ମା’ଦୁର୍ଗା ଙ୍କ ମହାଗୌରୀ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ : ପୀଠରେ ମହାଷ୍ଟମୀ ପୂଜା, ମୃଣ୍ମୟୀ ଦେବୀଙ୍କ ମହାସପ୍ତମୀ ପୂଜାରେ ଆଧ୍ୟାତ୍ମିକ ପରିବେଶ

puja26

ବାଲିଗୁଡ଼ା : ଶାରଦୀୟ ନବରାତ୍ର ଉତ୍ସବକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବାଲିଗୁଡ଼ାର ଆରାଧ୍ୟ ଦେବୀ ମା’ ପାଟଖଣ୍ଡାଙ୍କ ପୀଠ। ଶ୍ରୀ ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମନ୍ଦିର ପରିସରରେ ଚାଲିଥିବା ନବରାତ୍ର ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଜାରି ରହିଛି। ରବିବାର ନବରାତ୍ରର ଅଷ୍ଟମ ଦିବସରେ ମା’ ଦୁର୍ଗା ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ପୀଠରେ ଭକ୍ତଙ୍କ ସମାଗମ ହୋଇଥିଲା। ନବରାତ୍ରର ପ୍ରତ୍ୟେକ ଦିନ ଦେବୀଙ୍କ ଭିନ୍ନ ଭିନ୍ନ ସ୍ୱରୂପର ଆରାଧନା କରାଯାଉଥିବା ବେଳେ ଅଷ୍ଟମ ଦିନର ମହାଗୌରୀ ବେଶ ଭକ୍ତଙ୍କ ମନରେ ବିଶେଷ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିଛି। ମନ୍ଦିର ପରିସରରେ ପୂଜାର୍ଚ୍ଚନା ଓ ଧାର୍ମିକ ବିଧିବିଧାନ ମଧ୍ୟରେ ଉତ୍ସବର ମାହୋଲ ଅଧିକ ଭକ୍ତିମୟ ହୋଇଉଠିଛି। ଅନ୍ୟପକ୍ଷରେ ମୃଣ୍ମୟୀ ଦେବୀଙ୍କ ମଣ୍ଡପରେ ମହାସପ୍ତମୀ ପୂଜା ଏବଂ ଶକ୍ତିପୀଠରେ ମହାଷ୍ଟମୀ ପୂଜା ବିଧି ଅନୁଯାୟୀ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବେ ରବୀନ କୁମାର ମିଶ୍ର ଓ ନମିତା ମହାପାତ୍ର ଦାୟିତ୍ୱ ତୁଲାଉଛନ୍ତି। ପୂଜାକାର୍ଯ୍ୟରେ ପୁରୀ ଶ୍ରୀକ୍ଷେତ୍ର ଧାମରୁ ଆସିଥିବା ହିମାଂଶୁ ଶେଖର ଶତପଥୀ, ଗଞ୍ଜାମ ଜିଲ୍ଲା ଖଟିଆ ରାମଚନ୍ଦ୍ରପୁର ଶାସନର ଚିନ୍ମୟ ଶତପଥୀ ଏବଂ କରପଡ଼ା ଗ୍ରାମର କାହ୍ନୁଚରଣ ପଣ୍ଡା ପୁରୋହିତ ଓ ପୂଜକ ଭାବେ ଧାର୍ମିକ ବିଧିବିଧାନ ସମ୍ପାଦନ କରୁଛନ୍ତି।ମା’ ପାଟଖଣ୍ଡାଙ୍କ ଆଶୀର୍ବାଦ ଲାଭ କରିବା ସହ ନବରାତ୍ର ଉତ୍ସବରେ ସାମିଲ ହେବା ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି। ପୂଜାକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.