କରେ।“ ଏହି ଅବସରରେ ଗ୍ରାମବାସୀ, ଛାତ୍ରଛାତ୍ରୀ, ଏବଂ ସ୍ୱୟଂସାହାୟ୍ୟ ଗୋଷ୍ଠୀ ସଦସ୍ୟମାନଙ୍କୁ ସମ୍ମିଳିତ କରି ସଚେତନତା ବୈଠକ, ପଦଯାତ୍ରା, ଏବଂ ପରିବେଶ ସୁରକ୍ଷା ଶପଥ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜଙ୍ଗଲରେ ନିଆଁ ଲାଗିବାର କାରଣ ଓ ତାହାର ପ୍ରତିରୋଧ, ବନ୍ୟଜନ୍ତୁ ସୁରକ୍ଷା, ଏବଂ ଗୋଷ୍ଠୀ ଭିତ୍ତିକ ଜଙ୍ଗଲ ପରିଚାଳନା ଉପରେ ବ୍ୟାପକ ଆଲୋଚନା ହୋଇଥିଲା ଓ ଏହାକୁ ରୋକିବା ନିମନ୍ତେ ସାମୁହିକ ଶପଥ ପାଠ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ସେବକର କମନ ଗ୍ରାଉଣ୍ଡ, ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨, ଗୋଷ୍ଠୀ ଜଙ୍ଗଲ ଅଧିକାର, ଶ୍ରୀ ଅନ୍ନ ଅଭିଯାନ, ମା ଗୃହ, କଲିକା କେନ୍ଦ୍ର, କୃଷି ଉତ୍ପାଦକ କ୍ଲଷ୍ଟର ପ୍ରକଳ୍ପର କର୍ମକର୍ତ୍ତା ମାନେ ଆୟୋଜନ କରିଥିଲେ। ପ୍ରକୃତରେ, ବିଶ୍ଵ ବନ ଦିବସ ପାଳନ କେବଳ ଏକ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମ ସମସ୍ତଙ୍କ ପାଇଁ ପ୍ରକୃତି ପ୍ରତି ଦାୟିତ୍ୱବୋଧକୁ ସ୍ମରଣ କରାଏ। ଯଦି ଆମେ ଆଜି ଜଙ୍ଗଲକୁ ସୁରକ୍ଷିତ କରିପାରିବା, ତେବେ ଆସନ୍ତା ପିଢ଼ି ପାଇଁ ଏକ ସୁସ୍ଥ ଓ ସୁନ୍ଦର ପୃଥିବୀ ଦାନ କରିପାରିବା।